ଯାଜପୁର : ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗରକୁ ଏବେ ବାଟ ନାହିଁ!

କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଦେଶର ସର୍ବାଧିକ କ୍ରୋମାଇଟ୍ ଉପତ୍ୟକା କାଳିଆପାଣି‌କୁ ଯୋଗାଯୋଗ କରୁଥିବା ୫୩ନମ୍ବର ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ପୋଲ (କବାଟବନ୍ଧ) ଓ ଦାନଗଦୀର ମାନପୁର(ଓଭର ବ୍ରିଜ) ଉପରେ ଭାରୀଯାନ ଚଳାଚଳକୁ ଜିଲ୍ଲା ପ୍ରଶାସନ ଅଙ୍କୁଶ ଲଗାଇଛି। ଫଳରେ ଜନସାଧାରଣଙ୍କ ଜୀବନଜୀବିକା ଓ ଖଣିଜପଥର ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି।

Advertisment

୫୩ନମ୍ବର ଜାତୀୟ ରାଜପଥରେ ଥିବା କବାଟବନ୍ଧ ବ୍ରାହ୍ମଣୀ ପୋଲ ମରାମତି ନାମରେ ଜିଲ୍ଲା ପ୍ରଶାସନ ଏକ ମାସ ( ୨୧ ନଭେମ୍ବରରୁ ଚଳିତ ମାସ ୨୦ତାରିଖ) ଗାଡ଼ି ଚଳାଚଳ ବନ୍ଦ କରିଦିଆଯାଇଛି। ଫଳରେ, ଏହି ରାଜପଥରେ ପ୍ରତିଦିନ ଚଳାଚଳ କରୁଥିବା ହଜାରହଜାର ଟ୍ରକ ଦ୍ବାରା ଖଣିଜପଥର ଓ ଶିଳ୍ପାନୁଷ୍ଠାନ ସାମଗ୍ରୀ ଠପ୍ ହୋଇଯାଇଛି।

publive-image

ଏହି ପୋଲ ଉପରେ ଚଳାଚଳ ବନ୍ଦ କରିବା ଯୋଗୁଁ ପାରାଦୀପ ବନ୍ଦରକୁ ଏହି ବାଟେ କେନ୍ଦୁଝର ଜିଲ୍ଲାର ଲୁହାପଥର, ମାଙ୍ଗାନିଜ, ଅନୁଗୁଳର କୋଇଲା, ଯାଜପୁର ଜିଲ୍ଲାର‌ କ୍ରୋମାଇଟ୍ ଓ କଳିଙ୍ଗନଗର ଶିଳ୍ପାନୁଷ୍ଠାନର ସାମଗ୍ରୀ ଓ ଧର୍ମଶାଳାର କଳାପଥର ପରିବହନ ଠପ୍ ହୋଇଯାଇଛି। ଏପରିକି ଏହି ଅଞ୍ଚଳ ଲୋକ ୧କିମି ପରିବର୍ତ୍ତେ ୫୦ କିମି ବାଟ ବୁଲି ଯାଜପୁରରୋଡ୍‌ ବାଟେ ଯାତାୟାତ କରୁଛନ୍ତି। ବ୍ରାହ୍ମଣ‌ୀ ନଦୀରେ ଡଙ୍ଗା ଗୋଟିଏ ଦିନ ଚାଲିଥିବା ବେଳେ କଳିଙ୍ଗନଗର ପୁଲିସ ତାକୁ ମଧ୍ୟ ବନ୍ଦ କରି ଦେଇଛି। ଡଙ୍ଗାରେ ମଧ୍ୟ କିଛି ଲୋକ ଓ ମୋଟରସାଇକେଲ ଯାତ୍ରୀ ଯାତାୟାତ କରିବାକୁ ସୁଯୋଗ ପାଉଥିଲେ। ସଚେତନ ନାଗରିକ ମଞ୍ଚର ଦାବି ପ୍ରତି କାହାରି ଗୁରୁତ୍ବ ନାହିଁ।

ଶିଳ୍ପାନୁଷ୍ଠାନରେ କାମ କରୁଥିବା ଏହି ଅଞ୍ଚଳର ଶହଶହ ଲୋକ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଅଥଚ ୩ବର୍ଷ ପୂର୍ବରୁ ଏହି ରାସ୍ତା ଓ ପୋଲ ପାଇଁ ଟେଣ୍ଡର ହୋଇଥିଲା। ଠିକାଦାରଙ୍କ ମନମାନି ପାଇଁ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିକି ୧.୨୫କିମି ଏହି ପୋଲ ମରାମତି ମଧ୍ୟ ଠିକ୍ ଭାବେ ଚାଲୁନାହିଁ। ଅତି ମନ୍ଥର ଗତିରେ ହେଉଛି। ସେହିପରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଦାନଗଦୀରୁ ଡୁବୁରୀ ରାସ୍ତା ଉପରେ ଥିବା ମାନପୁର ରେଲୱେ ଓଭରବ୍ରିଜରେ ସକାଳ ଓ ସଂଧ୍ୟାରେ ଭାରୀଯାନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଏହି ପୋଲ ନିର୍ମାଣ ପାଇଁ ବହୁଦିନ ଲାଗିଲା। ଏବେ ପୁଣି ଟ୍ରାଫିକ ପାଇଁ ଗାଡ଼ି ଚଳାଚଳ ଏକପ୍ରକାର ବନ୍ଦ। ଦ୍ବିତୀୟ ପୋଲ ନିର୍ମାଣ ୨ବର୍ଷ ହେଲା ମନ୍ଥର ଗତିରେ ଚାଲିଛି। ଜିଲ୍ଲାବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପ୍ରତି ଜିଲ୍ଲା ପ୍ରଶାସନର ଦୂରଦୃଷ୍ଟି ଅଭାବ ଏବେ ଏଭଳି ସ୍ଥିତି ସୃଷ୍ଟି କରିଛି।