ରାୟଗଡ଼ା: ଗ୍ରାମାଞ୍ଚଳରୁ ଗରିବୀ ଦୂରୀକରଣ ସହ ଯୁବକ/ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ କାର୍ଯ୍ୟକାରୀ ହୋଇଛି ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜେକେୱାଇ)। ଧନ୍ଧାମୂଳକ ତାଲିମ୍ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ କୁଶଳୀ ଭାବେ ଗଢ଼ି ତୋଳିବା ପରେ କମ୍ପାନିରେ ନିଯୁକ୍ତି ଦେବା ପାଇଁ ରହିଛି ସରକାରଙ୍କ ଯୋଜନା। କିନ୍ତୁ ସମନ୍ବୟ ଅଭାବରୁ ଏହି ଯୋଜନା ରାୟଗଡ଼ା ଜିଲ୍ଲାରେ ଦିଗହରା ହୋଇଛି। ବିଗତ ୫ ବର୍ଷରେ ତାଲିମ୍ ଶେଷ କରିଥିବା କୁଶଳୀ ଯୁବକ/ଯୁବତୀଙ୍କ ମଧ୍ୟରୁ ମାତ୍ର ୩୯ ପ୍ରତିଶତକୁ ନିଯୁକ୍ତି ମିଳିବା ଯୋଜନାର ସଠିକ୍ କାର୍ଯ୍ୟକାରିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ ମାଧ୍ୟମରେ ଏହି ଯୋଜନା ପରିଚାଳିତ ହେଉଛି। ଜିଲ୍ଲାରେ ଏକ ସ୍ବତନ୍ତ୍ର ଏଜେନ୍ସି ମାଧ୍ୟମରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ଗ୍ରାମାଞ୍ଚଳରୁ ବେକାର ଯୁବକ/ଯୁବତୀଙ୍କୁ ଚିହ୍ନଟ କରି ତାଲିମ୍ ପାଇଁ ମନୋନିତ କରାଯାଉଛି। ତାଲିମ୍ ପରେ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଗୁଜୁରାଟ ଭଳି ଅନେକ ରାଜ୍ୟରେ କୁଶଳୀ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ଫଳରେ ତାଲିମ୍ ଶେଷ କରିଥିବା ବହୁ କୁଶଳୀ ଯୁବକ/ଯୁବତୀ ନିଯୁକ୍ତି ଅଫରକୁ ଗ୍ରହଣ କରୁ ନାହାନ୍ତି। ଯେଉଁ ଯୁବକ, ଯୁବତୀ ବାହାର ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ନିଯୁକ୍ତି ସମୟରେ କମ୍ପାନି ଦେଉଥିବା ପ୍ରତିଶ୍ରୁତି ଅନୁଯାୟୀ ମାସିକ ଦରମା ସହ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରୁନଥିବାରୁ ୨/୩ ମାସ କାମ କରିବା ପରେ ଘରମୁହାଁ ହେଉଛନ୍ତି। ଅନେକ ମାନସିକ, ଶାରୀରିକ ନିର୍ଯ୍ୟାତନାର ଶିକାର ହେବାର ନଜିର ଥିବାରୁ ବାହାର ରାଜ୍ୟକୁ ଯିବାକୁ ମନ ବଳାଉ ନାହାନ୍ତି। ଫଳରେ ରାୟଗଡ଼ା ଜିଲ୍ଲାରେ କୁଶଳୀ ବେକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି।
ସୂଚନାନୁଯାୟୀ, ୨୦୧୮ରୁ ୨୦୨୨ ମଧ୍ୟରେ ଡିଡିୟୁ-ଜେକେୱାଇ୍ ଯୋଜନାରେ ସାମିଲ୍ ହୋଇଛନ୍ତି ୧୩ ହଜାର ୨୩୭ ଯୁବକ/ଯୁବତୀ। ସେମାନଙ୍କ ମଧ୍ୟରୁ ୫୦୨୩ ତାଲିମ୍ ନେବାକୁ ମନୋନିତ ହୋଇଥିବା ବେଳେ ତାଲିମ୍ ଶେଷ କରିଛନ୍ତି ୨୭୯୩ (୫୬ ପ୍ରତିଶତ)। ୩୫୬୦ କୁଶଳୀ ଯୁବକ/ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟ ଥିବାବେଳେ ୧୩୮୩ (୩୯ ପ୍ରତିଶତ) ଙ୍କୁ ହିଁ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ନିଯୁକ୍ତି ଅପେକ୍ଷାରେ ଥିବା ୧୪୭୧ କୁଶଳୀଙ୍କ ମଧ୍ୟରୁ ୪୬୪ (୩୨ ପ୍ରତିଶତ) ଙ୍କୁ ମିଳିଛି ନିଯୁକ୍ତି। ସେହିପରି ୨୦୧୯-୨୦ ରେ ୮୬୭ରୁ ୫୮୬ (୬୮ ପ୍ରତିଶତ), ୨୦୨୦-୨୧ ରେ ୧୮୩ରୁ ୮୪ (୪୬ ପ୍ରତିଶତ), ୨୦୨୧-୨୨ ରେ ୫୨୪ରୁ ୧୧୨ (୨୧ ପ୍ରତିଶତ) ଏବଂ ୨୦୨୨-୨୩ ରେ ୫୧୫ ରୁ ୧୩୭ (୨୭ ପ୍ରତିଶତ) କୁଶଳୀଙ୍କୁ ନିଯୁକ୍ତ ମିଳିଛି। ଗତ ୫ ବର୍ଷକୁ ଅନୁଧ୍ୟାନ କଲେ ମାତ୍ର ୩୯ ପ୍ରତିଶତଙ୍କୁ ନିଯୁକ୍ତି ମିଳିଛି। ବାକି ୬୧ ପ୍ରତିଶତ କୁଶଳୀ ବେକାରୀ ନିଯୁକ୍ତି ଅପେକ୍ଷାରେ ଗ୍ରାମରେ ବସି ରହିଛନ୍ତି। ନିଯୁକ୍ତି ହାର କମୁଥିବା ବେଳେ ଯୋଜନା କାର୍ଯ୍ୟକାରୀ ପାଇଁ ଆସୁଥିବା ଅନୁଦାନକୁ ଶତ ପ୍ରତିଶତ ଭାବେ ଖର୍ଚ୍ଚ କରାଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଯୋଜନା ବାବଦକୁ ଆସିଥିବା ୧୪.୧୧ ଲକ୍ଷ ରୁ ସସମ୍ତ ଅର୍ଥ ଖର୍ଚ୍ଚ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷର ୧୮.୪୩ ଲକ୍ଷ ମଧ୍ୟରୁ ୬.୩୩ ଲକ୍ଷ ଖର୍ଚ୍ଚ ହୋଇ ସାରିଲାଣି। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଦକ୍ଷତା ବିକାଶକୁ ସରକାର ଗୁରୁତ୍ବ ଦେଇ ଆସୁଥିବା ବେଳେ ସରକାରଙ୍କ ଏତେ ବଡ଼ ଯୋଜନା ବେକାରୀ ଦୂରୀକରଣରେ ବିଫଳ ହେବା ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/RGD_DDU-GKY-Scheme.jpg)