ଭୁବନେଶ୍ବର: ଦିନ କେଇଟା ପରେ ସରିଯିବ କାର୍ତ୍ତିକ ମାସ। ମାର୍ଗଶୀର କବାଟ ବାଡ଼େଇବ। ମାତ୍ର ଏପର୍ଯ୍ୟନ୍ତ ଓଡ଼ିଶାରେ ଶୀତର ଦେଖା ନାହିଁ। ‌ଲୋକଙ୍କ ଘରେ କମ୍ବଳ ବାହାରି ନାହିଁ କି ବଜାରରେ ଶୀତବସ୍ତ୍ରର ପସରା ମେଲିନି। ସବୁଠି ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଏତେ ବେଳକୁ ରାଜ୍ୟର ଏକାଧିକ ଜିଲ୍ଲାରେ ଶୀତ ଅନୁଭୂତ ହେବା କଥା। କୋରାପୁଟ, ଦାରିଙ୍ଗବାଡ଼ି, ସେମିଳିଗୁଡ଼ା, ଫୁଲବାଣୀ, ସୁନ୍ଦରଗଡ଼ ପରି ସ୍ଥାନଗୁଡ଼ିକରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ସ୍ଥା‌ନେ ସ୍ଥାନେ ବରଫର ଆସ୍ତରଣ ଦେଖିବାକୁ ମିଳିବା କଥା। ମାତ୍ର ଏଯାବତ୍‌ କୌଣସି ଜିଲ୍ଲାରେ ରାତି ତାପମାତ୍ରାରେ ପରିବର୍ତ୍ତନ ହୋଇ ନାହିଁ। ମଝିରେ ଦିନେ ଦୁଇ ଦିନ ୩ଟି ସହରର ରାତିର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିଲା। ମାତ୍ର ଏବେ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇଛି।

Advertisment

ଚିନ୍ତାର ବିଷୟ ହେଉଛି ଯେ ଗତକାଲି ରାତିରେ ସମ୍ବଲପୁର ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪.୫ ଡିଗ୍ରି ଅଧିକ ରହିଥିଲା। ଏହି ସମୟରେ ସହରର ତାପମାତ୍ରା ୧୬ରୁ ୧୭ ଡିଗ୍ରି ମଧ୍ୟରେ ରହିଥାଏ। ହେଲେ ଗତକାଲି ଏଠାରେ ୨୧.୨ ଡିଗ୍ରି ରେକର୍ଡ କରାଯାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଅଧିକ ରହିଛି। ଫୁଲବାଣୀରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩.୪ ଡିଗ୍ରି ଅଧିକ ଅର୍ଥାତ୍‌ ୧୭.୫ ଡିଗ୍ରି ରହିଥିଲା। କୋରାପୁଟରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩.୩ ଡିଗ୍ରି ଅଧିକ ଥିଲା। ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ଜିଲ୍ଲାରେ ରାତିର ତାପମାତ୍ରା ସ୍ବାଭାବିକ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାର ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି। ଗଞ୍ଜାମ ଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ରାତିର ପାରଦ ୨୦ ଡିଗ୍ରି ଉପରେ ରହିଛି। ଗୋପାଳପୁରରେ ୨୨.୭, ଛତ୍ରପୁରରେ ୨୨.୫, ପୁରୀରେ ୨୪.୬, ଖୋର୍ଦ୍ଧାରେ ୨୨.୫, ଜଗତ୍‌ସିଂହପୁରରେ ୨୨.୮, ପାରାଦୀପରେ ୨୩.୪, କେନ୍ଦ୍ରାପଡ଼ାରେ ୨୨.୬, ଚାନ୍ଦବାଲିରେ ୨୨.୯, ବାଲେଶ୍ବରରେ ୨୨.୪, ଭଦ୍ରକରେ ରାତିର ତାପମାତ୍ରା ୨୦ ଡିଗ୍ରି ରହିଥିଲା। ସମସ୍ତ ସହରରେ ରାତିର ସ୍ବାଭାବିକ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବାରୁ ଥଣ୍ଡା ବଦଳରେ ଗରମ ଅନୁଭୂତ ହେଉଛି।

ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ
ଉପକୂଳରେ ରାତିରେ ଗରମ ଅନୁଭୂତ
ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବନି

ପାଣିପାଗ ବିଭାଗର ଆକଳନ ହେଉଛି ଯେ ଚଳିତ ମାସ ଓଡ଼ିଶାରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ। ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଆସନ୍ତା ୭ ଦିନ ଯାଏ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ୧୫ ତାରିଖ ଯାଏ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉତ୍ତର ପଶ୍ଚିମ ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ଏହାଦ୍ବାରା ଉତ୍ତରା ପବନ ସିଧା ଓଡ଼ିଶାକୁ ଆସୁ ନାହିଁ। ଏଥିସହ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ଅଧିକ ବିସ୍ତୃତ ପାଇଁ ଉତ୍ତରାପଶ୍ଚିମା ପବନ ଓଡ଼ିଶା ଦେଇ ବଙ୍ଗୋପସାଗରକୁ ଆସିପାରୁ ନାହିଁ। ଆକଳନ କରାଯାଇଛି ଯେ ଚଳିତବର୍ଷ ଉତ୍ତରା ପବନ ଦୁର୍ବଳ ରହିବ। ଲା-ଲିନା ଅଧିକ ଶକ୍ତିଶାଳି ହେବାର ଆକଳନ କରାଯାଇଥିବାରୁ ଶୀତ ବଢ଼ିବାର ଆଶଙ୍କା ଥିଲା। ତେବେ ଲା-ଲିନା ବିଳମ୍ବିତ ସହ ଦୁର୍ବଳ ଓ ସ୍ବଳ୍ପ ଅବଧି ରହିବ। ତେଣୁ ଥଣ୍ଡା ଅଧିକ ରହିବ ନାହିଁ। ତେବେ ୧୦ ତାରିଖଠାରୁ ଉତ୍ତରପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି କମିପାରେ। ଶନିବାରଠାରୁ ଉପକୂଳ ଓଡ଼ିଶାରେ ତିନି ଦିନ ମଧ୍ୟରେ ୧.୫ ଡିଗ୍ରି କମିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୧ ଡିଗ୍ରି କମିପାରେ। ୧୨ ତାରିଖଠାରୁ ଉତ୍ତରା ପବନ ସିଧା ବହିବାର ସଙ୍କେତ ମିଳୁଛି। ଯଦି ଏହା ହୁଏ ତାହା ହେଲେ ତାପମାତ୍ରା କିଛି କମିପାରେ। ନ ହେଲେ ଅପରିବର୍ତ୍ତିତ ରହିବ।