ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍ବିବି କ୍ୟାମ୍ପସ୍–୨ରେ କେଏମ୍ବିବି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ କେଏମ୍ବିବି ପବ୍ଲିକ୍ ସ୍କୁଲ୍ର ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ବାର୍ଷିକ ବିଜ୍ଞାନ ମେଳା (ନୋଏସିସ୍-୨୦୨୪) ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଗ୍ରୁପ୍ର ସଂପାଦକ ତଥା ‘ସମ୍ବାଦ- ଆମ ଓଡ଼ିଶା’ର ଟ୍ରଷ୍ଟି ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଏକାଡେମୀର ସମ୍ପାଦକ ଡ. ଆଶିଷ କୁମାର ମହାନ୍ତି ଓ କିଟ୍ ବିଶ୍ବବିଦ୍ୟାଳୟର ଆସୋସିଏଟ୍ ଡିନ୍ ଡ.ତପନ କୁମାର ବସ୍ତିଆ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ଯୋଗ ଦେଇଥିଲେ। ବିଜ୍ଞାନ ମେଳାରେ କେଏମ୍ବିବି ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ୬୬ଟି ଓ କେଏମ୍ବିବି ପବ୍ଲିକ୍ ସ୍କୁଲ୍ ତରଫରୁ ୨୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା।
ବିଦ୍ୟାଳୟର ଶିକ୍ଷା ନିର୍ଦ୍ଦେଶକ ଡ.ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପିଲାମାନେ ଭବିଷ୍ୟତ ଜୀବନରେ କିପରି ଉନ୍ନତି କରିବେ ଓ ଭଲ ବୈଜ୍ଞାନିକ ହେବେ ସେ ନେଇ ଡ.ମହାନ୍ତି ପ୍ରେରଣା ଯୋଗାଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ପାଠପଢା ସହ ପ୍ରାକ୍ଟିକାଲ କରିବା ଓ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାକୁ ଡ. ବସ୍ତିଆ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ତନୟା ପଟ୍ଟନାୟକ ମିଳିମିଶି ସମସ୍ତ କାର୍ଯ୍ୟ କରିବା ଓ ନିଜ ଜୀବନରେ ବହୁ ଉନ୍ନତି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ସିତାଂଶୁ ଶେଖର ରାଉତ ଧାନ୍ୟବାଦ ଅର୍ପଣ କରିଥିଲେ।