ଏକାଡେମି ପଦବି ପାଇଁ ପୁଣି ନାମ ସୁପାରିସ୍‌ ହେଲା

୮ ପଦବି ପାଇଁ ଗୋଟିଏ ଲେଖା ନାମ ଗଲା, ଚୟନ କମିଟିର ହେଲା ଭର୍ଚୁଆଲ୍‌ ବୈଠକ

ଭୁବନେଶ୍ବର : ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଚାରିଟି ଏକାଡେମିର ବିଭିନ୍ନ ପଦବି ପାଇଁ ପୁଣି ନାମ ସୁପାରିସ୍‌ ହୋଇଛି। ଗତକାଲି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ‌ରେ ଚୟନ କମିଟି ବୈଠକ ବସି ଚାରିଟି ଏକାଡେମିର ୮ଟି ପଦବି ପାଇଁ ଗୋଟିଏ ଲେଖାଏ ନାମ ସୁପାରିସ୍ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଲା ପରେ ନାମ ‌ବିଧିବଦ୍ଧ ଭାବେ ଘୋଷଣା ହେବ।

ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଏବଂ ଉର୍ଦ୍ଦୁ ଏକାଡେମିର ଗୋଟିଏ ପଦବି ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ମୋଟ୍‌ ୮ଟି ପଦବି ପାଇଁ ୨୨୭ ଆବେଦନ ଆସିଥିଲା। କର୍ମକର୍ତ୍ତା ମନୋନୟନ କରିବା ପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା। ଉନ୍ନୟନ କମିସନର୍‌ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କମିଟିରେ ସଦସ୍ୟ ଅଛନ୍ତି ଅବସରପ୍ରାପ୍ତ ପ୍ରଶାସକ ଆର୍‌. ଏନ୍. ସେନାପତି, ପ୍ରିୟମ୍ବଦା ମହାନ୍ତି ହେଜମାଦି, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଓ ସଦାଶିବ ପ୍ରଧାନଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ଗତ ମାର୍ଚ୍ଚ ୩୦ ଓ ଏପ୍ରିଲ୍‌ ୬ ତାରିଖରେ କମିଟି ବୈଠକ ବସି ଆବେଦନଗୁଡ଼ିକ ଯାଞ୍ଚ୍‌ କରାଯାଇ ୮ଟି ପଦବି ପାଇଁ ନାମ ସୁପାରିସ୍‌ କରାଯାଇଥିଲା। କମିଟି ପ୍ରତି ପଦବି ପାଇଁ ୨/୩ ଜଣ ଲେଖାଏ ଆବେଦନକାରୀଙ୍କ ନାମ ସୁପାରିସ୍‌ କରିଥିଲା। କିନ୍ତୁ ଏମିତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇ ନ ଥିଲା। ପ୍ରତି ପଦବି ପାଇଁ ଗୋଟିଏ ଲେଖାଏ ନାମ ହିଁ ଚୟନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆଉ ଥରେ ପଠାଯିବା ପାଇଁ କୁହାଯାଇଥିଲା।

କରୋନା ପାଇଁ ଆଉ ଥରେ ସମସ୍ତଙ୍କୁ ଡାକି ବୈଠକ କରିବା ସମ୍ଭବ ନ ଥିବାରୁ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଗତକାଲି ବୈଠକ ହୋଇଥିଲା। ଏଥିରେ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ପ୍ରତି ପଦବି ପାଇଁ ଜଣେ ଲେଖାଏ ଆବେଦନକାରୀଙ୍କ ନାମ ଉପରେ ସହମତି ଅଣାଯାଇ ସୁପାରିସ୍‌ କରାଯାଇଥିଲା। ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ମାସରେ ଏହି ସବୁ ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ଶେଷ ହୋଇପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର