ପଦ୍ମପୁରରେ ନାମାଙ୍କନ ଛକାପଞ୍ଝା   

ବରଗଡ଼: ଦିନକ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହେବ। ଅର୍ଥାତ ୪୮ ଘଣ୍ଟାର ସମୟ ହାତରେ ରହିଛି। କିନ୍ତୁ ବର୍ତମାନ ଯାଏଁ କୌଣସି ରାଜନୈତିକ ଦଳ କିମ୍ବା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ କରିନାହାନ୍ତି। ନାମାଙ୍କନକୁ ନେଇ ଛକାପଞ୍ଝା ସ୍ଥିତି ପଦ୍ମପୁର ରାଜନୀତିକୁ ଦୋହରା ଉଷ୍ଣ କରି ଦେଇଛି। ଦୀର୍ଘ ୧୫ ଦିନ ହେଲା ଉପଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବୀମା ଏବଂ ଇନ୍‌ପୁଟ୍‌ ସବ୍‌ସିଡି ବୋଡ଼ାସମ୍ବର କୃଷକ ସଂଗଠନର ନେତୃତ୍ବରେ ଚାଷୀମାନେ ଧାରଣାରେ ବସିଛନ୍ତି। ନାମାଙ୍କନ ନ କରିବାକୁ ଚାଷୀମାନେ ସର୍ବଦଳୀୟ ବୈଠକ ବେଳେ ନେତାଙ୍କୁ ମୁଣ୍ଡିଆ ମାରିବା ବି ନଜିର ରହିଛି। ବର୍ତମାନ ଯାଏଁ ଉପନିର୍ବାଚନ ପାଇଁ ୧୧ଟି ପ୍ରାର୍ଥୀ ପତ୍ର କିଣାଯାଇଛି। କିନ୍ତୁ ଜଣେ ବି ପ୍ରାର୍ଥୀ ନାମାଙ୍କନ କରିନାହାନ୍ତି। ଚାଷୀଙ୍କ ଦାବି ଏବଂ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରାର୍ଥୀପତ୍ର ଦାଖଲ ‌େହାଇନାହିଁ।

‌ଅନ୍ୟପକ୍ଷରେ ସୋମବାର ବିଜେପି ଜୋର୍‌ଦାର୍‌ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଲା। ଶେଷ ମୁହୂର୍ତ୍ତରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା ପରେ ଦଳ ନାମାଙ୍କନ କଲାନାହିଁ। ଚାଷୀ ଆନ୍ଦୋଳନକୁ ସମ୍ମାନ ଜଣାଇ ଦଳ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲା। ଏବେ ତିନି ପ୍ରମୁଖ ଦଳ କେବେ ନାମାଙ୍କନ କରିବେ ଏବଂ କିଏ ପ୍ରଥମେ କରିବ, ତାକୁ ନେଇ ଛକାପଞ୍ଝା ପରିସ୍ଥିତି ଉପୁଜିଛି। ସବୁ ଦଳ ଚାଷୀଙ୍କ ଦାବି ସହିତ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଜଣାଇଛନ୍ତି। ଏଭଳି ପରିସ୍ଥିତିରେ କେଉଁ ଦଳ ପ୍ରଥମେ ନାମାଙ୍କନ କରିବ, ତାହା ରୋଚକ ଘଟଣାବଳୀ ହେବ। ବୁଧବାର ବିଜେଡି ନାମାଙ୍କନ କରିବ ବୋଲି ଶୁଣାଯାଉଥିଲା। କିନ୍ତୁ ବିଳମ୍ବିତ ସଂଧ୍ୟା ଯାଏ ଏ ସଂପର୍କରେ କିଛି ନିଷ୍ପତ୍ତି ହୋଇପାରିନାହିଁ। ରାତିରେ ଦଳର ତୁଙ୍ଗ ନେତାମ‌ାନେ ଏକତ୍ରିତ ହୋଇ ଚୂଡ଼ାନ୍ତ ଫଇସଲା କରିବେ ବୋଲି ଜଣାପଡ଼ିଛି। ସେହିପରି ବିଜେଡିର ନିଷ୍ପତ୍ତିକୁ ବିଜେପି ଏବଂ କଂଗ୍ରେସ ଅନାଇ ରହିଛନ୍ତି। କୌଣସି ଗୋଟିଏ ଦଳ ନାମାଙ୍କନ କଲେ, ଅନ୍ୟ ଦୁଇ ଦଳ ପରେ ନାମାଙ୍କନ କରିବେ।

ଏଭଳି ଛକାପଞ୍ଝା ମଧ୍ୟରେ ସମ୍ଭବତଃ ୧୭ ତାରିଖ ଅର୍ଥାତ ଶେଷ ଦିନ ହିଁ ତିନି ପ୍ରମୁଖ ଦଳ ନାମାଙ୍କନ କରିବେ। ମଂଗଳବାର ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ସହାୟତା ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ ଟ୍ବିଟ୍‌ କରିଛନ୍ତି। ଏଥିରେ ସେ ବୀମା କମ୍ପାନିଗୁଡ଼ିକୁ ବୀମା ଟଙ୍କା ତୁରନ୍ତ ପୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହି ଦୁଇଟି ଘୋଷଣା ନେଇ ଉଭୟ ବିଜେଡି ଏବଂ ବିଜେପି ଆନ୍ଦୋଳନରତ ଚାଷୀଙ୍କ ପାଖକୁ ପହଂଚିବେ। ଚାଷୀଙ୍କୁ ମନାଇବା ପରେ ହିଁ ନାମାଙ୍କନ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ ଏହି ପ୍ରକ୍ରିୟା ଏତେ ସହଜ ହେବ ନାହିଁ। କାରଣ ଜିଲ୍ଲା ଗଠନ ଦାବି ନେଇ ବି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲଛି। ଏହି ଦାବିକୁ କିଭଳି ପ୍ରମୁଖ ଦଳଗୁଡ଼ିକ ସମ୍ମୁଖୀନ କରିବେ, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର