ପଦ୍ମ ପୁରସ୍କାର ମନୋନୟନ/ସୁପାରିସ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ବେସାମରିକ ସର୍ବୋଚ୍ଚ ସମ୍ମାନ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ୍‌ ମନୋନୟନ/ସୁପାରିସ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୨୧ ମସିହା ପାଇଁ ମେ’ ୧ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। https://padmaawards.gov.in ରେ ସୁପାରିସ ଓ ମନୋନୟକ କରାଯାଇପାରିବ। ସାଧାରଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯିବ।

କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଭେଷଜ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଂଜିନିୟରିଂ, ଲୋକସେବା ବ୍ୟାପାର, ସିଭିଲ ସେବା, ବାଣିଜ୍ୟ ଓ ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଜାତି, ଧର୍ମ, ପେସା, ପଦ ପଦବି ଓ ଲିଙ୍ଗଗତ ବିଚାର ନିର୍ବିଶେଷରେ ଏ ସମ୍ମାନ ପ୍ରଦାନ କରାଯିବ। ସରକାରୀ କର୍ମଚାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ମଧ୍ୟ ଏହି ସମ୍ମାନ ପାଇପାରିବେ। ତେବେ ଡାକ୍ତର ଓ ବୈଜ୍ଞାନିକମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କ ପାଇଁ ଅନ୍ୟ ଜାତୀୟ ପୁରସ୍କାରର ବ୍ୟବସ୍ଥା ରହିଛି। ପଦ୍ମ ପୁରସ୍କାର ପାଇଁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିସ ଭିତ୍ତିରେ ମନୋନୀତ ହୋଇଥାଏ।

ଏ ସଂକ୍ରାନ୍ତ ମନୋନୟନ ଓ ସୁପାରିସରେ ସବିଶେଷ ତଥ୍ୟାବଳି ପ୍ରଦାନ କରିବାକୁ ପଡ଼ିବ। ଏଥିପାଇଁ ପଦ୍ମ ପୋର୍ଟାଲରେ ନିର୍ଦିଷ୍ଟ ଫର୍ମାଟ ରହିଛି। ମନୋନୟନ ଓ ସୁପାରିସପତ୍ର ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ୮ଶହ ଶବ୍ଦ ବିଶିଷ୍ଟ ଏକ ଆଲେଖ୍ୟ ଦେବାକୁ ପଡ଼ିବ। ସେ କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଏବଂ ସେ କ୍ଷେତ୍ରରେ ତାଙ୍କର ବିଶେଷ ଉପଲବ୍‌ଧି କ’ଣ ରହିଛି, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ପଡ଼ିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମର୍ମରେ ସବୁ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ଭାରତରତ୍ନ ଓ ପଦ୍ମବିଭୂଷଣପ୍ରାପ୍ତ ବ୍ୟକ୍ତିବିଶେଷ ଏବଂ ଅତି ଉତ୍କୃଷ୍ଟ ପ୍ରତିଷ୍ଠାନଗୁଡ଼ିକୁ ପତ୍ର ଲେଖି ଏଭଳି ପ୍ରତିଭାଶାଳୀ ଲୋକଙ୍କୁ ଏହି ସମ୍ମାନ ପାଇଁ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ନାମ ମନୋନୀତ/ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି। ଏପରିକି ଯୋଗ୍ୟ ବ୍ୟକ୍ତିବିଶେଷ ନିଜ ନାମ ମଧ୍ୟ ନିଜେ ସୁପାରିସ୍ କରିପାରିବେ ବୋଲି ସରକାର ଜଣାଇଛନ୍ତି। ମହିଳା, ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି, ତଫସିଲଭୁକ୍ତ ଜାତି ଓ ଉପଜାତିର ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗ ବ୍ୟକ୍ତି ତଥା ଅନ୍ୟ ଯେଉଁମାନେ ନିଃସ୍ୱାର୍ଥପର ଭାବେ ସମାଜସେବା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ସୁପାରିସ କରିବାକୁ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ‘ଆୱାର୍ଡସ୍‌ ଏଣ୍ଡ ମେଡାଲ୍‌ସ’ ଶୀର୍ଷକରେ ଏ ସଂକ୍ରାନ୍ତ ସବିଶେଷ ବିବରଣୀ ମିଳିପାରିବ। ଏଥିପାଇଁ www.mha.gov.in କୁ ଲଗ୍‌ଅନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଲିଙ୍କରେ https://padmaawards.gov.in/ ରେ ଥିବା AboutAwards.aspxକୁ ଲଗ୍‌ ଅନ୍‌ କରି ପୁରସ୍କାରର ନିୟମାବଳି ଦେଖି ହେବ।

ସମ୍ବନ୍ଧିତ ଖବର

Comments are closed.