ଯୋଗ ପୁରସ୍କାର -୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ

ବିଜେତାମାନଙ୍କର ନାମ ଅନ୍ତର୍ଜାତୀୟ ଯୋଗ ଦିବସରେ ଘୋଷଣା ହେବ

ଭୁବନେଶ୍ବର : ଆୟୁଷ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର- ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ (୨୧ ଜୁନ୍ ୨୦୨୨) ରେ ବିଜେତାମାନଙ୍କ ନାମ ଘୋଷଣା କରାଯିବ। ୨୦୨୨ ବର୍ଷ ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/) ରେ ଚାଲୁ ରହିଛି। ଆବେଦନ/ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍‌ରେ ଦାଖଲ କରାଯାଇପାରିବ। ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ। ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରାଯାଇପାରିବ। ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି। ଏହି ପୁରସ୍କାର କେବଳ ସେହି ଆବେଦକ/ ‌ମନୋନୀତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି।

ଯେଉଁ ବ୍ୟକ୍ତି ତଥା ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏର ପେଜ୍ https://innovateindia.mygov.in/pm-yoga-awards-2022/ କୁ ଯାଇ ନାମାଙ୍କନ ପ୍ରକ୍ରିୟାକୁ ବୁଝି ପାରିବେ ତଥା ଏଥିରେ ଅଂଶଗ୍ରହଣ କରିପାରିବେ। ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ ୨୮ ମାର୍ଚ ୨୦୨୨ରେ ଆରମ୍ଭ ହୋଇଛି। ପ୍ରବେଶିକା ଜମା କରିବାର ଅନ୍ତିମ ତାରିଖ ହେଲା ୨୭ ଏପ୍ରିଲ୍ ୨୦୨୨। ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦକ ମଧ୍ୟ ପ୍ରତ୍ୟକ୍ଷ ଭାବେ ଆବେଦନ ଦାଖଲ କରିପାରିବେ ବା ଯୋଗ କ୍ଷେତ୍ରରେ କାମ କରୁଥିବା କୌଣସି ପ୍ରମୁଖ ବ୍ୟକ୍ତି ବା ସଙ୍ଗଠନ ଦ୍ବାରା ନାମାଙ୍କିତ ହୋଇପାରିବେ। ଆବେଦକ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଜାତୀୟ ବା ଅନ୍ତର୍ଜାତୀୟ ପୁରସ୍କାର କ୍ଷେତ୍ରରେ ଗୋଟିଏ ପୁରସ୍କାର ବର୍ଗ ପାଇଁ ନାମାଙ୍କନ କରିପାରିବେ ବା ନିଜେ ନାମାଙ୍କିତ ହୋଇପାରିବେ।

Medlife

ଚୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦୁଇଟି କମିଟିର ଗଠନ କରିଛନ୍ତି। ଯାଞ୍ଚ କମିଟି ଓ ମୂଲ୍ୟାଙ୍କନ କମିଟି। ଯେଉଁମାନେ ପୁରସ୍କାର ପାଇଁ ବିଜେତାଙ୍କ ନାମକୁ ଚୂଡ଼ାନ୍ତ ରୂପ ପ୍ରଦାନ ପାଇଁ ଚୟନ ଓ ମୂଲ୍ୟାଙ୍କନ କରିବେ। ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷତା କ୍ୟାବିନେଟ୍ ସଚିବ କରିବେ। ଯୋଗ ମଣିଷକୁ ଶାରୀରିକ ଓ ମାନସିକ ଆରୋଗ୍ୟର ବାର୍ତ୍ତା ପ୍ରଦାନ କରିଥାଏ। କୋଭିଡ୍-୧୯ ମହାମାରୀ ସମୟରେ ଏହି ବାର୍ତ୍ତା ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି। ସମଗ୍ର ବିଶ୍ବର ଲୋକମାନେ ସୁସ୍ଥ ରହିବା ଏବଂ ଶକ୍ତି ସଞ୍ଚାର ପାଇଁ ଯୋଗକୁ ନିଜ ଜୀବନରେ ସାମିଲ୍ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଯୋଗକୁ ମିଳୁଥିବା ପରିଚୟ ଏବଂ ତାହାକୁ ଗ୍ରହଣ କରିବାର ଭାବନା ସେହି ସମୟରେ ଅଧିକ ବ୍ୟାପକ ହୋଇପାରିଥିଲା, ଯେତେବେଳେ ଜାତିସଂଘ ୨୦୧୪ ବର୍ଷରେ ପ୍ରସ୍ତାବ ୬୯/୧୩୧ ମାଧ୍ୟମରେ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କଲେ।

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ୧୩ ମାର୍ଚ ୨୦୨୨ ଠାରୁ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଶହେ ଦିନର ଏହି କାଉଣ୍ଟ ଡାଉନ୍ ଶହେଟି ସହରର ଶହେଟି ଅନୁଷ୍ଠାନକୁ ସାମିଲ୍ କରିବ। ଏହି ପ୍ରକ୍ରିୟା ୨୧ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଜାରିରହିବ। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଯୋଗାଭ୍ୟାସର ପ୍ରଦର୍ଶନ ୨୧ ଜୁନ୍ ୨୦୨୨ ରେ ୭୫ଟି ପ୍ରମୁଖ ସାଂସ୍କୃତିକ ସ୍ଥାନରେ ମଧ୍ୟ କରାଯିବ। ଉପରୋକ୍ତ ଶହେ ଦିନରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ପ୍ରଦର୍ଶନ, କର୍ମଶାଳା ଏବଂ ଆଲୋଚନାଚକ୍ରର ଆୟୋଜନ କରାଯିବ। ମନ୍ତ୍ରାଳୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏମୟୋଗା ଆପ୍, ନମସ୍ତେ ଆପ୍, ୱାଇ-ବ୍ରେକ୍ ଆପ୍ଲିକେସନ ତଥା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ଉପକାରିତାକୁ ପ୍ରସାରିତ କରିବେ। ‘ମାଇଁ ଗଭ୍ ପ୍ଲାଟଫର୍ମ’ରେ ଚାଲୁ ରହିଥିବା କାର୍ଯ୍ୟକ୍ରମରେ ଫଟୋ ପ୍ରତିଯୋଗିତା, ସାଧାରଣ ଜ୍ଞାନ, ଆଲୋଚନା, ଶପଥ, ସର୍ବେକ୍ଷଣ ଓ ଜିଙ୍ଗିଲ୍ ଆଦି ସାମିଲ୍ ହୋଇଛି।

ସମ୍ବନ୍ଧିତ ଖବର