ରାଉରକେଲା: ସରିଲା ପଞ୍ଚାୟତ ନିର୍ବାଚନ। ରାଜ୍ୟରେ ବାଜିମାତ ମାରିଛି ବିଜେଡି। ଆଶା ଠାରୁ ବହୁ ଅଧିକ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି। ସାରା ରାଜ୍ୟରେ ଜିଲ୍ଲା ପରିଷଦ ଗଢ଼ିବାକୁ ଯାଉଛି। ନିରାଶ ହେବାକୁ ପଡିଛି ଉଭୟ ବିଜେପି ଓ କଂଗ୍ରେସକୁ। ଏସବୁ ଭିତରେ ହେବାକୁ ଯାଉଛି ପୌର ନିର୍ବାଚନ। ବୁଧବାର ଠାରୁ ମହାନଗର ନିଗମ, ପୌରପାଳିକା ଓ ଏନ୍ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ। ପ୍ରକ୍ରିୟା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତରବରିଆ ଭାବେ ପୌର ନିର୍ବାଚନ ଘୋଷଣାକୁ ନେଇ ବିଜେଡି ବେଶ୍ ଖୁସି। ପଞ୍ଚାୟତ ନିର୍ବାଚନ ଫଳାଫଳରୁ କଂଗ୍ରେସ ଓ ବିଜେପି ନିର୍ବାଚନ ବୈତରଣୀ ପାରି ହେବାକୁ ଢ଼େର ଚିନ୍ତିତ। ସୁନ୍ଦରଗଡ ଜିଲ୍ଲାରେ ରାଉରକେଲା ମହାନଗର ନିଗମ ନିର୍ବାଚନ ବନ୍ଦ ରହିଛି। ହେବାକୁ ଯାଉଛି ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକା ନିର୍ବାଚନ।
ଉଲ୍ଲେଖନୀୟ ଯେ ଗତ ନିର୍ବାଚନରେ ବିଜେଡି ବୀରମିତ୍ରପୁର ପୌରପାଳିକା ଦଖଲ କରିଥିଲା। ମୋଟ ୧୧ରୁ ୬ଟି ୱାର୍ଡ ବିଜେଡି ଖାତାକୁ ଯାଇଥିଲା। କଂଗ୍ରେସ ଗୋଟିଏ, ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ଦୁଇଟି ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିଲେ। ଏଥର ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରଭାବ ନିଶ୍ଚିତ ଭାବେ ପୌରପାଳିକାରେ ପଡିବ। ଏ ଦୃଷ୍ଟିକୋଣରୁ ବିଜେଡି ସମସ୍ତ ୧୧ ୱାର୍ଡକୁ ଦଖଲ କରିବାକୁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଇଛି। କେଉଁ ୱାର୍ଡରେ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦେବ, ତା’ ମଧ୍ୟ ଆପାତତଃ ସ୍ଥିର ହୋଇ ସାରିଛି।
ବୀରମିତ୍ରପୁର:୧୧ ୱାର୍ଡରେ ମୋଟ ଭୋଟର ୨୪,୦୪୦
ଅଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେଡିର ଏକାଧିକ ଆଶାୟୀ
ଅଧ୍ୟକ୍ଷ ଓ କାଉନସିଲର ପାଇଁ ପୃ୍ଥକ ମତଦାନ ହେଉଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ତାଲିକା ବେଶ୍ ଲମ୍ବା ରହିଛି। ଯାହା ତିନି ପ୍ରମୁଖ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ବିଜୟ ଅଧିକ ସମ୍ଭାବନା ଥିବାରୁ ଶାସକ ଦଳ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବେଶି। ବିଜେଡିର ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ସନ୍ଦୀପ ମିଶ୍ର। ତାଙ୍କ ବାପା ପୂର୍ବରୁ ଦୁଇ ଦୁଇଥର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିଥିଲେ। ସେ ବୀରମିତ୍ରପୁର ପୌରପାଳିକାରେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ। ଦ୍ବିତୀୟ ସ୍ଥାନରେ ରହିଛନ୍ତି ବିଜେଡିର ସହର ସଭାପତି କୁନା ଦେଓ। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ବିକାଶ ବରୁଆ ଓ ଫଲ୍ ଚାନ୍ଦ। ଏମାନଙ୍କ ସହ ବିଜେଡିର ଆଉ କିଛି ନେତା ମଧ୍ୟ ନିଜ ନିଜ ସ୍ତରରେ ଟିକେଟ ପାଇବାକୁ ଲବି ଆରମ୍ଭ କରି ଦେଇଛନ୍ତି। ବିଜେପିରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି।
ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ବୀରମିତ୍ରପୁର ପ୍ରତିନିଧି ରାଜେଶ ଅଗ୍ରୱାଲଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସେମିତି ପୂର୍ବତନ ସହର ସଭାପତି ସୁନୀଲ ତିୱାରୀ, ବିନୋଦ ଅଗ୍ରୱାଲ ଓ କୁମାଲ ଗୌରବ ମଧ୍ୟ ଅଧ୍ୟକ୍ଷ ରେସ୍ରେ ରହିଛନ୍ତି। କଂଗ୍ରେସର ଅଧ୍ୟକ୍ଷ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟ ତାଲିକା କିଛି କମ୍ ନୁହେଁ। ସବୁଠୁ ଆଗରେ ରହିଛନ୍ତି ଶଶି ସାଗର। ସେ ପୂର୍ବରୁ ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ଥିଲେ। ଏଥିସହ ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ଜର୍ଜ ତିର୍କୀଙ୍କର ଏକାନ୍ତ ଅନୁଗତ।
ଦ୍ବିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ସହର ସଭାପତି ବିକ୍ରମ ପଟ୍ଟନାୟକ ଓ ଅନ୍ୟମାନେ। ଅଧ୍ୟକ୍ଷ ପଦକୁ ବାଦ୍ ଦେଲେ କଂଗ୍ରେସ ଓ ବିଜେପି ୧୧ଟି ୱାର୍ଡରେ ଉପଯୁକ୍ତ କାଉନସିଲର ପ୍ରାର୍ଥୀ ଖୋଜୁଛି। କାରଣ ଉପଯୁକ୍ତ ପ୍ରାର୍ଥୀ ନ ଦେଲେ ପଞ୍ଚାୟତ ନିର୍ବାଚନ ପରି ଫଳ ଭୋଗିବାକୁ ପଡ଼ିପାରେ। ବିଜେଡି ଛିଡା କରୁଥିବା କାଉନସିଲର ପ୍ରାର୍ଥୀଙ୍କୁ ଟକ୍କର ଦେବା ଭଳି ପ୍ରାର୍ଥୀଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଛିଡା କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୀରମିତ୍ରପୁର ବିଧାୟକ ଥିଲେ ଜର୍ଜ ତିର୍କୀ ଓ ଏବେ ଅଛନ୍ତି ବିଜେପିର ଶଙ୍କର ଓରାମ।
ସେପଟେ ବିଜେଡିର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ନିର୍ବାଚନ ମଙ୍ଗ ଧରିବେ। ଯାହାଙ୍କ ରଣକୌଶଳ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି। ସେହିପରି ଦୁଇ ତୁଙ୍ଗ ବିଧାୟକ ଶଙ୍କର ଓରାମ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ ନିର୍ବାଚନର ନେତୃତ୍ବ ନେବେ। ଦୁଇ ନେତା ବୀରମିତ୍ରପୁର ପୌର ନିର୍ବାଚନର ୧୧ ୱାର୍ଡରୁ କେତୋଟି ୱାର୍ଡ ଦଖଲ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଜନଗଣନା ଅନୁଯାୟୀ ବୀରମିତ୍ରପୁର ପୌରପାଳିକାର ମୋଟ ଜନସଂଖ୍ୟା ଥିଲା ୩୩, ୪୪୨। ଏମାନଙ୍କ ମଧ୍ୟରେ ୧୬,୮୫୪ ହେଉଛନ୍ତି ପୁରୁଷ। ମହିଳା ସଂଖ୍ୟା ୧୬, ୫୮୮। ତେବେ ଏହି ନିର୍ବାଚନରେ ମତଦାତା ହେଉଛନ୍ତି ୨୪ ହଜାର ୪୦ ଭୋଟର।