କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା

ପୁରୀ : ଗତ ୨୦୧୪ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା କାକଟପୁର ବ୍ଲକ୍‌ର ସଦ୍ୟ ନିର୍ବାଚିତ ପଞ୍ଚାୟତ ସମିତିଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ନାମରେ ଏବେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ସେ ଜାମିନ ପାଇଁଥି‌ଲେ ମଧ୍ୟ କୋର୍ଟରେ ପରବର୍ତ୍ତୀ ସମୟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଏହି ପରୱାନା ଜାରି କରାଯାଇଛି। ତେଣୁ ତାଙ୍କୁ ଗିରଫ କରିବା ପାଇଁ କାକଟପୁର ଥାନା ପୁଲିସ ତାଙ୍କ ଘରେ ଚଢ଼ଉ କରିଛି। ଅପରପକ୍ଷେ ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି, ଯେଉଁ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି, ତା ବିରୋଧରେ ସେ ହାଇକୋର୍ଟରୁ ଜାମିନ ପାଇଛନ୍ତ। ଆସନ୍ତା ସୋମବାର ଦିନ ସେ କୋର୍ଟଙ୍କ ଅର୍ଡର ଥାନାରେ ଦାଖଲ କରିବେ ବୋଲି କହିଛନ୍ତି।

କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକ କହିଛନ୍ତି ଯେ ବର୍ତ୍ତମାନର କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଗତ ୨୦୧୪ ମସିହା ସମୟରେ ଏକ ବ୍ୟାଣ୍ଡ ପାର୍ଟିର ମାଲିକ ଥିଲେ। ସେ ସମୟରେ ତାଙ୍କ ବ୍ୟାଣ୍ଡ ପାର୍ଟିରେ କଟକ ସଦର ଥାନା ଅଞ୍ଚଳର ଜଣେ ବିବାହିତା ମହିଳା କଣ୍ଠଶିଳ୍ପୀ ଭାବେ କାମ କରୁଥିଲେ। ୨୦୧୪ ମସିହାରେ ଏହି ମହିଳା ଜଣକ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ଯେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ କାକଟପୁର ଆସିଥିବା ବେଳେ ଶ୍ରୀ ନାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ଦୁଷ୍କର୍ମ ଘଟଣାଟି କାକଟପୁର ଥାନା ଅଞ୍ଚଳରେ ହୋଇଥିବାରୁ କଟକ ସଦର ଥାନା ପୁଲିସ ଏହି ଅଭିଯୋଗକୁ କାକଟପୁର ଥାନାକୁ ପଠାଇ ଦେଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି କାକଟପୁର ଥାନା ପୁଲିସ ୨୩/୧୪ ନମ୍ବରରେ ମାମଲା ରୁଜୁ କରି ଶ୍ରୀ ନାୟକଙ୍କୁ ଗିରଫ କରିଥିଲା। ମାତ୍ର ଏହି ମାମଲାରେ ସେ ଜାମିନରେ ଆସିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟରେ ହାଜର ‌ନହେବାରୁ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ତାଙ୍କ ନାମରେ ଗିରଫ ପରୱାନା ଜାରି କରାଯାଇଥିବାରୁ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘରେ ଚଢ଼ଉ କରିଥିଲା। କିନ୍ତୁ ଶ୍ରୀ ନାୟକ ଘରେ ନଥିଲେ ବୋଲି କାକଟପୁର ଥାନା ଆଇଆଇସି ପ୍ରିୟରଞ୍ଜନ ନାୟକ କହିଛନ୍ତି। ଅପରପକ୍ଷେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି, ଯେ ତାଙ୍କ ନାମରେ ଥିବା ୱାରେଣ୍ଟ ନେଇ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଏ ସମ୍ପର୍କିତ ଦସ୍ତାବିଜ୍‌ ସୋମବାର ଦିନ କାକଟପୁର ଥାନାରେ ଦାଖଲ କରିବେ ବୋଲି ଶ୍ରୀ ନାୟକ କହିଛନ୍ି

ସମ୍ବନ୍ଧିତ ଖବର