ଖାଉଟି ଅଦାଲତରେ ଲୋ-ଭୋଲ୍‌ଟେଜ୍‌ ମାମଲା: ତିନି ଯନ୍ତ୍ରୀଙ୍କ ନାଁରେ ଜାମିନ୍‌ ବିହୀନ ଗିରଫ ପରୱାନା

ଅନୁଗୁଳ : ବିଦ୍ୟୁତ୍‌ ଯୋଗାଣରେ ଲୋ-ଭୋଲ୍‌ଟେଜ୍‌। କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧୀକ୍ଷଣ ଯନ୍ତ୍ରୀ ଯାଏଁ, ସେସୁର ସବୁ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ବରଂ ଓଲଟା ବିଦ୍ୟୁତ୍‌ ବିଭାଗର ଆକ୍ରୋଶର ଶିକାର ହେଲେ। ବିଦ୍ୟୁତ୍‌ ଲୋଡ୍‌ ୫କିଲୋୱାଟ୍‌କୁ ବଢ଼ାଇ ଦେଲେ। ଏ ପ୍ରକାର ଅନ୍ୟାୟ ଏବଂ ଶୋଷଣ ବିରୋଧରେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଭରତପୁର ନେହରୁ ଶତାବ୍ଦୀନଗର ବଡ଼ସିଂଘଡ଼ା ସ୍କୁଲ୍‌ ସାହିର ଉପମା ପ୍ରଧାନ ଅନୁଗୁଳ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ଦ୍ବାରସ୍ଥ ହୋଇଥିଲେ। ଆୟୋଗ ମାମଲାର ବିଚାର କରି ବିଦ୍ୟୁତ୍ ବିଭାଗ ଉପରେ ୮୦ ହଜାର ଟଙ୍କାର ଜରମାନା ଦଣ୍ଡାଦେଶ ଦେଇଥିଲେ। କିନ୍ତୁ ଆଦେଶକୁ ଅବମାନନା କରିବାରୁ ଖାଉଟି ଅଦାଲତ ବଡ଼ ପଦକ୍ଷେପ ନେଇଛନ୍ତି। ସେସୁ ଚାଇଁପାଳ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ୍), ଢେଙ୍କାନାଳ ସର୍କଲ୍‌ର ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନିୟର(ଇଲେକ୍ଟ୍ରିକାଲ୍) ଏବଂ ସେସୁର ମ୍ୟାନେଜରଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲୁ) ଜାରି କରିଛନ୍ତି। ଏନେଇ ଅନୁଗୁଳ ଏସ୍‌ପିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ଅଧିକାରୀଙ୍କୁ ଆସନ୍ତା ୧୫ତାରିଖ ଦିନ ଆୟୋଗରେ ହାଜର କରିବାକୁ କୁହାଯାଇଛି। ଖାଉଟି ଅଦାଲତରେ ତିନି ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଏ ପ୍ରକାର ଏନ୍‌ବିଡବ୍ଲୁ କେବଳ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନୁହେଁ, ବରଂ ଅନୁଗୁଳ ଜିଲ୍ଲା ଖାଉଟି ମାମଲା ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

lmd.lk

ଏହି ସମସ୍ୟାର ଆରମ୍ଭ ହୋଇଥିଲା ୨୦୧୮ମସିହା ମାର୍ଚ୍ଚ ୧୮ତାରିଖରୁ। ଅଭିଯୋଗକାରିଣୀ ଶ୍ରୀମତୀ ପ୍ରଧାନଙ୍କ ଲିଖିତ ଅଭିଯୋଗ ମୁତାବକ, ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ଥିବାରୁ ଅଞ୍ଚଳର ୩୩ଟି ପରିବାର ଏକାଠି ହୋଇ ଏକ ନୂଆ ଟ୍ରାନ୍‌ସଫର୍ମର ଲଗାଇବାକୁ ବୈଠକ କରିଥିଲେ। ତତ୍‌ ମୁତାବକ ବିଦ୍ୟୁତ୍‌ ବିଭାଗ ସେଠାରେ ଏକ ନୂଆ ଟ୍ରାନ୍‌ସଫର୍ମର ଖଞ୍ଜିଥିଲା। କିନ୍ତୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କର ଅଯଥା ହସ୍ତକ୍ଷେପ ଯୋଗୁଁ ଶ୍ରୀମତୀ ପ୍ରଧାନଙ୍କ ଘରକୁ ନୂଆ ଟ୍ରାନ୍‌ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ ମିଳିଲା ନାହିଁ କି ଲୋ-ଭୋଲଟେଜ୍‌ ସମସ୍ୟା ଦୂର ହେଲାନାହିଁ। ତେଣୁ ଶ୍ରୀମତୀ ପ୍ରଧାନଙ୍କ ସ୍ବାମୀ ଦିବାକର ପ୍ରଧାନ ଏନେଇ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ ଯାଏ ସବୁଠି ଲିଖିତ ଅଭିଯୋଗ କଲେ। ଏମିତିକି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବି ଫେରାଦ ହେଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଇତିମଧ୍ୟରେ ଶ୍ରୀମତୀ ପ୍ରଧାନଙ୍କ ମିଟର ଜଳିଗଲା। ତେଣୁ ନୂଆ ମିଟର ପାଇଁ ଅନୁରୋଧ ପରେ ବି ତାଙ୍କୁ ନ ମିଳିବାରୁ ସେ ବିଦ୍ୟୁତ୍‌ ବିଭାଗ ଆମ୍ବୁଡ୍‌ସମ୍ୟାନ୍‌ଙ୍କ ଦ୍ବାରସ୍ଥ ହୋଇଥିଲେ। ୧୫ଦିନ ମଧ୍ୟରେ ଆମ୍ବୁଡ୍‌ସମ୍ୟାନ୍‌ ନୂଆ ମିଟର ଲଗାଇବା ସହିତ ବିଦ୍ୟୁତ୍‌ ସମସ୍ୟାର ସମାଧାନ କରିବାକୁ ସେସୁକୁ ନିର୍ଦ୍ଦେଶ ଦେଇଥିଲେ।

ବିଭାଗୀୟ କର୍ମଚାରୀ ନୂଆ ମିଟର ଲଗାଇଲେ ସିନା କିନ୍ତୁ ବିଦ୍ୟୁତ୍‌ ଲୋଡ୍‌ ୫କିଲୋୱାଟ୍‌ ବୃଦ୍ଧି କରାଇଲେ। ଯାହାକୁ ନେଇ ଶ୍ରୀମତୀ ପ୍ରଧାନଙ୍କ ପରିବାର କ୍ଷୋଭ ପ୍ରକାଶ କରିବା ସହିତ କେଉଁଥି ପାଇଁ ଲୋଡ୍ ବଢ଼ାଗଲା ବୋଲି ପ୍ରଶ୍ନ କରିଥିଲେ। ଏହି ବିରୋଧକୁ ନେଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ନାଁରେ ବିକ୍ରମପୁର ଥାନାରେ ଏତଲା ଦିଆଯାଇଥିଲା। ବିଦ୍ୟୁତ୍‌ ଲୋଡ୍‌କୁ ନେଇ ଶ୍ରୀ ପ୍ରଧାନ ପୁନଶ୍ଚ ଟିପିସିଓଏଲ୍‌ଡିରେ ଅଭିଯୋଗ କଲା ପରେ ବିଦ୍ୟୁତ୍‌ ୫କିଲୋୱାଟ୍‌ରୁ ୩.୫କିଲୋୱାଟ୍‌କୁ କମ୍‌ କରାଯାଇଥିଲା। ଏ ପ୍ରକାର ବିଦ୍ୟୁତ୍‌ ବିଭ୍ରାଟ୍‌ ନେଇ ଶ୍ରୀମତୀ ପ୍ରଧାନ ୨୦୨୦ମସିହା ଅକ୍ଟୋବର ମାସ ୭ତାରିଖ ଦିନ ଖାଉଟି ବିଚାର ଆୟୋଗର ଦ୍ବାରସ୍ଥ ହୋଇଥିଲେ। ଆୟୋଗର ସଭାପତି ଏସ୍‌.କେ. ସାହୁଙ୍କ ନେତୃତ୍ବରେ ଏ ମାମଲାର ଶୁଣାଣି ହୋଇଥିଲା। ଗତବର୍ଷ ସେପ୍ଟେମ୍ବର ୨୮ତାରିଖରେ ଆୟୋଗ ଏ ପ୍ରକାର ଅବହେଳା ପାଇଁ ସେସୁକୁ ୮୦ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ଦେଇଥିଲେ। ମାସକ ମଧ୍ୟରେ ନିର୍ଦ୍ଦେଶ ଅନୁପାଳନ ନ ହେଲେ ବାର୍ଷିକ ୧୦ପ୍ରତିଶତ ସୁଧ ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କର୍ତୃପକ୍ଷ ଆୟୋଗର ନିର୍ଦ୍ଦେଶନାମାକୁ ଖାତିର ନ କରିବାରୁ ଆୟୋଗ କ୍ଷୁବ୍ଧ ହୋଇଛନ୍ତି। ଉପରୋକ୍ତ ତିନି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଆସନ୍ତା ୧୫ତାରିଖ ସୁଦ୍ଧା ଏହି ତିନି ଅଧିକାରୀଙ୍କୁ ଆୟୋଗ ନିକଟରେ ହାଜର କରାଇବାକୁ ଅନୁଗୁଳ ଏସ୍‌ପିଙ୍କୁ ଚିଠି କରିଛନ୍ତି।

ସମ୍ବନ୍ଧିତ ଖବର