ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକୁ ମାନିଲେନି। ପୁଲିସକୁ ଖାତିର କଲେନି। ବିନା ବାଧାରେ ଗୁରୁବାର ସନ୍ଧ୍ୟା ହେଉ ହେଉ ଆରମ୍ଭ ହୋଇଗଲା ଢୋ…‌ଢା। ରାଜଧାନୀରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଲା। କିଏ ଛାତ ଉପରୁ ସୁଁ ସାଁ କରି ରକେଟ୍‌ ଛାଡ଼ିଲେ ତ କିଏ ବିଚ୍‌ରାସ୍ତାରେ ଭିଡ଼ାବୋମା ଫୁଟାଇଲେ। କେଉଁଠି ସୂତୁଲି ବାଣ ତ କେଉଁଠି ବକ୍ସ ସଟ୍‌। କୁମ୍ପି, କୋନ୍‌, ଝରଝରିର ଆଖିଝଲସା ନିଆଁ ଆଉ ଧୂଆଁ। ସନ୍ଧ୍ୟାଠାରୁ ରାତି ଯାଏଁ ‘ସବୁଜ ବାଣ’ ନାଁରେ ଫୁଟିଲା ନିଷିଦ୍ଧ ବାଣ। ଲାଗୁଥିଲା ଯେପରି ସମସ୍ତଙ୍କ ମନରୁ ପରିବେଶ ସୁରକ୍ଷା ଭାବନା ଉଭେଇ ଯାଇଛି। ଛୋଟ ପିଲା ତ ଫୁଟାଇଲେ। ସେମାନଙ୍କ ବାପା, ଦାଦା, ମାମୁଁ, ମଉସା ଓ ବଡ଼ଭାଇମାନେ ମଧ୍ୟ ସଞ୍ଜ ନହେଉଣୁ ନିଜ କର୍ତ୍ତବ୍ୟ ଭୁଲିଗଲେ। ପରିଣାମ ସ୍ବରୂପ ଭୁବନେଶ୍ବର, ଅନୁଗୁଳ, ତା‌ଳଚେର ସହରର ବାୟୁ ପ୍ରଦୂଷଣ ହଠାତ୍‌ ବଢ଼ିଯାଇଛି। ଅବଶ୍ୟ ଆଜି ସକାଳେ ଭୁବନେଶ୍ବର ସହ କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାରୁ ବାୟୁ ପ୍ରଦୂଷଣ ମାତ୍ରା କମିବା ସହ ଲୋକେ ଟିକିଏ ଆଶ୍ବସ୍ତି ଲାଭ କରିଛନ୍ତି।

Advertisment

ଢୋ...ଢାରେ ବ୍ୟାପିଗଲା ନିଆଁ ଆଉ ଧୂଆଁ
ଖରାପ ସ୍ତରରେ ରହିଛି ଅନୁଗୁଳ ଓ ତାଳଚେର
ଭୁବନେଶ୍ବର ପାଇଁ ବରଦାନ ସାଜିଲା ବର୍ଷା

ତଥାପି କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ତଥ୍ୟ ଅନୁଯାୟୀ ଆଜି ଅପରାହ୍ଣ ୪ଟା ବେଳକୁ ଅନୁଗୁଳରେ ଏକ୍ୟୁଆଇ(ପିଏମ୍‌୨.୫) ମାତ୍ର ୨୫୯ ତଥା ଖରାପ ସ୍ତରରେ ରହିଥିଲା। ଏହାବ୍ୟତୀତ ତାଳଚେରରେ ପିଏମ୍‌୨.୫ ମାତ୍ରା ୨୩୭, ରାଉରକେଲାରେ ପିଏମ୍‌୨.୫ ମାତ୍ରା ୧୬୨, ଭୁବନେଶ୍ବରରେ ପିଏମ୍‌୨.୫ ମାତ୍ରା ୧୩୫, ବାଲେଶ୍ବରରେ ପିଏମ୍‌୧୦ ମାତ୍ରା ୧୦୪, କଟକରେ ପିଏମ୍‌୨.୫ ମାତ୍ରା ୧୦୧ ଥିଲା। କେନ୍ଦୁଝରରେ ପିଏମ୍‌୨.୫ ମାତ୍ରା ୬୨ ରହିଥିଲା, ଯାହାକି ସନ୍ତୋଷଜନକ। ଲୋକମାନେ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ ବୋଲି କୁହାଯାଇଥିଲା। ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ଆପତ୍ତିଜନକ ବାଣ ଫୁଟାଇବାକୁ ବାରଣ ହୋଇଥିଲା। ହାତଭିଡ଼ା ବାଣ ବଦଳରେ ୧୧୦ରୁ ୧୨୫ ଡେସିବେଲ୍‌ ମଧ୍ୟରେ ଥିବା ସବୁଜବାଣ ଫୁଟାଇବାକୁ ନିର୍ଦ୍ଦେଶ ଥିଲା। ହେଲେ ଅମାନିଆଙ୍କୁ କାଟୁ କଲାନି କୌଣସି ନୀତି ନିୟମ। ବାଣ ଫୁଟାଇ ପରିବେଶକୁ ପ୍ରଦୂଷିତ କରିଦେଲେ। ଆଉ ସବୁ ଜାଣି ସମସ୍ତେ ଚୁପ୍‌। କୌଣସି ସ୍ତରରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ.ମୁରୁଗେସନଙ୍କ କହିବା କଥା ହେଉଛି ଗୁରୁବାର ସନ୍ଧ୍ୟାରେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ଏକ୍ୟୁଆଇ ଖରାପ ହୋଇଥିଲା। ବୁଧବାର ସକାଳେ ସହରର ଏକ୍ୟୁଆଇ ୬୦ରୁ ୭୦ ମଧ୍ୟରେ ଥିଲା। ମାତ୍ର ସନ୍ଧ୍ୟା ବେଳକୁ ତାହା ୧୦୦ରେ ପହଞ୍ଚିଥିଲା। ଗୁରୁବାର ସନ୍ଧ୍ୟାରେ ବାଣ ଫୁଟିବା ଦ୍ବାରା ବାୟୁ ପ୍ରଦୂଷଣ ପୁଣି ବୃଦ୍ଧି ପାଇ ୨୩୦ରୁ ୨୪୦ ମଧ୍ୟରେ ପହଞ୍ଚି ଯାଇଥିଲା।

 ଆଜି ସକାଳେ ଭୁବନେଶ୍ୱରରେ ବର୍ଷା ହେବାରୁ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇ ୧୩୩ ପହଞ୍ଚିଛି। ବାଣ ଫୁଟିବା ପରେ ରାଉରକେଲା ଓ ବାଲେଶ୍ବରର ଏକ୍ୟୁଆଇ ୧୦୦ ଉପରେ ଥିବା ବେଳେ ତାଳଚେରରେ ୨୫୬ରେ ପହଞ୍ଚିଥିଲା। ଉତ୍ତର ଭାରତରେ ଏକ୍ୟୁଆଇ ୩୦୦ ଉପରେ ରହିବା ସହ ଇଣ୍ଡୋ ଗାଙ୍ଗେଟିକ୍‌ ଅଞ୍ଚଳରେ ସ୍ଥିତି ଖରାପ ହେବାରୁ ତାହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା ଓ ବାଲେଶ୍ୱର ସହର ଉପରେ ପଡ଼ୁଛି। ୨୦୨୨ରେ ପ୍ରଦୂଷଣ ମାତ୍ରା ଅଧିକ ଥିଲା। ୨୦୨୩ରେ କିଛିଟା କମିଥିବା ବେଳେ ଏବର୍ଷ ଆହୁରି ହ୍ରାସ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ବାଣଫୁଟା କଟକଣା ଜାରି କରିଥିଲୁ। ଲୋକଙ୍କୁ ଅନୁରୋଧ କରିଥିଲୁ। ଗତକାଲି ସକାଳେ ବାୟୁର ମାନ ଠିକ୍‌ ଥିବା ବେଳେ ରାତିରେ ଅଧିକ ଫୁଟିବାରୁ ଏଭଳି ଅବସ୍ଥା ହୋଇଛି। ନଭେମ୍ବର ୩ ତାରିଖ ଯାଏଁ ବାୟୁ ସ୍ଥିତି ସମୀକ୍ଷା କରି କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।