ରତ୍ନାକର ଭୋଇ
ସମ୍ବଲପୁର: ମହାନଦୀକୁ ନେଇ ଓଡ଼ିଶାର ନ୍ୟାଯ୍ୟ ସ୍ବାର୍ଥ ସହ ଖେଳ ଖେଳି ଆସୁଥିବା ଛତିଶଗଡ଼ର ଆଉ ଏକ ଚାଲ୍ ଧରାପଡ଼ିଛି। ହୀରାକୁଦ ଜଳଭଣ୍ଡାରର ଗଭୀରତା କାମ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିରେ ସେ ସହଯୋଗ କରିନାହିଁ। ମାପ ସରିଥିଲେ ହୁଏତ କଲମା ବ୍ୟାରେଜ୍ ସହିତ ବିଭିନ୍ନ ସମୟରେ ଏହି ପଡ଼ୋଶୀ ରାଜ୍ୟ ଦେଉଥିବା ତଥ୍ୟ ଧରାପଡ଼ିଥା’ନ୍ତା। ବୋଧହୁଏ ତାହାକୁ ଦୃଷ୍ଟିରେ ରଖି ନିଜ ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟ ପାଇଁ ଅନୁମତି ଦେଇନାହିଁ। ଫଳରେ, ଗଭୀରତା ମପା କାମ ଅଧାରୁ ବନ୍ଦ ରହିଛି।
ମହାନଦୀରେ ଛତିଶଗଡ଼ ସରକାର ଚେକ୍ଡ୍ୟାମ୍ ଓ ବ୍ୟାରେଜ ନିର୍ମାଣ ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ହ୍ରାସ ପାଉଛି। ଏପଟେ ପଟୁ ମାଟି ଯୋଗୁ ହୀରାକୁଦ ଜଳଭଣ୍ଡାର ପୋତି ହେବାରେ ଲାଗିଛି। ଜଳଭଣ୍ଡାରରେ କେତେ ପାଣି ରହୁଛି ଏବଂ କେତେ ପରିମାଣର ପଟୁମାଟି ପୋତି ହୋଇଛି, ତାହା ଜାଣିବା ନିମନ୍ତେ ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣରେ ଭିନ୍ନ ଭିନ୍ନ ତଥ୍ୟ ଆସିଛି। ଏଭଳି ସ୍ଥିତିରେ ହୀରାକୁଦର ଜଳଧାରଣ କ୍ଷମତା ଓ ପଟୁମାଟିର ପରିମାଣ ଜାଣିବା ନିମନ୍ତେ ଟ୍ରିବ୍ୟୁନାଲଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ବାଥ୍ମେଟ୍ରିକ ସର୍ବେକ୍ଷଣ ପାଇଁ ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି, ତାହା ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ଦ୍ବାରା ସ୍ପଷ୍ଟ ଚିତ୍ର ମିଳିବା ନେଇ ଓଡ଼ିଶା ସରକାର ଆଶା ରଖିଥିଲେ। ଏଥିପାଇଁ ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ (ବାଥ୍ମେଟ୍ରିକ ସର୍ଭେ) ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସିଏଟ୍ ଇଂଜିନିୟରିଂ ନାମକ ଏକ ସଂସ୍ଥାକୁ ଏହି ଟେଣ୍ଡର ମିଳିଥିଲା। ବୈଜ୍ଞାନିକ ପଦ୍ଧତିରେ ହୀରାକୁଦ ଜଳଣ୍ଡାରର ଗଭୀରତା ମାପ ପାଇଁ ସିଏଟ୍ ଇଂଜିନିୟରିଂ ମଧ୍ୟ ବେଶ୍ ତତ୍ପରତା ଦେଖାଇଥିଲା। ଗଭୀରତା ଜାଣିବା ପାଇଁ ଜଳଭଣ୍ଡାରର ଉଭୟ ତଳ ମୁଣ୍ଡ ଓ ଉପର ମୁଣ୍ଡରେ ଗ୍ରିଡିଂ କରି ମହାନଦୀ ଶଯ୍ୟାରୁ ମାପ ନେବାସହିତ ଜଳଭଣ୍ଡାରର ଭିତରେ ଏହା ମାପନେବାର ଯୋଜନା ରହିଥିଲା। ସିଏଟ୍ ଇଂଜିନିୟରିଂ ପକ୍ଷରୁ ଏଥିପାଇଁ ଜିପିଏସ୍ ବ୍ୟବହାର କରାଯାଇଥିଲା। ପ୍ରଥମେ ଜଳଭଣ୍ଡାର ତଳ ମୁଣ୍ଡରେ ମହାନଦୀ ଶଯ୍ୟାରେ ଗ୍ରିଡିଂ କରି ମାପ ନିଆଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ଏହି ସଂସ୍ଥାର ବୈଷୟିକ ବିଶେଷଜ୍ଞମାନେ ବୋଟ୍ରେ ବସି ଏକ ଅତ୍ୟାଧୁନିକ ଯନ୍ତ୍ର ସହାୟତାରେ ଜଳଭଣ୍ଡାରର ବିଭିନ୍ନ ଅଂଚଳରେ ଗଭୀରତା ମାପିଥିଲେ। ସଂପୃକ୍ତ ଯନ୍ତ୍ର ଜଳଭଣ୍ଡାର ପାଣି ଭିତର ଦେଇ ପ୍ରବେଶ କରି ମାଟିକୁ ଛୁଇଁଲା ପରେ ନିର୍ଦ୍ଦିଷ୍ଟ ପ୍ରକାର ଶବ୍ଦ କରିଥାଏ। ଏହାଦ୍ବାରା ସେମାନେ ସଂପୃକ୍ତ ସ୍ଥାନରେ ଜଳଭଣ୍ଡାରର ଗଭୀରତା କେତେ ଫୁଟ ରହିଛି, ତାହା ଆକଳନ କରୁଥିଲେ। ଜଳଭଣ୍ଡାର ଭିତର ମାପ ସରିବାପରେ ଉପର ମୁଣ୍ଡରେ ମାପ ନେବା କାମ ଆରମ୍ଭ ହୋଇଥିଲା। ମାତ୍ର ଛତିଶଗଡ଼ ସରକାର ନିଜ ଅଂଚଳର ମହାନଦୀ ଶଯ୍ୟା ମାପ ନେବାପାଇଁ ଅନୁମତି ଦେଇନଥିଲେ। ନିଜ ଅଂଚଳରେ ସର୍ବେକ୍ଷଣ କାମକୁ ବନ୍ଦ କରିଦେଇଥିଲେ।
ଏହାପଛରେ ଏହି ପଡ଼ୋଶୀ ରାଜ୍ୟର ଏକ ଚାଲ୍ ଥିବା ଅନୁମାନ କରାଯାଉଛି। କାରଣ, ଗଭୀରତା ମାପ ପାଇଁ ଅନୁମତି ଦେଇଥିଲେ କଲ୍ମା ବ୍ୟାରେଜର ଗଭୀରତା ସାଙ୍ଗକୁ ସେଠାରେ କେତେ ପାଣି ରହୁଛି, ତାହା ବି ଜଣାପଡ଼ିଯାଇଥା’ନ୍ତା। ଛତିଶଗଡ଼ ସରକାର ବିଭିନ୍ନ ସମୟରେ ଯେଉଁ ତଥ୍ୟ ଦେଉଛନ୍ତି, ତାହାର ସତ୍ୟତା ବି ଜଣାପଡ଼ିଯାଇଥାନ୍ତା। ଏଥିସହିତ ମହାନଦୀ ସଂପର୍କିତ ତଥ୍ୟକୁ ନେଇ ଛତିଶଗଡ଼ ସରକାରଙ୍କ ମିଛ ବି ଧରାପଡ଼ିଯାଇଥାନ୍ତା। ସମ୍ଭବତଃ, ଏଭଳି କିଛି ଆଶଙ୍କା କରି ଛତିଶଗଡ଼ ସରକାର ଗଭୀରତା ମାପ ପାଇଁ ଅନୁମତି ଦେଇନଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ୧୯୮୬ ମସିହାରେ ପାରମ୍ପରିକ ରୀତିରେ ଏବଂ ପରବର୍ତ୍ତୀ ସମୟରେ କିନ୍ତୁ ଉପଗ୍ରହ ଚିତ୍ର ଜରିଆରେ ସବେର୍କ୍ଷଣ କରାଯାଇଛି। ୧୯୮୬ ମସିହାର ରିପୋର୍ଟରେ ଲାଇଭ୍ ଷ୍ଟୋରେଜ ୧୨.୬୧୫ ପ୍ରତିଶତ ଓ ଡେଡ୍ ଷ୍ଟୋରେଜର ୩୩.୨୯୨ ପ୍ରତିଶତ ଏଭଳି ସର୍ବମୋଟ ୧୮.୩୮୬ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦଶାର୍ଯାଇଛି। ୧୯୮୮ ମସିହାରେ ରିମୋଟ୍ ସେନ୍ସିଂ ଜରିଆରେ ହୋଇଥିବା ସର୍ବେକ୍ଷଣରେ ଲାଇଭ୍ ଷ୍ଟୋରେଜର ୨୪.୧୦ ପ୍ରତିଶତ ଏବଂ ୧୯୯୫ ମସିହାରେ ଲାଇଭ୍ ଷ୍ଟୋରେଜର ୨୪.୧୮ ପ୍ରତିଶତ ପଟୁ ମାଟି ଜମି ରହିଥିବା ଦର୍ଶାଯାଇଛି। ୨୦୦୭ ମସିହାର ସର୍ବେକ୍ଷଣରେ ଲାଇଭ୍ ଷ୍ଟୋରେଜର ୧୧.୭୯ ପ୍ରତିଶତ ଏବଂ ଡେଡ୍ ଷ୍ଟୋରେଜର ୬୫.୬୮ ପ୍ରତିଶତ ଏଭଳି ହାରାହାରି ୨୬.୮୩ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପ୍ରାୟ ୩ ବର୍ଷ ତଳେ ହାଇଦ୍ରାବାଦର ନ୍ୟାସ୍ନାଲ ରିମୋର୍ଟ ସେନ୍ସିଂ ଅଥରିଟି (ଏନ୍ଆର୍ଏସ୍ଏ) ପକ୍ଷରୁ ୨୦୧୫ ମସିହା ସୁଦ୍ଧା ପୋତି ହୋଇଥିବା ପଟୁମାଟି ସଂକ୍ରାନ୍ତରେ ଜାଣିବା ପାଇଁ ଉପଗ୍ରହ ଚିତ୍ର ଜରିଆରେ ସର୍ବେକ୍ଷଣ କରାଯାଇଥିଲା। ଏହି ରିପୋର୍ଟରେ ଲାଇଭ୍ ଷ୍ଟୋରେଜର ୧୭ ପ୍ରତିଶତ ଏବଂ ଡେଡ୍ ଷ୍ଟୋରେଜର ୫୩ ପ୍ରତିଶତ ଅର୍ଥାତ ହାରାହାରି ୨୭ ପ୍ରତିଶତ ପଟୁମାଟି ପୋତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା କହାଯାଉଛି।