ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ବାହାନାରେ ଅଣ କୋଭିଡ୍ ରୋଗୀଙ୍କ ଚିକିତ୍ସା ନେଇ ସମସ୍ୟା ଉପୁଜିପାରେ। ତେଣୁ ଗୁରୁତର ରୋଗୀ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। କୋଭିଡ୍ ରିପୋର୍ଟ ଥାଉ କି ନ ଥାଉ ସମସ୍ତ ପ୍ରୋଟୋକଲ ଅନୁସାରେ ଚିକିତ୍ସା ଦିଆଯିବ। ଏହାସହ ହସ୍ପିଟାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏପରିକି ହସ୍ପିଟାଲଗୁଡ଼ିକ କରୋନା ସଂକ୍ରମଣ ହଟସ୍ପଟ୍ ପାଲଟି ଯାଇପାରେ। ଏହାସତ୍ବେ ମଧ୍ୟ ହସ୍ପିଟାଲରେ ସଂକ୍ରମଣ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ/ଘରୋଇ ହସ୍ପିଟାଲ, କର୍ପୋରେଟ୍ ଓ ନର୍ସିଂ ହୋମ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି।
ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି କୁହାଯାଇଛି। ହଟସ୍ପଟ୍ କିମ୍ବା ଅନ୍ୟ ସନ୍ଦିଗ୍ଧ ରୋଗୀଙ୍କ ସହିତ ଆଇଏଲଆଇ/ଏସ୍ଏଆରଆଇ ରୋଗୀ, ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ହସ୍ପିଟାଲରେ ସ୍ବତନ୍ତ୍ରଭାବେ ଫିଭର କ୍ଲିନିକ୍ ଓ ଆଇସୋଲେସନ୍ ଜୋନ୍ ପ୍ରସ୍ତୁତ କରାଯାଉ। ଏହାର ଅଲଗା ପ୍ରବେଶ ଓ ପ୍ରସ୍ଥାନ ରହିବା ଜରୁରୀ। ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ସ୍କ୍ରିନିଂ କରାଯିବା ସହିତ ସଂକ୍ରମଣ ନିୟନ୍ତ୍ରଣ(ଆଇପିସି) ଗାଇଡଲାଇନ୍ ପାଳନ ସହିତ ହାତ ଧୋଇବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଉ। ସ୍ବାସ୍ଥ୍ୟକର୍ମୀଙ୍କୁ ଯଥେଷ୍ଟ ସଂଖ୍ୟକ ପିପିଇ କିଟ୍ ପ୍ରଦାନ କରାଯିବା ସହିତ ଯନ୍ତ୍ରପାତିଗୁଡ଼ିକର ପ୍ରୋଟୋକଲ ଅନୁକରଣରେ ଶୁଦ୍ଧକରଣ(ଡିସଇନଫେକ୍ଟ) କରିବା ଲାଗି କୁହାଯାଇଛି।
ସେହିପରି କୋଭିଡ୍ ବର୍ଜ୍ୟବସ୍ତୁର ପରିଚାଳନା, ଚିକିତ୍ସିତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅବସ୍ଥାକୁ ଆସିବା ପରେ କୋଭିଡ୍ ଆମ୍ବୁଲାନ୍ସରେ ଅନ୍ୟତ୍ର ରେଫର କରାଯାଇ ପାରିବ। ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଜରୁରୀକାଳୀନ ଚିକିତ୍ସା ମାତୃକାଳୀନ, ନିରାପଦ ପ୍ରସବ ଓ ଶିଶୁ ଯତ୍ନ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଚିକିତ୍ସା ଥିବା ସମୟରେ କୌଣସି ବ୍ୟକ୍ତି ଯଦି ପଜିଟିଭ୍ ଚିହ୍ନଟ ହୁଅନ୍ତି ତା’ହେଲେ ସେହି ଗୃହରେ ଥିବା ଅନ୍ୟ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବ। ସଂପୃକ୍ତ ଗୃହକୁ ୨୪ଘଣ୍ଟା ପାଇଁ ବନ୍ଦ କରାଯିବା ସହିତ ସାନିଟାଇଜ୍ ଓ ସଫା କରାଯିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/health.jpg)