ନନ୍‌ଫର୍ମାଲ ଶିକ୍ଷକଙ୍କ କାର୍ଯ୍ୟକାଳକୁ ପେନସନ୍ ହିସାବ ବେଳେ ବିଚାରକୁ ନେବା ପ୍ରସଂଗ: ୮ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ

କଟକ : ନନ୍‌ଫର୍ମାଲ ଶିକ୍ଷକ କାର୍ଯ୍ୟକାଳକୁ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ବେଳେ ହିସାବକୁ ନେବା ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୮୦ଦଶକରେ କେନ୍ଦ୍ରୀୟ ଯୋଜନାରେ ନନ୍‌ଫର୍ମାଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସିଟି କରିଥିବା ଆବେଦନକାରୀ ଶିକ୍ଷକଙ୍କ ଚାକିରି ନିୟମିତ କରାଯାଇଥିଲା। ଚାକିରି ନିୟମିତ ହୋଇଥିବା ଶିକ୍ଷକଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେମାନେ ଅବସର ନେଇଥିଲେ। କିନ୍ତୁ ଅବସରକାଳୀନ ପ୍ରାପ୍ୟ ଓ ପେନସନ୍ ପ୍ରଦାନ ବେଳେ ସେମାନଙ୍କ ପ୍ରାୟ ୧୦ ବର୍ଷର ନନ୍‌ଫର୍ମାଲ ଶିକ୍ଷକ କାର୍ଯ୍ୟକାଳକୁ ବିଚାରକୁ ନିଆଯାଇ ନଥିଲା। ଏହି ପ୍ରସଂଗ ନେଇ ଏକାଧିକ ମାମଲା ୨୦୧୪ରେ ଓଡ଼ିଶା ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ରେ ଦାୟର ହୋଇଥିଲା। ସ୍ୟାଟ୍ ଉଚ୍ଛେଦ ପରେ ଏହି ମାମଲା ସବୁ ହାଇକୋର୍ଟକୁ ଶୁଣାଣି ପାଇଁ ଆସିଥିଲା। ଏହି ପ୍ରସଂଗରେ ଆଠ ସପ୍ତାହ ଭିତରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଚନ୍ଦର ମୋହନ ନେଗି ବନାମ ହିମାଚଳ ପ୍ରଦେଶ ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ହିସାବ ବେଳେ ନନ୍‌ଫର୍ମାଲ ଶିକ୍ଷକ କାର୍ଯ୍ୟକାଳକୁ ବିଚାରକୁ ନେବା ପ୍ରସଂଗରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ୮ ସପ୍ତାହ ଭିତରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୮୦ ଦଶକରେ ପ୍ରୌଢ ଶିକ୍ଷା ପାଇଁ ନନ-ଫର୍ମାଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ନନ୍‌ଫର୍ମାଲ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଆବେଦନକାରୀଙ୍କ ଚାକିରି ୧୯୯୬ରେ ନିୟମିତ କରାଯାଇଥିଲା। କାର୍ଯ୍ୟକାଳ ଶେଷ ପରେ ଆବେଦନକାରୀଙ୍କ ନନ୍‌ଫର୍ମାଲ ଶିକ୍ଷକ କାର୍ଯ୍ୟ ଅବଧିକୁ କିନ୍ତୁ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ବେଳେ ବିଚାରକୁ ନିଆଯାଇ ନଥିଲା। ଏହି ଅବଧିକୁ ମଧ୍ୟ ଅବସରକାଳୀନ ପ୍ରାପ୍ୟ ହିସାବ ବେଳେ ବିଚାରକୁ ନିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶୁଭ୍ରାଂଶୁ ଭୂଷଣ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର