ରୋଗୀଙ୍କୁ ଚିକିତ୍ସାରେ ସହାୟତା କରିପାରିବେନି ଅଣ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କେବଳ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ହିଁ ଚିକିତ୍ସା କରିବେ। କୌଣସି ଅଣ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ ଚିକିତ୍ସାରେ ସହାୟତା କରିପାରିବେ ନାହିଁ। ଜଣେ ସୁରକ୍ଷାକର୍ମୀ ରୋଗୀଙ୍କ ବିପି ମାପିବାରେ ସହାୟତା କରୁଥିବା ଘଟଣାକୁ ଗୁରୁତ୍ବର ସହ ନେଇ ସବୁ ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ଓ ସିଡିଏମ୍‌ଓମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଗଞ୍ଜାମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ଜଣେ ସୁରକ୍ଷା କର୍ମୀ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ରକ୍ତଚାପ ମାପିବାରେ ସହାୟତା କରୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାର ତଦନ୍ତ କରାଯାଇଛି ଓ ଡାକ୍ତର ଜଣକ ଡ୍ୟୁଟିରେ ରହିଥିଲେ। ‌ଡାକ୍ତର ରୋଗୀଙ୍କୁ ବିପି ମାପୁଥିବା ବେଳେ ସୁରକ୍ଷା କର୍ମୀ ଜଣକ କେବଳ ଏଥିରେ ସହାୟତା କରିଥିଲେ। ତେବେ ଏଭଳି ଘଟଣା ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଏକ ଖରାପ ବାର୍ତା ଦେଉଛି। ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ‌ସହ ନେଇଛନ୍ତି। ତେଣୁ ଡାକ୍ତରଖାନାରେ ଯେପରି ଆଗକୁ ଏଭଳି ଘଟଣା ନ ଘଟେ ସେ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର