ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦରରେ ପୁଣି ଜଣେ ବିଦେଶିନୀ ପ୍ରବେଶ ଉଦ୍ୟମ କରିଛନ୍ତି। ଅଣହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଶ୍ରୀମନ୍ଦିର ପୁଲିସର କର୍ମଚାରୀମାନେ ଯାଇ ତାଙ୍କୁ ଅଟକାଇଥିଲେ। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ତେଣୁ ସମ୍ଭବତଃ ସେ ଚୀନର ନାଗରିକ ହୋଇଥାଇପାରନ୍ତି। ସମ୍ପୃକ୍ତ ମହିଳାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। କାର୍ତ୍ତିକ ମାସରେ ପଞ୍ଚୁକ ଜାରି ରହିଥିବାରୁ ଭିଡ଼ ଭିତରେ ଅଣ ହିନ୍ଦୁ ମହିଳା ଜଣକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
କୋଟିକୋଟି ଓଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ ବାରଣ ରହିଛି। ଏହା ସତ୍ତ୍ବେ ମଧ୍ୟ ବାରମ୍ବାର ଅପ୍ରୀତିକର ପରିସ୍ଥିତି ଦେଖାଯାଉଛି। ଶ୍ରୀମନ୍ଦିରରେ ବ୍ୟାପକ ପୁଲିସ ମୁତୟନ ଓ ସିସିଟିଭି ଖଞ୍ଜା ଯାଇଥିଲେ ମଧ୍ୟ ଅଣହିନ୍ଦୁମାନଙ୍କ ପ୍ରବେଶ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅତୀତରେ ମଧ୍ୟ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନଜିର ରହିଛି। ଗତ ମାର୍ଚ୍ଚ ୩ ତାରିଖରେ ବାଂଲାଦେଶର ୯ ଜଣ ନାଗରିକ ଶ୍ରୀକ୍ଷେତ୍ରକୁ ଆସିଥିଲେ। ସେଥି ମଧ୍ୟରୁ ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କିନ୍ତୁ ଅନ୍ୟ ୩ଜଣ ବାହାରେ ଥିଲେ ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଥିଲେ। ପୁଲିସ ସମସ୍ତ ୯ଜଣଙ୍କୁ ଅଟକ ରଖି ପଚରାଉଚୁରା ପରେ ଛାଡ଼ି ଦେଇଥିଲା।
ଠିକ୍ ସେହିପରି ଗତ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍ଣ ୧୧ଟା ସମୟରେ ଜଣେ ମୁସଲିମ ମହିଳା ତଥା ଆଇଆର୍ଏସ୍ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଥିଲେ। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ବାରଣ ଥିବା କଥା ସିଂହଦ୍ବାର ସମ୍ମୁଖରେ ସୂଚନା ଫଳକରେ ଉଲ୍ଲେଖ ଥିବା ସତ୍ତ୍ବେ ସେ ଜୋର୍ ଜବରଦସ୍ତ ପ୍ରବେଶ କରିବା ସମଗ୍ର ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ କରିଛି। ଜଣେ ଅଧିକାରୀ ଓ ଉଚ୍ଚ ଶିକ୍ଷିତ ହୋଇ ନିୟମ ଅମାନ୍ୟ କରିବା ଗ୍ରହଣୀୟ ନୁହେଁ। ସେ କେବଳ ନିୟମକୁ ଅବମାନନା କରିନାହାନ୍ତି ବରଂ ସନାତନ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/11/12/pSeJHXGSQltvTNkg6BRV.jpg)