ଓଡ଼ଗାଁ: ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରକୁ ଜଣେ ଅଣହିନ୍ଦୁ ପ୍ରବେଶ ନେଇ ମନ୍ଦିରକୁ ଧୈାତ ଓ ଶୁଦ୍ଧ କରାଯାଇଛି। ଗତ ୧୩ ତାରିଖ ଦିନ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ନେତୃତ୍ବରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ରଘୁନାଥ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରତ୍ୟୁଷାଙ୍କ ସହକର୍ମୀ ଶେଖ୍‌ ନୁରୁଲ ଇସଲାମ ମନ୍ଦିର ମଧ୍ୟରେ ତାଙ୍କ ସହ ପ୍ରବେଶ କରିଥିଲେ। ପରେ ଏହାକୁ ନେଇ ଓଡ଼ଗାଁ ଅଞ୍ଚଳବାସୀ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଥିଲେ। କେଉଁଭଳି ଭାବରେ ଜଣେ ଅଣହିନ୍ଦୁ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଭାବାବେଗକୁ କୁଠାରାଘାତ କରି ମନ୍ଦିରରେ ପ୍ରବେଶ କଲେ ଓ ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଥିଲେ। ରଘୁନାଥ ଜିଉଙ୍କ ମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ଇତିହାସରେ ପ୍ରଥମ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚା-ଖଟିଠାରୁ ଆରମ୍ଭ କରି ଛକ, ବଜାର ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। 

Advertisment

ଓଡ଼ଗାଁର କିଛି ବୁଦ୍ଧିଜୀବୀ ମନ୍ଦିରରେ ପହଞ୍ଚି ମନ୍ଦିରକୁ ଶୁଦ୍ଧ କରିବା ସହ ହୋମ କାର୍ଯ୍ୟ କରିବାକୁ ମନ୍ଦିର ସେବାୟତମାନଙ୍କୁ ପରାମର୍ଶ ଦେଇଥିଲେ। ଆଜି ଅପରାହ୍ଣରେ ମନ୍ଦିର ଧୂଆ ହେବା ପରେ ଗୋବର ପାଣି ସିଞ୍ଚନ କରି ଚୂନ ଦିଆଯିବା ପରେ ଠାକୁରଙ୍କ ମହାସ୍ନାନ ହୋଇ ସନ୍ଧ୍ୟା ଆଳତି ସହ ନୀତିକାନ୍ତି ଆରମ୍ଭ ହୋଇଥିଲା। ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ପୂଜାପଣ୍ତା ଶ୍ରୀଧର ଦାଶ ପୁରୋହିତ, ଶେଷଦେବ ଷଡ଼ଙ୍ଗୀ ଯୋଗଦେଇ ସମସ୍ତ କାର୍ଯ୍ୟ ସମାପନ କରିଥିଲେ। ଏହି ଘଟଣାକୁ କଂଗ୍ରେସ ସମାଲୋଚନା କରିବା ସହ ଘଟଣାର ତଦନ୍ତ ଦାବି କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଦିଲୀପ କୁମାର ବିଷୋୟୀ କହିଛନ୍ତି ଏହି ଘଟଣା ସମସ୍ତଙ୍କୁ ଆଘାତ ଦେଇଛି ଓ ଏଥିପାଇଁ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଜିଲ୍ଲାବାସୀଙ୍କୁ କ୍ଷମା ମାଗନ୍ତୁ। ସେ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି।