ପୁରୀ : ରାଜସ୍ଥାନର ଜଣେ ଛାତ୍ରୀ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଜୀବନ ଓ ତାଙ୍କ ବାଲୁକା କଳା ଉପରେ ଗବେଷଣା କରିଛନ୍ତି। ଛାତ୍ରୀ ଜଣକ ହେଉଛନ୍ତି କୋମଲ ପ୍ରଜାପତ।
କୋମଲ ରାଜସ୍ଥାନର ଉଦୟପୁର ଭୂପାଲ ନୋବେଲ୍ସ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି। ଗତକାଲି ନିଜ ଟ୍ବିଟର୍ ଆକାଉଣ୍ଟରେ ଏହା ଟ୍ବିଟ୍ କରି ସେ ଜଣାଇଛନ୍ତି। କୋମଲ ଜଣାଇଛନ୍ତି , ଶ୍ରୀ ପଟ୍ଟନାୟକଙ୍କ ଉପରେ ନିଜ ସନ୍ଦର୍ଭ ଲେଖି ସେ ବହୁତ ଖୁସି। ଏ ସଂପର୍କରେ ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ ଏହା ଜାଣିବା ପରେ ମୁଁ କୋମଲଙ୍କ ସହ କଥା ବି ହୋଇଛି। ପୂର୍ବରୁ ଯେଉଁମାନେ ପିଏଚ୍ଡି କରୁଥିଲେ, ସେମାନେ ଦିବଂଗତ ବ୍ୟକ୍ତିଙ୍କ ଉପରେ କରୁଥିଲେ। କିନ୍ତୁ, ପ୍ରଥମଥର କୋମଲ ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଜୀବନଶୈଳୀ ଓ ବାଲୁକାକଳାକୁ ନେଇ ପିଏଚ୍ଡି କରିଛନ୍ତି।’ ‘ ଏହା ମୋ ପାଇଁ ସୌଭାଗ୍ୟର ବିଷୟ। ଓଡ଼ିଶା ମାଟି ପାଇଁ ବି ଏହା ଏକ ଅଭିନ୍ନ ଉପହାର,’ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଏହି ଅବସରରେ କୋମଲଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।