ଅଣଧାନ ଫସଲ ଚାଷ ନିମନ୍ତେ ପ୍ରଶାସନର ଗୁରୁତ୍ବ ସ୍ବଳ୍ପବୃ‌ଷ୍ଟି କାରଣରୁ ଖରିଫ ଧାନ ଫସଲର ଲକ୍ଷ୍ୟ ପୂରଣ ହୋଇପାରିନି

ଫୁଲବାଣୀ: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ମରୁଡ଼ି ଯୋଗୁଁ ଧାନ ଫସଲ ପ୍ରଭାବିତ ହୋଇଥିବାବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ଧାନ ଅପେକ୍ଷା ଅଣଧାନ ଫସଲ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏ ନେଇ ଜିଲ୍ଲାପାଳ ଡ. ବୃନ୍ଦା ଡି. କୃଷି ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

କନ୍ଧମାଳ ଜିଲ୍ଲାରେ ସମତଳ ଜମି କମ୍‌ ପରିମାଣରେ ଥିବାରୁ ଏବଂ ପାହାଡ଼ିଆ ଜମି ହୋଇଥିବାରୁ କମ୍‌ ଜଳରେ ଯେଉଁ ଫସଲ ହୋଇପାରିବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଣୁ ଚଳିତବର୍ଷ ଖରିଫ ଋତୁରେ କନ୍ଧମାଳ ଜିଲ୍ଲା ପାଇଁ ମାତ୍ର ୩୭,୫୦୦ ହେକ୍ଟର ଜମିରେ ଧାନ ଫସଲ ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବବର୍ଷମାନଙ୍କରେ କନ୍ଧମାଳ ଜିଲ୍ଲାରେ ୬୦,୦୦୦ ହେକ୍ଟର ଜମିରେ ଧାନ ଚାଷ ହେଉଥିବାବେଳେ ଚଳିତବର୍ଷ ଧାନ ଫସଲର ପରିମାଣକୁ ହ୍ରାସ କରାଯାଇଛି। ଏଭଳି ସ୍ଥଳେ ଜିଲ୍ଲାରେ ୯୦,୨୯୦ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାର ଯୋଜନା କରାଯାଇଛି।

ଜିଲ୍ଲାର ପାହାଡ଼ିଆ ଉଚ୍ଚା ଜମିରେ ମାଣ୍ଡିଆ, ବାଜରା, ମକା, ଗହମ, ସୋରିଷ, ଚିନାବାଦାମ ଓ ପନିପରିବା ଫସଲ ଉପରେ ଗୁରୁତ୍ବାରୋପ କରାଯାଇଛି। ଚଳିତ ଖରିଫ ଋତୁରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩୭,୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ସୁଦ୍ଧା ୨୮,୬୪୭ ହେକ୍ଟର ଜମିରେ ଧାନ ଚାଷ କରାଯାଇପାରିଛି। ବର୍ଷା ଅଭାବରୁ ଆଜି ପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟ ପୂରଣ ସମ୍ଭବପର ହୋଇନାହିଁ। କେତେକ ସ୍ଥାନରେ ଧାନ ତଳି ମଧ୍ୟ ଶୁଖି ନଷ୍ଟ ହୋଇଗଲାଣି। ବର୍ଷା ନ ହେବା କାରଣରୁ ରୁଆ, ଉପଡ଼ା କାମ ବାଧାପ୍ରାପ୍ତ ହୋଇଛି।

ଚଳିତ ଖରିଫ ଋତୁରେ ଖଜୁରୀପଡ଼ା ବ୍ଲକରେ ୩,୯୭୯ ହେକ୍ଟର ଜମିରେ ଧାନ ଫସଲ କରାଯିବାର ଲକ୍ଷ୍ୟ ଥିବାବେଳେ ଆଜି ସୁଦ୍ଧା ୨,୮୨୯ ହେକ୍ଟର ଜମିରେ ଚାଷ କରାଯାଇପାରିଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ୫,୩୭୫ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ରହିଥିବାବେଳେ ୪,୪୫୩ ହେକ୍ଟର ଜମିରେ ଚାଷ ହୋଇଛି। ଫୁଲବାଣୀ ବ୍ଲକରେ ୩,୭୯୬ ହେକ୍ଟର ଲକ୍ଷ୍ୟ ଥିଲାବେଳେ ୧,୫୫୭ ହେକ୍ଟର ଜମିରେ ଚାଷ ହୋଇଛି। ବାଲିଗୁଡ଼ା ବ୍ଲକରେ ୩,୪୬୩ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ୩,୨୯୨ ହେକ୍ଟର ଜମିରେ ଚାଷ ହୋଇପାରିଛି। କୋଟଗଡ଼ ବ୍ଲକରେ ୧,୫୯୪ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ୧,୭୦୨ ହେକ୍ଟର ଜମିରେ ସମ୍ଭବ ହୋଇପାରିଛି। ତୁମୁଡ଼ିବନ୍ଧ ବ୍ଲକରେ ୧,୮୨୪ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୧,୩୫୪ ହେକ୍ଟର ଜମିରେ ହୋଇପାରିଛି। ଚକାପାଦ ବ୍ଲକରେ ୩,୭୯୮ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ଥିଲ‌ାବେଳେ ୩,୦୮୫ ହେକ୍ଟର ଜମିରେ ସମ୍ଭବ ହୋଇପାରିଛି।

ଘୁ.ଉଦୟଗିରି ବ୍ଲକରେ ୨,୩୨୬ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ଥିଲାବେଳେ ୧,୧୯୮ ହେକ୍ଟର ଜମିରେ ଧାନ ଚାଷ ସମ୍ଭବ ହୋଇଛି। ରାଇକିଆ ବ୍ଳକରେ ୨,୮୫୫ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ୨,୧୪୯ ହେକ୍ଟର ଜମିରେ ସମ୍ଭବ ହୋଇଛି। ଟିକାବାଲି ବ୍ଲକରେ ୩,୫୫୧ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେ‌ଳେ ୨,୫୩୫ ହେକ୍ଟର ଜମିରେ ହୋଇଛି। ଦାରିଂବାଡ଼ି ବ୍ଲକରେ ୩,୨୩୫ ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ୩,୧୦୧ ହେକ୍ଟର ଜମିରେ ଚାଷ ହୋଇପାରିଛି। କ.ନୂଆଗାଁ ବ୍ଲକରେ ୨,୭୦୪ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଲକ୍ଷ୍ୟ ଥିଲାବେଳେ ୧,୩୯୨ ହେକ୍ଟର‌ ଜମିରେ ହୋଇପାରିଛି।

ଅପରପକ୍ଷେ, କନ୍ଧମାଳ ଜିଲ୍ଲାରେ ବର୍ଷାର ଅଭାବ ଏବଂ ଉଚ୍ଚ ପାହାଡ଼ିଆ ଜମି ଯୋଗୁଁ ଚଳିତ ଖରିଫ ଋତୁରେ ଅଣଧାନ ଫସଲର ପରିମାଣକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ଜିଲ୍ଲାରେ ୯୦,୨୯୦ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେ ସୁଦ୍ଧା ୬୮,୧୧୬ ହେକ୍ଟର ଜମିରେ ଅଣଧାନ ଫସଲ କରାଯାଇ ସାରିଲାଣି। ଖଜୁରୀପଡ଼ା ବ୍ଲକରେ ୬,୪୮୮ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାର ଲକ୍ଷ୍ୟ ଥିଲାବେଳେ ଏବେ ସୁଦ୍ଧା ୪,୩୯୫ ହେକ୍ଟର ଜମିରେ ଶେଷ ହୋଇ ସାରିଲାଣି। ଫିରିଙ୍ଗିଆ ବ୍ଲକରେ ୧୦,୪୦୦ ହେକ୍ଟର ଜମିରେ ଅଣଧାନ ଫସଲ ଲକ୍ଷ୍ୟ ଥିଲାବେଳେ ୮,୧୧୫ ହେକ୍ଟର ଜମିରେ ଶେଷ ହୋଇ ସାରିଲାଣି। ଫୁଲବାଣୀ ବ୍ଲକରେ ୪,୪୦୪ ହେକ୍ଟର ଜମିରେ ଅଣଧାନ କରାଯିବାକୁ ଲକ୍ଷ୍ୟ ଥିଲାବେଳେ ଏବେ ସୁଦ୍ଧା ୩,୪୮୮ ହେକ୍ଟର ଜମିରେ କରାଯାଇଛି।

ବାଲିଗୁଡ଼ା ବ୍ଲକରେ ୬,୦୬୨ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେସୁଦ୍ଧା ୩,୭୧୭ ହେକ୍ଟର ଜମିରେ କରାଯାଇପାରିଛି। କୋଟଗଡ଼ ବ୍ଲକରେ ୮,୮୮୬ ହେକ୍ଟର ଜମିରେ ଅଣଧାନ ଲକ୍ଷ୍ୟ ଥିଲାବେଳେ ୬,୧୧୦ ହେକ୍ଟର ଜମିରେ ସମ୍ପୂର୍ଣ୍ଣ ହୋଇଛି। ତୁମୁଡ଼ିବନ୍ଧ ବ୍ଲକରେ ୮,୨୫୧ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୫,୬୩୬ ହେକ୍ଟର ଜମିରେ ସମ୍ପୂର୍ଣ୍ଣ ହୋଇପାରିଛି। ଚକାପାଦ ବ୍ଲକରେ ୬,୧୫୭ ହେକ୍ଟର ଜମିରେ ଅଣଧାନ ଫସଲର ଲକ୍ଷ୍ୟ ରହିଥିବାବେଳେ ଏବେ ସୁଦ୍ଧା ୪,୬୨୦ ହେକ୍ଟର ଜମିରେ ସମ୍ଭବପର ହୋଇଛି।

ଘୁ.ଉଦୟଗିରି ବ୍ଲକରେ ୫,୮୪୭ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାର ଲକ୍ଷ୍ୟ ରହିଥିବାବେଳେ ୫,୦୪୮ ହେକ୍ଟର ଜମିରେ ଶେଷ ହୋଇଛି। ରାଇକିଆ ବ୍ଲକରେ ୧୦,୬୩୦ ହେକ୍ଟର ଜମିରେ ଅଣଧାନ ଫସଲ ଲକ୍ଷ୍ୟ ରହିଥିବାବେଳେ ୮,୫୭୯ ହେକ୍ଟର ଜମିରେ ହୋଇପାରିଛି। ଟିକାବାଲି ବ୍ଲକରେ ୭,୫୯୪ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ୬,୫୨୫ ହେକ୍ଟର ଜମିରେ ହୋଇପାରିଛି। ଦାରିଂବାଡ଼ି ବ୍ଲକରେ ୭,୬୩୦ ହେକ୍ଟର ଜମିରେ ଅଣଧାନ ଲକ୍ଷ୍ୟ ଥିଲାବେଳେ ୬,୮୩୭ ହେକ୍ଟର ଜମିରେ ଚାଷ ହୋଇପାରିଛି। କ.ନୂଆଗାଁ ବ୍ଲକରେ ୭,୯୪୧ ହେକ୍ଟର ଜମିରେ ଅଣଧାନ ଫସଲ ଲକ୍ଷ୍ୟ ରହିଥିବାବେଳେ ୫,୦୪୬ ହେକ୍ଟର ଜମିରେ ଶେଷ ହୋଇଛି। ଆସନ୍ତା ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏସବୁ ଅଞ୍ଚଳରେ ଅଣଧାନ ଫସଲ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରିବ ବୋଲି କୃଷି ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର