କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କ ଆୟବହିର୍ଭୂତ ସମ୍ପତ୍ତି ମାମଲା: ଠିକାଦାର,ବ୍ୟବସାୟୀଙ୍କ ପାଖରେ ଲାଗିଛି କୋଟି କୋଟି ଟଙ୍କା

ଭୁବନେଶ୍ବର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଦ୍ବିତୀୟ ଥର ରିମାଣ୍ଡରେ ଅସିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଆଜି ମାରାଥନ ଜେରା କରାଯାଇଛି। ଜେରା ବେଳେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସେ ବଡ଼ ବଡ଼ ଠିକାଦାର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନିକଟରେ କୋଟିଏରୁ ଊର୍ଧ୍ବ ଟଙ୍କା ସୁଧରେ ଲଗାଇଛନ୍ତି। ଟଙ୍କା ଓ କାମକୁ ଦେଖି ସେ ୫ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ନେଉଥିଲେ। ଦରକାର ପଡ଼ିଲେ ଠିକାଦାର ଓ ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। କାର୍ତ୍ତିକଶ୍ବେର କଳା ଟଙ୍କାରେ କିଣିଥିବା ୯୫ ପ୍ରତିଶତ ଜମି, ଫ୍ଲାଟ, ଗାଡ଼ି ସବୁ ପ୍ରଥମ ପତ୍ନୀଙ୍କ ନାଁରେ କରିଥିଲେ। ସେ ରୋଜଗାର କରୁଥିବା କଳା ଟଙ୍କାର ସିଂହଭାଗ ଏବଂ ସୁନାଗହଣା ଦ୍ବିତୀୟ ପତ୍ନୀଙ୍କ ପାଖରେ ରହୁଥିଲା।

ପ୍ରକାଶ ଥାଉ କି,ଏବେ ସୁଦ୍ଧା କାର୍ତ୍ତିକେଶ୍ବରଙ୍କର ୭କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ମୋଟ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା,୯୪୦ ଗ୍ରାମ ସୁନାଗହଣା ଏବଂ କେଜିଏ ରୁପା ଜବତ କରିଛି ଭିଜିଲାନ୍ସ। ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ କଳିଙ୍ଗବିହାର ଘରୁ ନଗଦ ୨କୋଟି ଟଙ୍କା, ୫୮୦ ଗ୍ରାମ ସୁନା। ସାଲିଆସାହି ବସ୍ତିର ଝୁମ୍ପୁଡ଼ି ଘରେ ରହୁଥିବା ଶାଳୀ ଉର୍ବଶୀ ପ୍ରଧାନଙ୍କ ଘରୁ ମିଳିଛି ୧ କୋଟି ୪୧ ଲକ୍ଷ ୬୨ ହଜାର ଟଙ୍କା, ୩୬୦ ଗ୍ରାମ ସୁନା ଅଳଙ୍କାର ଏବଂ କେଜିଏ ରୁପା ଅଳଙ୍କାର। ଖଣ୍ଡଗିରି ଜାଗମରାରେ ଦୁଇ ମହଲା କୋଠା, ଡୁମୁଡୁମା ତୁଷ୍ଟି ରେସିଡେନ୍ସିରେ ୩ ବିଏଚ୍‌କେ ଫ୍ଲାଟ୍, କସମୋପଲିସ୍‌ରେ ୨ ବିଏଚ୍‌କେ ଫ୍ଲାଟ୍, ଭୁବନେଶ୍ବରରେ ଦୁଇଟି ଓ ଖଲ୍ଲିକୋଟରେ ୫ଟି ଜମି, ୩୭.୨୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଆଦି ଜବତ ‌ହୋଇଛି। ଆହୁରି ଅଧିକ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର