ଭୁବନେଶ୍ୱର : ରାଜ୍ୟରେ ଅଣପଞ୍ଜୀକୃତ ହୋମିଓପାଥିକ୍ ଡାକ୍ତରଙ୍କ ସଂଖ୍ୟା ବଢ଼ିଚାଲିଛି। ଏମାନେ ହୋମିଓପାଥିକ୍ ନାମର ଅପବ୍ୟବହାର କରି ରୋଗୀ ଚିକିତ୍ସା କରୁଛନ୍ତି ବୋଲି କେନ୍ଦ୍ରୀୟ ହୋମିଓପାଥିକ୍ ପରିଷଦର ସଦସ୍ୟ ତଥା ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥିକ୍ ଫିଜିସିଆନ୍ର ଜାତୀୟ ସହ ସମ୍ପାଦକ ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ଅଭିଯୋଗ କରିଛନ୍ତି। ଏପରି ନକଲି ଡାକ୍ତରଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋମିଓପାଥିକ୍ର ବିଶ୍ୱସନୀୟତା ବଜାୟ ରଖିବାକୁ ସେ ଦାବି କରିଛନ୍ତି।
ଏକ ବିବୃତି ଦେଇ ଡାକ୍ତର ନନ୍ଦ କହିଛନ୍ତି, କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ହୋମିଓପାଥିକ୍ ପରିଷଦ ଓ ରାଜ୍ୟ ସରକାରଙ୍କ ଓଡ଼ିଶା ହୋମିଓପାଥିକ୍ ବୋର୍ଡରେ ପଞ୍ଜୀକୃତ କରିଥିବା ଚିକିତ୍ସକମାନେ ହିଁ ହୋମିଓପାଥିକ୍ ଚିକିତ୍ସା କରିପାରିବେ ବୋଲି ଆଇନ୍ରେ ବ୍ୟବସ୍ଥା ରହିଛି। ଏହାକୁ ଉଲ୍ଲଂଘନ କଲେ ଅର୍ଥ ଓ ଜେଲ୍ଦଣ୍ଡର ବି ବ୍ୟବସ୍ଥା ରହିଛି। କିନ୍ତୁ ଏହି ଆଇନ୍କୁ ନ ମାନି କିଛି ଅଣପେସାଦାର ଡାକ୍ତର କଟକ, ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବିନା ବାଧାରେ ରୋଗୀ ଚିିକିତ୍ସା କରୁଛନ୍ତି। ସେମାନେ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଔଷଧ ଦେଇ ରୋଗ ଉପଶମ କରାଉଛନ୍ତି। ଏହି ଇଲେକ୍ଟ୍ରୋ ହୋମିଓପାଥିକ୍ ଔଷଧ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ। ଏହାର ତଦାରଖ ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସ୍ତରରେ କୌଣସି ପରିଷଦ ଗଠନ ହୋଇ ନାହିଁ। ଏହି ଔଷଧ ନେଲେ ରୋଗୀଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି। ସରକାରଙ୍କ ୬ଟି ହୋମିଓପାଥିକ୍ କଲେଜରେ ପ୍ରତି ବର୍ଷ ୧୬୦ ଜଣ ଡାକ୍ତର ଉତ୍ତୀର୍ଣ୍ଣ ହୋଇ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜୀକୃତ କରାଯାଉଛନ୍ତି। ଏହା ସତ୍ତ୍ୱେ ଅଣପଞ୍ଜୀକୃତ ଡାକ୍ତରଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ପ୍ରକାର ଅନିୟମିତତାକୁ ରୋକିବା ପାଇଁ ଆୟୁଷ ବିଭାଗ ଅଧୀନସ୍ଥ ଓଡ଼ିଶା ହୋମିଓପାଥିକ୍ ବୋର୍ଡକୁ କ୍ଷମତା ଦିଆଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର୍ ମଧ୍ୟ ଇଲେକ୍ଟ୍ରୋ ହୋମିଓପାଥିକ୍ ଉପରେ ଅଙ୍କୁଶ ଲଗାଇପାରବେ। ତେଣୁ ସରକାର ଏ ଦିଗରେ ପଦକ୍ଷେପ ନେବା ସହ ଜନସାଧାରଣ ସଚେତନ ହେବାକୁ ଡାକ୍ତର ନନ୍ଦ ନିବେଦନ କରିଛନ୍ତି।