କଟକ : ଅନ୍ ଲାଇନରେ ବୁକ୍ ହୋଇଥିବା ବିମାନ ଟିକେଟ ବାତିଲ ପରେ ଗ୍ରାହକ/ଯାତ୍ରୀଙ୍କୁ ‌ଟଙ୍କା ଫେରସ୍ତ ନ ମିଳିବା ମାମଲାକୁ ଖାଉଟି ଅଦାଲତ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଗ୍ରାହକଙ୍କୁ ଉପ‌ଯୁକ୍ତ ସେବା ପ୍ରଦାନ କରି ନଥିବାରୁ ଟିକେଟ ବୁକିଂ କରାଇଥିବା ଅନ୍ ଲାଇନ ଟ୍ରାଭେଲ ସଂସ୍ଥା ଓ ଘରୋଇ ବୀମାନ ସେବା ସଂସ୍ଥାକୁ ଖାଉଟି ଅଦାଲତ ଦଣ୍ଡିତ କରିଛନ୍ତି।

Advertisment

ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ ଆବେଦନକାରୀ ଖାଉଟିଙ୍କୁ ବାତିଲ କରାଯାଇଥିବା ଟିକେଟର ମୂଲ୍ୟ ୪ ହଜାର ୨୮୯ ଟଙ୍କା ସହିତ ୧ ଲକ୍ଷ ଟଙ୍କା କ୍ଷତିପୂରଣ ୩୦ ଦିନ ଭିତରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ମାନସିକ ନିର୍ଯାତନା ଓ ମୋକଦ୍ଦମା ଖର୍ଚ୍ଚ ବାବଦରେ ଏହି କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କୁ ଉଭୟ ଅନ୍ ଲାଇନ ଟ୍ରାଭେଲ ସଂସ୍ଥା ଓ ଘରୋଇ ବିମାନସେବା ସଂସ୍ଥା ଏହି ରାଶି ଦେବେ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି। କମିସନ ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦ କୁମାର ମୁନ୍ଦ୍ରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୦, ନଭେମ୍ବର ୨ରେ ଭୁବନେଶ୍ବରରୁ ଦିଲ୍ଲୀ ଯିବା ପାଇଁ ଅକ୍ଟୋବର ୨୮ରେ ଆବେଦନକାରୀ ଅନ୍ ଲାଇନ ଟ୍ରାଭେଲ ସଂସ୍ଥା ମାଧ୍ୟମରେ ଏକ ଟିକେଟ କରିଥିଲେ। କିନ୍ତୁ ଦିଲ୍ଲୀ ଯାତ୍ରା ପୂର୍ବରୁ ଟିକେଟ ବାତିଲ ନେଇ ବିମାନ ସେବା ସଂସ୍ଥା ନିକଟରୁ ଆବେଦନକାରୀଙ୍କୁ ମେସେଜ ଆସିଥିଲା। ୨୦୨୧ରେ ଆବେଦନକାରୀ ଖାଉଟି କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।