ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ପତିଆରା ଜମାଇଥିବା ଅଣଛାତ୍ର ତଡ଼ା ଖାଇବେ। ଭଲରେ ଭଲରେ ହଷ୍ଟେଲ୍‌ ଛାଡ଼ିବେ। ନ ହେଲେ ଜିନିଷପତ୍ର ସହ କ୍ୟାମ୍ପସ୍‌ ବାହାରକୁ ଫୋପାଡ଼ି ଦିଆଯିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଏଭଳି ଢଙ୍ଗରେ ଅଣଛାତ୍ରଙ୍କୁ ନାଲିଆଖି ଦେଖାଇଛନ୍ତି। କେବଳ ସେତିକି ନୁହେଁ, ହଷ୍ଟେଲ୍‌ ରୁମ୍‌ ଆଲଟ୍‌ ହୋଇଥିବା ଛାତ୍ର ଯଦି ତାହାକୁ ଭଡ଼ା କିମ୍ବା ବିକ୍ରି କରିଥିବାର ଜଣାପଡ଼େ, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ। ଏମିତିକି ବିଶ୍ବବିଦ୍ୟାଳୟର ଷ୍ଟୁଡେଣ୍ଟସିପ୍‌ ବାତିଲ କରାଯିବା ନେଇ କଡ଼ା ଚେତାବନୀ ଦିଆଯାଇଛି।

Advertisment

ଛାତ୍ରାବାସ ୧, ୨ ଓ ୩ରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଥିବା ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟ ପିଜି ହଷ୍ଟେଲ୍‌ ୱାଡେନ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ତିନିଟି ଯାକ ଛାତ୍ରାବାସରେ ଥିବା ରୁମ୍‌ ପଞ୍ଜୀକୃତ ଛାତ୍ରଙ୍କୁ ଆଲଟ୍‌ କରାଯିବ। ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହଷ୍ଟେଲ୍‌ ରୁମ୍‌ ମାଡ଼ି ବସିଛନ୍ତି ସେମାନେ ସେପ୍ଟେମ୍ବର ୪ ସୁଦ୍ଧା ଛାଡ଼ି ଚାଲିଯାଆନ୍ତୁ। ଏହାପରେ ଯଦି କୌଣସି ବ୍ୟକ୍ତିବିଶେଷ ବେଆଇନ ଭାବେ ରୁମ୍‌ରେ ରହୁଥିବା ନଜରକୁ ଆସିବ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ଯେଉଁମାନଙ୍କୁ ହଷ୍ଟେଲ ରୁମ୍‌ ଆଲଟ୍‌ ହୋଇଛି, ସେମାନେ ଅଣସ୍ବୀକୃତ ଅତିଥିମାନଙ୍କୁ ରୁମ୍‌ରେ ରଖନ୍ତୁ ନାହିଁ। ଏଥିସହ ଅନ୍ୟକୁ ବିକ୍ରି କିମ୍ବା ଭଡ଼ା ଆକାରରେ ନ ଦେବାକୁ ପରାମର୍ଶ ଦିଆଯାଇଛି। ବିଜ୍ଞପ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ତିନିଟି ଯାକ ହଷ୍ଟେଲ୍‌ର ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି।

ରାଜ୍ୟର ଏହି ସର୍ବପୁରାତନ ବିଶ୍ବବିଦ୍ୟାଳୟ ଏବେ ଅଣଛାତ୍ରଙ୍କ କବ୍‌ଜାରେ। ସୁଉଚ୍ଚ ଗେଟ୍‌ ସାଙ୍ଗକୁ ସୁରକ୍ଷାକର୍ମୀ ୨୪ ଘଣ୍ଟା ମୁତୟନ ଥିଲେ ମଧ୍ୟ ସନ୍ଧ୍ୟା ହେଲେ 
କ୍ୟାମ୍ପସ୍‌ର ଏକାଧିକ ସ୍ଥାନରେ ଖୋଲାଖୋଲି ଭାବେ ଅଣଛାତ୍ରଙ୍କ ଆସର ଜମୁଛି। କ୍ୟାମ୍ପସ୍‌ରେ ଖଟି ଜମାଉଛନ୍ତି। ଛାତ୍ରୀନିବାସ ଆଗରେ ଚକ୍କର କାଟିବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି। ଛାତ୍ରାବାସରେ ଆଡ଼ା ଜମାଉଥିବାରୁ ବାରମ୍ବାର ଗଣ୍ଡଗୋଳ ହେଉଛି। ଗତ ମାସରେ ତିନି ନମ୍ବର ଛାତ୍ରାବାସ ଛାତରୁ ଗଳିପଡ଼ି ଜଣେ କାର୍‌ ଡ୍ରାଇଭରଙ୍କ ମୃତ୍ୟୁ ହେବା ପରେ ଅଣଛାତ୍ରମୁକ୍ତ କ୍ୟାମ୍ପସ୍‌ ଗଢ଼ିବାକୁ ଦାବି ହୋଇଥିଲା। କ୍ୟାମ୍ପସ୍‌ରେ ସୁରକ୍ଷା ପ୍ରଦାନ କରିବାକୁ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ସହ କୁଳପତିଙ୍କ ସହ ଆଲୋଚନା କରିଥିଲେ। ସେହି ଆଧାରରେ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ ତଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଅଣଛାତ୍ର ବାହାରିଯିବା ପରେ ହଷ୍ଟେଲ୍‌ ରୁମ୍‌ଗୁଡ଼ିକ ପୁଣିଥରେ ଆଲଟ୍‌ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।