ରାୟଗଡ଼ା : ରାୟଗଡ଼ା ସହରରେ ଅହିଂସା ରଥକୁ ଅସମ୍ମାନ। ରଥ ପରିକ୍ରମା କରିବାକୁ ନିର୍ଦ୍ଧାରିତ ହୋଇଥିବା ଅଞ୍ଚଳରେ କୁଢ଼ କୁଢ଼ ଅଳିଆ ଗଦା ହୋଇଥିଲା। ଏପରିକି ରଥକୁ ସ୍ବାଗତ ଜଣାଇବା ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥଳରେ ଅଇଁଠା ଖଲି ଖେଳାଇ ହୋଇ ପଡ଼ିଥିଲା। ଅତିଥି ତ ଦୂରର କଥା ସ୍କୁଲ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ସ୍ବେଚ୍ଛାସେବୀଙ୍କ ବସିବା ପାଇଁ ନଥିଲା ଖଣ୍ଡିଏ ଚୌକି। ଖରା ତାତିରେ ୨କିଲୋମିଟର ରଥ ସହ ଚାଲି ଚାଲି ଆସିଥିବା ଲୋକଙ୍କୁ ପାଣି ଟୋପାଏ ବି ପିଇବାକୁ ଦିଆଯାଇ ନଥିଲା। ବିନା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗନ୍ତବ୍ୟ ଅଭିମୁଖେ ଅହିଂସା ରଥ ଯାତ୍ରା କରିଛି।

Advertisment

ଅନେକ ଥର ପୂର୍ବ ପ୍ରସ୍ତୁତି ସତ୍ତ୍ବେ ରାୟଗଡ଼ା ପୌରପାଳିକା ବେଫିକର ହୋଇ ଅକ୍ଷମଣୀୟ ଭୁଲ କରିଛି। ସାମାନ୍ୟ ସୌଜନ୍ୟ ବି ଦେଖାଇନାହିଁ। ସ୍ବାଧୀନତାର ସଂଘର୍ଷପୂର୍ଣ୍ଣ ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ବଳିଦାନକୁ ସିଧାସଳଖ ଅସମ୍ମାନ କରିଛି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦାୟିତ୍ବହୀନତା ଏବଂ ଅବ୍ୟବସ୍ଥା ଯୋଗୁ କାର୍ଯ୍ୟକ୍ରମରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସ୍ବେଚ୍ଛାସେବୀ ଫେରିଯିବାକୁ ବାଧ୍ୟ ହୋଇଯାଇଥିଲେ। ତେଣୁ ଅପରାହ୍ନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପ୍ରଶାସନ ନିକଟରେ ନଥିଲା। ଜିଲ୍ଲାପାଳ ସ୍ୱଧା ଦେବ ସିଂ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବା ପୂର୍ବରୁ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ସ୍ଥଳରେ କେହି ନଥିବା ତାଙ୍କୁ ଉତ୍ତର ଦିଆଯାଇଥିଲା। ଏଭଳି ଉତ୍ତର ଶୁଣି ବିଗିଡ଼ି ଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅସମ୍ମାନ ଚରମ ସୀମାରେ ପହଞ୍ଚି ଯାଇଥିବାରୁ ଅହିଂସା ରଥକୁ କେରେଡ଼ା ଅଭିମୁଖେ ନେବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ ଆଜି ଅହିଂସା ରଥ ସ୍ୱାଗତକୁ ସ୍ବାଗତ କରିବା ଏବଂ ପରିକ୍ରମା ନିମନ୍ତେ ସମସ୍ତ ଦାୟିତ୍ୱ ପୌରପାଳିକା ନେଇଥିଲା। ଏଥିପାଇଁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ଅପରାହ୍ନ ସାଢ଼େ ୨ଟାରେ କାର୍ଯ୍ୟକ୍ରମ ଆୟୋଜନ ଲାଗି ଚୂଡ଼ାନ୍ତ ହୋଇଥିଲା। ଏହାପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ହୋଇଥିଲେ ମଧ୍ୟ ରଥ ପହଞ୍ଚିବା ସମୟରେ ତାଙ୍କର ଦେଖା ମିଳି ନଥିଲା। ସେହିପରି କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଥିବା ସ୍ଥାନ ଅଶୋକ କଲ୍ୟାଣ ମଣ୍ଡପରେ ଆଜି ଭୋଜି କରିବାକୁ ଭଡ଼ାରେ ଦିଆଯାଇଥିଲା। ଯେଉଁଥି ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ କିଛି ଅଧିକାରୀଙ୍କ ଅବହେଳା ପାଇଁ ଆଜି ଜିଲ୍ଲାର ସମ୍ମାନ କଳଙ୍କିତ ହୋଇଛି। ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।