କର୍ମଚାରୀଙ୍କ ୬୦% ବକେୟା ଦରମା ନ ମିଳିବା ନେଇ ଅସନ୍ତୋଷ, ସରକାରଙ୍କ ବିରୋଧରେ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ଶାଣିତ କଲା ସ୍ୱର

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏ ଯାଏ ମିଳିଲାନି ୬୦% ବକେୟା ଦରମା କି ଘର ଭଡ଼ା ଭତ୍ତା। ୫% ମହଙ୍ଗା ଭତ୍ତା ବି ସରକାର ଦେଲେନି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଓଡ଼ିଶା ରାଜ୍ୟ ଅଣଗେଜେଟେଡ଼୍‌ କର୍ମଚାରୀ ସମନ୍ବୟ ସମିତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଗତକାଲି ସମିତିର କାର୍ଯ୍ୟକାରୀ ପରିଷଦ ବୈଠକରେ ଦାବି ଉଠିଛି।

କର୍ମଚାରୀ ସମନ୍ବୟ ସମିତି ଜଣାଇଛି ସପ୍ତମ ବେତନ କମିସନ ସୁପାରିସ ଅନୁଯାୟୀ ୨୦୧୬ ମସିହାରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ସମସ୍ତ ସୁବିଧା ସୁଯୋଗ ପାଇସାରିଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ଏ ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ କର୍ମଚାରୀ ସମନ୍ବୟ ସମିତି ଆନ୍ଦୋଳନ ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସରକାରଙ୍କ ସହ ସମନ୍ବୟ ରକ୍ଷା କରି କର୍ମଚାରୀଙ୍କ ସମସ୍ୟାର ନ୍ୟାୟୋଚିତ ସମାଧାନ ପାଇଁ ସବୁବେଳେ ଚେଷ୍ଟା କରିଆସିଛି। ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରି ସମିତି ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇ କହିଥିଲେ କର୍ମଚାରୀଙ୍କ ସହଯୋଗ ବିନା ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କିପରି ସମ୍ଭବ ହେବ। ଏପରି ସ୍ଥିତିରେ କର୍ମଚାରୀ ଓ ଅସନ୍ତୋଷକୁ ଏଡ଼ାଇ ଦାବି ଗୁଡ଼ିକ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅବିଳେମ୍ବେ ହସ୍ତକ୍ଷେପ କରନ୍ତୁ ବୋଲି ସମିତି ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ କହିଥିଲେ। ଆସନ୍ତା ଫେବ୍ରୁଆରି ୧୬ ଓ ୧୭ ତାରିଖରେ ସମିତିର ଦ୍ବିବାର୍ଷିକ ସମ୍ମିଳନୀ କଟକରେ ଅନୁଷ୍ଠିତ ହେବ। ବୈଠକରେ ସମନ୍ବୟ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ତ୍ରିପାଠୀ, ରୂପକେଶରୀ ଦଳାଇ, ପ୍ରସନ୍ନ ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର