୭ ଦିନ ରାଜ୍ୟରେ ସ୍ବାଭାବିକ ବର୍ଷା

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହୋଇଛି। ତେଣୁ ଚଳିତ ମାସରେ ରାଜ୍ୟରେ ମୌସୁମୀ ଜନିତ ବର୍ଷାର ସ୍ଥିତି ଏଯାବତ୍‌ ସ୍ବାଭାବିକ ରହିଛି। ଆଗକୁ ବି ଏମିତି ସ୍ଥିତି ଲାଗି ରହିଲେ, ଜୁନ୍‌ରୁ-ଅଗଷ୍ଟ ମଧ୍ୟରେ ନିଅଣ୍ଟିଆ ବର୍ଷା‌ରେ ଧୀରେଧୀରେ ସୁଧାର ଆସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶାପୋଷଣ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୧ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ମୋଟ୍‌ ୬୦.୮ ମିମି ବର୍ଷା ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୩.୮ମିମି ବର୍ଷା ହୋଇଥାଏ। ଏହି ସେପ୍ଟେମ୍ବର ୭ ଦିନ ମଧ୍ୟରେ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଆଉ ଏକ ହିସାବ ଅନୁଯାୟୀ ୧ ଜୁନ୍‌ରୁ ୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୭୨୧.୯ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୯୯୨.୫ ମିମି ବର୍ଷା ହୋଇଥାଏ। ତେଣୁ ସେପ୍ଟେମ୍ବର ୭ଦିନର ବର୍ଷା ଅଭାବୀ ବର୍ଷାର ପରିମାଣକୁ ମାତ୍ର ୨% କମାଇବାରେ ସକ୍ଷମ ହୋଇଛି। ଏବେ ବି ରାଜ୍ୟରେ ୨୭% ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି। ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ ଓ ନୂଆପଡ଼ା ଆଦି ୧୦ ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି। ୨୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ତନ୍ମଧ୍ୟରୁ ୫ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଛି। ଭଦ୍ରକ, ବଲାଙ୍ଗୀର, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲାରେ ୪୦%ରୁ ଅଧିକ ଅଭାବୀ ବର୍ଷା ହୋଇଥିବ‌ା ଜଣାପଡ଼ିଛି।

ଗତକାଲି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଛତିଶଗଡ଼ ଆଡ଼କୁ ଗତି କରିଛି। ଏହା ଏବେ ଦକ୍ଷିଣ ଛତିଶଗଡ଼ ତଥା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଆଖପାଖରେ ରହିଛି। ମୌସୁମୀ ଟ୍ରଫ୍‌ ଦକ୍ଷିଣ ଓଡ଼ିଶା ଦେଇ ଗତି କରୁଛି। ଫଳରେ ରାଜ୍ୟରେ ଏବେ ବର୍ଷାର ପରିମାଣ କମିବ। ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ବି ରହିଛି। ୯ ତାରିଖରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ୧୦ ଓ ୧୧ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର