ଅବକ୍ଷୟ ମୁହାଁ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ

ଭଞ୍ଜନଗର : ଗତ ୧୯୯୯ ମହାବାତ୍ୟା ପରଠାରୁ ଦୁଇ ଦଶନ୍ଧି ଭିତରେ ବିଭିନ୍ନ କାରଣରୁ ଓଡ଼ିଶାର ଅନ୍ୟତମ ବୃହତ୍ ବନଖଣ୍ଡ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟଜନିତ କାରଣ ହେଉ କିମ୍ବା ମନୁଷ୍ୟକୃତ, ବ୍ୟାପକ ଜଙ୍ଗଲସମ୍ପଦ ନଷ୍ଟହୋଇ ଚାଲିଛି। ଘଞ୍ଚ ଜଙ୍ଗଲ ଧୀରେ ଧୀରେ ପଦା ହେବାରେ ଲାଗିଛି। ଏହା ସାରାଜିଲ୍ଲାର ଜଳବାୟୁ ପରିବର୍ତ୍ତନ ଓ ସ୍ବଳ୍ପ ବୃଷ୍ଟିପାତ ସମସ୍ୟାର ଆଉ ଏକ ବଡ଼ କାରଣ ବୋଲି କୁହାଯାଉଛି। ତେବେ, ବନଖଣ୍ଡର ସୁରକ୍ଷା ସମେତ ନୂଆ ଜଙ୍ଗଲ ସୃଷ୍ଟି ଓ ଏହାର ଘନତ୍ବ ବଢ଼ାଇବାକୁ ଉଭୟ ବନଖଣ୍ଡ ପକ୍ଷରୁ ବର୍ତ୍ତମାନ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି। ଅଧିକ ଚାରାରୋପଣକୁ ନଜରରେ ରଖି ଉଭୟ ବନଖଣ୍ଡ ପକ୍ଷରୁ ବିଭିନ୍ନ ବନାଞ୍ଚଳ ଅଧୀନରେ ହୋଇଥିବା ସ୍ଥାୟୀ ଓ ଅସ୍ଥାୟୀ ନର୍ସରିରେ ୫୮ ଲକ୍ଷ ୧୦ ହଜାର ୫୦୦ଟି ଚାରା ପ୍ରସ୍ତୁତ ରଖାଯାଇଛି। ବାଉଁଶ, ଗମ୍ଭାରି, ଶିଶୁ, କରଞ୍ଜ, କଇଠ‌, ଚାକୁଣ୍ଡା, ଶିରିଶ, ନିମ୍ବ, ଫାସି, ଆମ୍ବ, ପଣସ, ଚନ୍ଦନ, ବାହାଡ଼ା, ଛତିଆନ, ବଉଳ, ମହାନିମ୍ବ, ଡାଳିମ୍ବ ଓ ଉସ୍ତ ଭଳି ବିଭିନ୍ନ ରକମର ଚାରାରୋପଣ ଲକ୍ଷ୍ୟ ରହିଛି।

ସୂଚନା ଅନୁସାରେ, ଚଳିତ ବର୍ଷ ଉଭୟ ବନଖଣ୍ଡରେ ପ୍ରାୟ ୫ ହଜାର ହେକ୍ଟର୍ ଜମିରେ ଚାରାରୋପଣ ଯୋଜନା ରହିଛି। କାମ୍ପା, ମନରେଗା ଓ ରାଜ୍ୟ ଜଙ୍ଗଲ ଉନ୍ନୟନ ପ୍ରକଳ୍ପ (ଓଏଫଏସଡିପି) ଯୋଜନାରେ ଚାରା ପ୍ରସ୍ତୁତି ହୋଇଛି। କାମ୍ପା ଯୋଜନାରେ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳର ୪୦୦ ହେକ୍ଟର୍, କେନ୍ଦ୍ରାଞ୍ଚଳର ୧୦୦ ହେକ୍ଟର୍, ଗାଲେରୀର ୨୧୫ ହେକ୍ଟର୍, ତାରସିଂର ୨୫୦ ହେକ୍ଟର୍ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳର ୧୦୦ ହେକ୍ଟର୍ ଜମିରେ ଚାରା‌ରୋପଣ ହେବ। ସେହିପରି ମନରେଗା ଯୋଜନାରେ କେନ୍ଦ୍ରୀୟ ବନାଞ୍ଚଳରେ ୫ ହେକ୍ଟର୍ ଓ ତାରସିଂରେ ୫୦ ହେକ୍ଟର୍ ଚାରା ପୋତାଯିବ। ଆଇଜିସି (ଇନକ୍ରିଜିଙ୍ଗ ଗ୍ରିନ୍ କଭର) ଯୋଜନାରେ ମୁଜାଗଡ଼ ଓ କେନ୍ଦ୍ରୀୟ ବନାଞ୍ଚଳରେ ୭୫ ହେକ୍ଟର୍ ଲେଖାଏଁ ଚାରା ପୋତାଯିବ। ପଥପ୍ରାନ୍ତ ଯୋଜନାରେ କେନ୍ଦ୍ରୀୟ ବନାଞ୍ଚଳର ୩ କିମି, ଗାଲେରୀର ୧୮କିମି, ତାରସିଂର ୪ କିମି ଓ ଜଗନ୍ନାଥପ୍ରସାଦ ବନାଞ୍ଚଳର ୬ କିମି ରାସ୍ତାରେ ଚାରାରୋପଣ ଏବଂ ରାଜ୍ୟ ଜଙ୍ଗଲ ଉନ୍ନୟନ ପ୍ରକଳ୍ପ (ଓଏଫଏସଡିପି) ଯୋଜନାରେ କେନ୍ଦ୍ରୀୟ ବନାଞ୍ଚଳରେ ୧୫ ହେକ୍ଟର୍ ଚାରାରୋପଣ ଯୋଜନା ରହିଛି।

ଜଙ୍ଗଲ କ୍ଷୟ କ୍ଷତି ଭରଣା ଉଦ୍ୟମ
ନୂଆ ଜଙ୍ଗଲ ସୃଷ୍ଟି ପାଇଁ ୫୮.୧୦ ଲକ୍ଷ ଚାରା ପ୍ରସ୍ତୁତ
୫ ହଜାର ହେକ୍ଟର୍ ଜଙ୍ଗଲ ଜମିରେ ହେବ ରୋପଣ
ପୋତିଲା ପରେ ରକ୍ଷଣାବେକ୍ଷଣ ଦାୟିତ୍ବ କାହାର?

OrissaPOST

ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୦ ଲକ୍ଷ ୯୨ ହଜାର ୩୦୦ ଚାରାରୋପଣ ପାଇଁ ଯୋଜନା ହୋଇଛି। ଆସିକା ରେଞ୍ଜ୍‌ରେ କାମ୍ପା ଯୋଜନାରେ ୨୮୦ ହେକ୍ଟର୍, ବୁଗୁଡ଼ାରେ ୪୫୦ , ପୋଲସରାରେ ୩୦୦, ସୋରଡ଼ାରେ ୨୬୦ ଏବଂ ବଡ଼ଗଡ ରେଞ୍ଜ୍‌ରେ ୩୭୦ ହେକ୍ଟର୍ ଜମିରେ ଗଛ ପୋତାଯିବ। ମନରେଗା ଯୋଜନାରେ ଆସିକାରେ ୨୦୦ ହେକ୍ଟର୍, ବୁଗୁଡ଼ାରେ ୨୫୦ ହେକ୍ଟର୍, ପୋଲସରାରେ ୨୦୦ ହେକ୍ଟର୍, ସୋରଡ଼ାରେ ୨୧୦ ହେକ୍ଟର୍ ଏବଂ ବଡ଼ଗଡ଼ ରେଞ୍ଜରେ ୨୦୦ ହେକ୍ଟର୍ ଜମିରେ ଚାରାରୋପଣ ହେବ। ଏଥିସହ ଉକ୍ତ ୫ଟି ରେଞ୍ଜ୍‌ରେ ଆଇଜିସି ଯୋଜନାରେ ୨୨୫ ହେକ୍ଟର ଏବଂ ଗ୍ରିନ୍‌ ଇଣ୍ଡିଆ ମିସନ୍‌ରେ ୧୬୫ ହେକ୍ଟର୍ ଏବଂ ଓଏଫ୍‌ଏସ୍‌ଡିପି ଯୋଜନାରେ ୨୨୫ ହେକ୍ଟର୍ ଜମିରେ ଚାରାରୋପଣ ପାଇଁ ଯୋଜନା ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଘୁମୁସର ବନଖଣ୍ଡର ୪୫ ଗୋଟି ସ୍ଥାନରେ ୧୭ ଲକ୍ଷ ୮୩,୮୦୦ ଓ ଦକ୍ଷିଣ ଘୁମୁସର ବନଖଣ୍ଡର ୫ଟି ରେଞ୍ଜରେ ୪୦ ଲକ୍ଷ ୨୭,୨୦୦ଟି ଚାରା ପ୍ରସ୍ତୁତ ହୋଇ ରହିଛି ବୋଲି ଡିଏଫ୍‌ଓ ଦିଲ୍ଲୀପ୍‌ କୁମାର ରାଉତ ସୂଚନା ଦେଇଛନ୍ତି। ଗଛଗୁଡ଼ିକୁ ବଞ୍ଚାଇ ରଖିବା ଦିଗରେ କାମ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ, ବାସ୍ତବରେ ଚାରାରୋପଣ ହେବା ପରେ ଏଗୁଡ଼ିକ ବଢ଼ିବ କି ନାହିଁ, ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଠିକ୍ ଭାବେ ହୋଇପାରିବି କି ନାହିଁ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ବି ବହୁଳମାତ୍ରାରେ ଚାରାରୋପଣ ନେଇ ପ୍ରଚାର କରାଯାଉଥିଲା। କିନ୍ତୁ ବାସ୍ତବରେ ନୂତନ ଜଙ୍ଗଲ ଦେଖିବାକୁ ମିଳୁ ନଥିଲା। ପ୍ରତିବର୍ଷ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମାଗଣାରେ ଚାରା ବଣ୍ଟନ କରାଯାଉଥିବା ବେ‌ଳେ ସେଥିରୁ କେତେ ପ୍ରତିଶତ ଚାରା ବଞ୍ଚିଛି ତାର ମୂଲ୍ୟାଙ୍କନ ବି ହେଉନି। ସାଂପ୍ରତିକ ପରିସ୍ଥିତିରେ ଏହାର ଏକ ସାମାଜିକ ସମୀକ୍ଷା କରାଯିବା ଆବଶ୍ୟକ ବୋଲି ପରିବେଶବିତ୍‌ ମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର