କେଶବ ପାଣି
ଚନ୍ଦ୍ରଶେଖରପୁର: ୨୦୦୯ ମସିହାରେ ଗଠନ ହେଲା ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ। ଏହା ପରେ ୩ଟି ନିର୍ବାଚନକୁ ସାମ୍ନା କରିଛି ଏହି ନିର୍ବାଚନମଣ୍ଡଳୀ। କିନ୍ତୁ ତିନିଟି ନିର୍ବାଚନକୁ ଅନୁଶୀଳନ କଲେ ଏକ ରୋଚକ ଘଟଣା ଦେଖିବାକୁ ମିଳୁଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଇଛନ୍ତି। ଦ୍ବିତୀୟ ଥର ପାଇଁ କାହାରିକୁ ଦଳ ଭରସା କରିନି। ସବୁ ଥର ବିଜେଡି ପ୍ରାର୍ଥୀ ବହୁ ଭୋଟ୍ ବ୍ୟବଧାନରେ ଜିତୁଥିଲେ ବି ଦଳ ବିଜୟୀ ପ୍ରାର୍ଥୀଙ୍କୁ ବି ଦ୍ବିତୀୟ ବାର ପ୍ରାର୍ଥୀ କରିନି। ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀମାନେ ମଧ୍ୟ ଦ୍ବିତୀୟ ଥର ଛିଡ଼ା ହେବାକୁ ମନ ବଳାଇ ନାହାନ୍ତି। ତେଣୁ ଏଥର କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ସେନେଇ ନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଉତ୍ସୁକତା ପ୍ରକାଶ ପାଇଛି।
ଏଥର ବିଜେଡି ଟିକେଟ୍ ଦୌଡ଼ରେ ବର୍ତ୍ତମାନର ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତଙ୍କୁ ନେଇ ଚର୍ଚ୍ଚା ଅଧିକ ରହିଛି। ଏବେ ତୃତୀୟ ମହଲାର ଗୁଡ଼୍ ବୁକ୍ରେ ରହିଛନ୍ତି ସୁଶାନ୍ତ। ବିଭିନ୍ନ କାର୍ଯ୍ୟକ୍ରମ ଅଧୀନରେ ଭୋଟରଙ୍କ ନିକଟତର ହେବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ନିର୍ବାଚନମଣ୍ଡଳୀରେ ଲାଗୁ କରିବା ଦିଗରେ ଆଗୁଆ ରହିଛନ୍ତି। ୨୦୨୨ ବିଏମ୍ସି ନିର୍ବାଚନ ବେଳେ ତାଙ୍କ ନେତତ୍ବରେ ନିର୍ବାଚନମଣ୍ଡଳୀର ୨୪ଟି ୱାର୍ଡ ମଧ୍ୟରୁ ବିଜେଡି ୧୮ଟିରେ ବିଜୟ ହୋଇଥିଲା। ନିର୍ବାଚନ ସରିବା କ୍ଷଣି ୩ଜଣ ସ୍ବାଧୀନ କର୍ପୋରେଟରଙ୍କୁ ବିଜେଡିରେ ମିଶାଇବାରେ ମଧ୍ୟ ତାଙ୍କ ଭୂମିକା ଥିଲା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିପୁଳ ବିଜୟ ଲାଭ କରିଥିଲେ। ୫ ବର୍ଷ ମଧ୍ୟରେ ନିର୍ବାଚନମଣ୍ଡଳୀରେ ପ୍ରାୟ ଶହେ କୋଟି ଟଙ୍କାର ଉନ୍ନତିମୂଳକ କାର୍ଯ୍ୟ କରିଥିବାରୁ ସୁଶାନ୍ତ ଟିକେଟ୍ ପାଉଥିବା ତାଙ୍କ ସମର୍ଥକମାନେ ଆଶାବାନ୍ଧି ବସିଛନ୍ତି। ଯଦି ସୁଶାନ୍ତଙ୍କ ଉପରେ ବିଜେଡି ସୁପ୍ରିମୋ ଆଉ ଥରେ ଭରସା କରନ୍ତି, ତେବେ ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବର ଧାରା ବଦଳିବ। ତେବେ ବିଜେଡିର ଆଉ ଏକ ଗୋଷ୍ଠୀର କହିବା କଥା ହେଉଛି ଯେ ସୁଶାନ୍ତ ଟିକେଟ ହାତେଇବା ସହଜ ହେବ ନାହିଁ। କାରଣ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଟିକେଟ୍ ଦୌଡ଼ରେ ସାମିଲ ହୋଇଛନ୍ତି। ୨୦୧୪ରେ ୭୩ ହଜାରରୁ ଅଧିକ ଭୋଟ ପାଇଥିବା ପ୍ରିୟଦର୍ଶୀ ଇତିମଧ୍ୟରେ ନିର୍ବାଚନମଣ୍ଡଳୀରେ ସକ୍ରିୟ ହୋଇଛନ୍ତି। ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। କେତେକ ପୂର୍ବତନ କର୍ପୋରେଟରଙ୍କ ସହ ବିଜେଡିର ଜଣେ ସାଂସଦଙ୍କର ତାଙ୍କ ପ୍ରତି ସମର୍ଥନ ରହିଥିବା କୁହାଯାଉଛି।
ଯଦି ବିଜେପି କଥା ଦେଖିବା ୨୦୦୯, ୨୦୧୪ ତୁଳନାରେ ୨୦୧୯ରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିଥିଲା। ଘରେ ଘରେ ଚିହ୍ନା ମୁହଁ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ନିର୍ବାଚନୀ ମଇଦାନକୁ ଛାଡ଼ିଥିଲା ବିଜେପି। ନିର୍ବାଚନମଣ୍ଡଳୀରେ ବିଜେପିର ଭୋଟ ହାର ବଢ଼ାଇବାରେ ଅପରାଜିତା ସକ୍ଷମ ହୋଇଥିଲେ ମଧ୍ୟ ନିର୍ବାଚନ ବୈତରଣୀ ପାର ହୋଇପାରି ନଥିଲେ। ନିର୍ବାଚନ ପରେ ଅପରାଜିତାଙ୍କର ଆଉ ଦେଖା ନାହିଁ। ପ୍ରତିଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବିଜେପିରୁ ଏଥର କିଏ ପ୍ରାର୍ଥୀ ହେବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କାରଣ ଦୌଡ଼ରେ ୨୦୧୪ର ବିଜେପି ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ଓ ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଯୁଗାଂଶୁଙ୍କ ପଛରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରହିଥିବା ବେଳେ ଦିଲ୍ଲୀପଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ଥିବା କୁହାଯାଉଛି। ନିର୍ବାଚନମଣ୍ଡଳୀରେ ଯେକୌଣସି କାର୍ଯ୍ୟକ୍ରମ ହେଲେ ମଧ୍ୟ ଉଭୟ ନିଜ ନିଜ ଢଙ୍ଗରେ ପରିଚାଳନା କରୁଛନ୍ତି। ଏ ଦୁଇଜଣଙ୍କ ବ୍ୟତୀତ ପ୍ରିୟଦର୍ଶୀ ମିଶ୍ରଙ୍କୁ ଯଦି ବିଜେଡି ଟିକେଟ୍ ନ ଦିଏ ତା’ହେଲେ ସେ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଗୋଟିଏ ମହଲରେ ଆଲୋଚନା ହେଉଛି।
ଏହି ନିର୍ବାଚନ ମଣ୍ଡଳୀରେ ସତ୍ତା ହରାଇଥିବା କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ସବୁଠି ଆଲୋଚନା। ୨୦୦୯ ନିର୍ବାଚନରେ ୧୧.୯୯% ଭୋଟ ପାଇଥିବା କଂଗ୍ରେସ ୨୦୧୪ରେ ୭% ଓ ୨୦୧୯ରେ ମାତ୍ର ୪% ଭୋଟ ହାତେଇବାରେ ସକ୍ଷମ ହୋଇଥିଲା। ୨୦୧୯ରେ ଇତିଶ୍ ପ୍ରଧାନଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ମାତ୍ର ୫ ହଜାର ଭୋଟ ପାଇବାରେ ସକ୍ଷମ ହୋଇଥିଲେ। ନିର୍ବାଚନ ପରେ ତାଙ୍କର ଆଉ ଦେଖା ନାହିଁ। ତେଣୁ କଂଗ୍ରେସ ଏଠାରେ ନୂଆ ମୁହଁ ଦେବା ଏକପ୍ରକାର ଥୟ। ଟିକିଏ ଦୌଡ଼ରେ କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତିଙ୍କ ସହ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ, ୨୦୦୯ର କଂଗ୍ରେସ ପ୍ରାର୍ଥୀ କିଶୋର ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ଯେହେତୁ ୨୦୦୯ ଓ ୨୦୧୪ରେ କିଶୋର ଓ ମନୋରଞ୍ଜନ ପରାସ୍ତ ହୋଇଛନ୍ତି ଏବଂ ବିଶେଷ କିଛି କାର୍ଯ୍ୟକ୍ରମ କରୁନାହାନ୍ତି, ତେଣୁ ନୂଆ ମୁହଁ ଭାବେ କୃଷ୍ଣଚନ୍ଦ୍ରଙ୍କୁ ସାହାରା କରିପାରେ ଦଳ। ବିଗତ କିଛି ଦିନ ହେଲା ଶ୍ରୀ ପତି ମଧ୍ୟ ସୈନିକ ସ୍କୁଲ ଡର୍ମ୍ପିଂୟାର୍ଡ, ଶିଖରଚଣ୍ଡୀ ପାହାଡ଼ ସୁରକ୍ଷା, ଜୟଦେବ ବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ଏବେ ୱାର୍ଡ ସ୍ତରରେ ବୈଠକ କରି କଂଗ୍ରେସର ପୁରୁଣା କର୍ମୀମାନଙ୍କୁ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବାରୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ନେଇ ଚର୍ଚ୍ଚା ଚାଲିଛି।