ଜଳେଶ୍ୱର/ଭଦ୍ରକ/ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧: ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ବି ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନାହିଁ। ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ଓ ଜଳକାର ଜଳସ୍ତର ବିପଦସଙ୍କେତ ତଳେ ରହିଛି। ଉପରମୁଣ୍ଡରେ ବର୍ଷା ହେଲେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟିହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ, ଭଦ୍ରକ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ଘଟିଛି। ଆଜି ଅପରାହ୍ଣ ୫ଟା ସୁଦ୍ଧା ବୈତରଣୀର ଜଳସ୍ତର ଖସୁଥିବା ବେଳେ ସାଳନ୍ଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି।

Advertisment

ହସ୍ତଗତ ସୂଚନା ଅନୁସାରେ, ଆଜି ରାତି ୮ଟାରେ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ୧୦.୩୮ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଥିବା ବେଳେ ଜଳକା ନଦୀର ମଥାନୀଠାରେ ୬.୪୧ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଉଭୟ ନଦୀର ଉପରମୁଣ୍ଡରେ ଗତ ୩୬ ଘଣ୍ଟା ମଧ୍ୟରେ ବର୍ଷା ନଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ ୧୦ଟା ସମୟରେ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ସର୍ବାଧିକ ୧୮.୨୦ ମିଟରରେ ପହ‌ଞ୍ଚି ସ୍ଥିର ହୋଇଥିଲା। ଦିନ ୧୨ଟାରେ ଜଳସ୍ତର କମିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ  ଜଳସ୍ତର ୧୮.୦୨ ମିଟର ରହିଥିଲା। ଜଳସ୍ତର ଘଣ୍ଟା ପ୍ରତି ୩ ମିମି ହ୍ରାସ ପାଉଛି ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ମିଳିଛି। ଆଖୁଆପଦାରେ ବୈତରଣୀର ସତର୍କ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। 

ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ଓ ଜଳକା

ଗତ ୨୪ ଘଣ୍ଟା ମଧ୍ୟରେ ବୈତରଣୀ ନଦୀର ଉପର ମୁଣ୍ତରେ ସେଭଳି କୌଣସି ବଡ଼ଧରଣର ବର୍ଷା ହୋଇ ନଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଏହି ସମୟ ମଧ୍ୟରେ ନଦୀର ଉପରମୁଣ୍ତ ଚମ୍ପୁଆରେ ୧.୮ମିମି, ସ୍ବାମପାଟଣାରେ ୪.୪ ମିମି, କେନ୍ଦୁଝରରେ ୧.୬ ମିମି, ଆନନ୍ଦପୁରରେ ୨.୦ ମିମି, ଆଖୁଆପଦାରେ ୧.୨ ମିମି ବର୍ଷା ରେକର୍ଡ କରାଯାଇଛି। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଆନିକଟ ଓ କଣ୍ଟିଘାଇ ପରିଦର୍ଶନ କରିବା ପରେ ଅଧୀକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡ଼େଇ ଓ ବିଡିଓ ଦେବଦତ୍ତ ଦାସଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। 

ସେହିପରି, ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ହଦଗଡ଼ ଡ୍ୟାମରେ ଫାଟକ ଖୋଲାଯାଇ ନଥିବା ବେଳେ ଉପରମୁଣ୍ଡରେ ବର୍ଷା ପାଇଁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସାଳନ୍ଦୀର ବିପଦସଂକେତ ୭୮.୨୩ ମିଟର ହୋଇଥିବା ବେଳେ ଏବେ ବିପଦସଂକେତ ତଳେ ଜଳସ୍ତର ରହିଛି। ତଥାପି ସାଳନ୍ଦୀ ନଦୀ ଉଛୁଳୁଛି। ଯଦି ହଦଗଡ଼ ଡ୍ୟାମ୍‌ ଫାଟକ ଖୋଲେ, ତେବେ ସାଳନ୍ଦୀ ଜଳ ଗାଁରେ ପଶିବାର ସମ୍ଭାବନା ରହିଛି। ଏହି କାରଣରୁ ଆଗରପଡ଼ା, ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ନଦୀକୂଳିଆ ଅଞ୍ଚଳ ଲୋକ ଆତଙ୍କିତ ହୋଇ ରହିଛନ୍ତି। ଅଧିକ ବର୍ଷା ହେଲେ ସାଳନ୍ଦୀ କୂଳ ଲଙ୍ଘିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ପ୍ରକାଶ କରିଛନ୍ତି।