ବାଲେଶ୍ବର : ପଞ୍ଚାୟତ ନିର୍ବାଚନରେ ବିଜେଡିର ଦମ୍ଦାର ବିଜୟ ଆଗରେ ବିରୋଧୀ ଦଳଗୁଡ଼ିକ ଏକପ୍ରକାର ନିଷ୍ପ୍ରଭ ହୋଇ ଯାଇଛନ୍ତି। ଉତ୍ତର ଓଡ଼ିଶାରେ ବି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଅର୍ଥବଳ, ବାହୁବଳ, ଧନାଦେଶ, ସରକାରୀ କଳର ଦୁରୂପଯୋଗ ଏମିତି ନାନା ଅଭିଯୋଗ ଭିତରେ ଜନତା ଜନାର୍ଦ୍ଦନ ପସନ୍ଦ କରିଛନ୍ତି ସରକାରୀ ଦଳକୁ। ଏସବୁ ଭିତରେ ବଡ଼ ବଡ଼ ହେଭିୱେଟ୍ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ନୂଆ ରାଜନୈତିକ ସମୀକରଣ ଦେଖିବାକୁ ମିଳିବ ବୋଲି ଆକଳନ କରିଛନ୍ତି ନିର୍ବାଚନୀ ବିଶେଷଜ୍ଞ।
ଓଡ଼ିଶାର ଶିକ୍ଷିତ ଆଦିବାସୀବହୁଳ ଜିଲ୍ଲା ହେଉଛି ମୟୂରଭଞ୍ଜ। ଏଥର ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରୁ ମୂଳପୋଛ ହୋଇଯାଇଛି ବିଜେପି। ୨୦୧୨ ପଞ୍ଚାୟତ ନିର୍ବାଚନରେ ମୋଟ୍ ୫୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୪୧ଟି ଆସନ ପାଇଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ। ସର୍ବାଧିକ ବହୁମତ ପାଇ ଜିଲ୍ଲା ପରିଷଦ ଗଢ଼ିଥିଲା ବିଜେଡି। ହେଲେ ୨୦୧୭ରେ ଓଲଟି ଯାଇଥିଲା ସତ୍ତା। ସମସ୍ତ ଆକଳନ, ଗଣିତକୁ ଭୁଲ ପ୍ରମାଣିତ କରି ବିଜେପି ୨୦୧୭ ନିର୍ବାଚନରେ ସର୍ବାଧିକ ୪୯ ଆସନ ହାତେଇଥିଲା ଏବଂ ଶାସକ ବିଜେଡିକୁ ମିଳିଥିଲା ମାତ୍ର ୫ଟି ଆସନ। ରାଜ୍ୟ ରାଜନୀତିରେ ବିଜେଡିର ଆଧିପତ୍ୟ ସତ୍ତ୍ବେ ବିଜେପିର ଏଭଳି ଅପ୍ରତ୍ୟାଶିତ ଉତ୍ଥାନରେ ରାଜନୈତିକ ବିଶାରଦମାନେ ବି ଚକିତ ହୋଇ ଯାଇଥିଲେ। କେବଳ ସେତିକି ନୁହେଁ, ୨୦୧୭ ପଞ୍ଚାୟତ ନିର୍ବାଚନର ପ୍ରତିଫଳନ ଦେଖିବାକୁ ମିଳିଥିଲା ୨୦୧୯ ସାଧାରଣ ନିର୍ବାଚନରେ। ଜିଲ୍ଲାରେ ମୋଟ୍ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ କରଞ୍ଜିଆ, ମୋରଡ଼ାକୁ ଛାଡ଼ିଦେଲେ ଅନ୍ୟ ୬ଟି ଆସନରେ ବିଜେପି ବିଧାୟକମାନେ ବିଜୟୀ ହୋଇଥିଲେ। ବିଧାନସଭା, ଲୋକସଭା, ପଞ୍ଚାୟତ ନିର୍ବାଚନରେ କ୍ରମାଗତ ଭାବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଆସୁଥିବା ଶାସକ ବିଜେଡି ପାଇଁ ମୟୂରଭଞ୍ଜ ଜିଲ୍ଲା ଥିଲା ଏକ ବଡ଼ ଆହ୍ବାନ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଗଡ଼କୁ ଅକ୍ଷୁଣ୍ଣ ରଖିବା ଲାଗି ଆଦିବାସୀ କାର୍ଡ ଖେଳିଥିଲା ବିଜେପି। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହଟାଇ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ସାମିଲ କରିଥିଲା। କିନ୍ତୁ ଆଦିବାସୀ କାର୍ଡ କିମ୍ବା ବିଶ୍ବେଶ୍ବରଙ୍କ ନେତୃତ୍ବ ଏଥର କିଛି କାମ କରିନାହିଁ। ବିଜେପି ଗଡ଼ରେ ମାଟି କାମୁଡ଼ିଛି ବିଜେପି। ଏବେ ବିଶ୍ବେଶ୍ବରଙ୍କ ନେତୃତ୍ବ ମଧ୍ୟ ସଂକଟରେ।
ଭଦ୍ରକ ଜିଲ୍ଲାରେ ବିଜେଡିର ଅଖଣ୍ଡ ପ୍ରଭାବ ସତ୍ତ୍ବେ ୨୦୧୭ରେ ଧସେଇ ପଶିଥିଲା ବିଜେପି। ଧାମନଗର ନିର୍ବାଚନମଣ୍ଡଳୀର ସମସ୍ତ ୪ଟି ଯାକ ଜିଲ୍ଲା ପରିଷଦ ଜୋନ୍କୁ ନିଜ ଅକ୍ତିଆରକୁ ନେଇଥିଲା। ହେଲେ ବିଜେପିକୁ ଏଥର ପରାଭବର ସାମନା କରିବାକୁ ପଡ଼ିଛି। ଶାସକ ଦଳ ସବୁ ଜୋନ୍ରେ ବିଜେପି ପ୍ରାର୍ଥୀଙ୍କଠାରୁ ଢେର ଆଗରେ ରହି ବିଜୟକୁ ସୁନିଶ୍ଚିତ କରିଛି। ବିଷ୍ଣୁଙ୍କ ଭଳି ଟାଣୁଆ ନେତାଙ୍କ ନେତୃତ୍ବ ଓ ସାଙ୍ଗଠନିକ ଦକ୍ଷତା ବିଜେଡିର ବିପୁଳ ବିଜୟ ଭିତରେ ହଜିଯାଇଛି।
ବାଲେଶ୍ବର ଜିଲ୍ଲାର ମୋଟ୍ ୮ଟି ନିର୍ବାଚନମଣ୍ଡଳୀରୁ କେବଳ ନୀଳଗିରିରେ ବିଜେପି ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟ ସବୁଠି ବିଜେଡି ବିଧାୟକ ଅଛନ୍ତି। ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ଗଢ଼ିଥିବାବେଳେ ଏଥର ମଧ୍ୟ ହାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛି। ତା ସତ୍ତ୍ବେ ବିଜେଡି ଗଡ଼ରେ ବିଜେପିର ଆବିର୍ଭାବ ଦଳୀୟ ବିଧାୟକଙ୍କୁ ଅକଳରେ ପକାଇଛି। ବିଜେଡି ବିଧାୟକ ତଥା ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନିର୍ବାଚନମଣ୍ଡଳୀ ସିମୁଳିଆରୁ ବିଜେପିର ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ ହେବା, ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ ସମିତି ସଭ୍ୟରେ ହାରିଯିବା, ବିଜେପିର ଗଡ଼ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଘର ନୀଳଗିରିରେ ବିଜେଡି ପ୍ରାର୍ଥୀଙ୍କ ଜିତାପଟ୍, ବାଲେଶ୍ବର ସଦର ବ୍ଲକରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଆଦି ଚଳିତ ପଞ୍ଚାୟତ ନିର୍ବାଚନରେ ଗୋଟିଏ ଗୋଟିଏ ଉଲ୍ଲେଖନୀୟ ଘଟଣା। ୨୦୨୪ ନିର୍ବାଚନ ପୂର୍ବରୁ ନିଜ ନିଜ ଅଞ୍ଚଳରେ ସାଙ୍ଗଠନିକ ସ୍ଥିତିକୁ ନ ସୁଧାରିଲେ ଉପରୋକ୍ତ ନେତାମାନଙ୍କୁ ନିଜ ପଦ ବଜାୟ ରଖିବା ଲାଗି ମଧ୍ୟ ଢେର କସରତ କରିବାକୁ ପଡ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।