ନିୟମିତ ହେଉନି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୧୦ ବିଭାଗ

୨୦୧୮ରୁ ରାଜ୍ୟ ସରକାର ଦେଲେଣି ମଞ୍ଜୁରୀ, କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କଲେ ଛାତ୍ରଛାତ୍ରୀ

ବାରିପଦା : ରାଜ୍ୟ ସରକାର ୨୦୧୮ରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ)ର ୧୦ଟି ବିଭାଗକୁ ନିୟମିତ କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି। ଏଟିଏସ୍, ଡବ୍ଲ୍ୟୁଏଲବିସି, ଏମବିଏ, ଏମଏସଡବ୍ଲ୍ୟୁ, ମାଥମେଟିକ୍ସ, ଏଜୁକେସନ, କମ୍ପ୍ୟୁଟର ସାଇନ୍ସ୍, ଇଣ୍ଟିଗ୍ରେଟେଡ୍ ବିଇଏଡ୍-ଏମ୍ଇଏଡ, ଇଂରାଜୀ ଏବଂ ସାନ୍ତାଳୀ ଭଳି ୧୦ଟି ବିଭାଗକୁ ନିୟମିତ କରିବାକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଭାଗ ଗୁଡ଼ିକ ନିୟମିତ ହୋଇପାରିନାହିଁ। ଯାହାଫଳରେ ଛାତ୍ରଛାତ୍ରୀମାନେ ଉକ୍ତ ବିଭାଗଗୁଡ଼ିକରେ ଉଚ୍ଚ ଫି ଦେଇ ପଢ଼ିବାକୁ ବାଧ୍ୟ ହେବେ।

ସେଲ୍-ଫାଇନାନ୍ସିଂ ମୋଡ୍‌ରେ ପାଠ ପଢ଼ିବାରୁ ଗରୀବ ମେଧାବୀଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ଉପରୋକ୍ତ ବିଷୟଗୁଡ଼ିକରେ ଏସଏଫଏସ ମୋଡ୍‌ରେ ପଢ଼ିବାକୁ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଜିଲ୍ଲାରେ ଏକ ଐତିହାସିକ ଗଣଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ବେଳେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଉପରୋକ୍ତ ବିଭାଗଗୁଡ଼ିକରେ ଯଥାଶୀଘ୍ର ନିୟମିତ ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସେହିପରି ଏହି ବିଭାଗଗୁଡ଼ିକୁ ତୁରନ୍ତ ନିୟମିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ନିୟମିତ ବିଭାଗ ଭଳି ସର୍ବନିମ୍ନ ଫି ନେବା ଆଦି ଦାବିରେ ଆଜି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶଙ୍କର୍ଷଣ ପଣ୍ଡାଙ୍କ ନେତୃତ୍ୱରେ ଛାତ୍ରନେତା ଚିତ୍ତେଶ୍ୱର ବେହେରା, ହିମାଂଶୁ ମହାନ୍ତ, ହିମାଂଶୁ ଶେଖର ତରେଇ, ପ୍ରଦୀପ ବାରିକ , ଲକ୍ଷ୍ମୀକାନ୍ତ ବେହେରା, ସୌମ୍ୟରଞ୍ଜନ ସେଠୀ, ସମୀର କୁମାର ଦାସ, ଦୀପିକା ବିଶ୍ୱାଳ, ଅନୁଶ୍ରୀ ବାରିକ, ଶୁଭଶ୍ରୀ ମହାନ୍ତ, ପୂଜା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଉଲ୍ଲେଖଯୋଗ୍ୟଯେ, ରାଜ୍ୟ ସରକାର ୨୦୧୮ରେ ବିଶ୍ୱବିଦ୍ୟାଳୟର ୧୦ଟି ବିଭାଗକୁ ନିୟମିତ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ୨ ବର୍ଷ ଅତୀତ ହୋଇ ସାରିଛି । ମାତ୍ର ଏହି ସମସ୍ତ ବିଭାଗରେ ପାଠପଢ଼ା ନିମନ୍ତେ ନିୟମିତ ସରକାରୀ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ । ଫଳରେ ଛାତ୍ରଛାତ୍ରୀମାନେ ବିତ୍ତୀୟ ବିଭାଗରେ ବର୍ଷକୁ ୪୦/ ୫୦ ହଜାର ଟଙ୍କା ଖର୍ଚ୍ଚ କରି ପଢ଼ିବାକୁ ବାଧ୍ୟ ହେଉଥିବା ସମୟରେ କେତେକ ଗରୀବ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ଅବିଳମ୍ବେ ନିୟମିତ ବିଭାଗରେ ପାଠ ପଢ଼ା ଆରମ୍ଭ କରାନ ଗଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର