ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳସଚିବ କେଁ : ଦାୟିତ୍ୱ ନ ନେଇ ବି କୁଳସଚିବଙ୍କୁ ପଦୋନ୍ନତି

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳସଚିବ। କାମଚଳା କୁଳସଚିବଙ୍କୁ ନେଇ ଚାଲିଛି ବିଶ୍ବବିଦ୍ୟାଳୟ। ଫଳରେ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଉପୁଜିବା ସହ ନାନା ଦୁର୍ନୀତି ମଧ୍ୟ ମୁଣ୍ଡ ଟେକୁଛି। ରାଜ୍ୟସ୍ତରରେ ବିଶ୍ବବିଦ୍ୟାଳୟର ଗରିମା କ୍ଷୁଣ୍ଣ ହେଉଛି। ଏମିତି ଗଦାଗଦା ଅଭିଯୋଗ ଆସିବା ପରେ ଚଳିତବର୍ଷ ଜାନୁଆରି ୨୦ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବିଡିଓ ସହଦେବ ସମଧିଆ (ଓଏଏସ୍‌)ଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଏହାମଧ୍ୟରେ ୯ ମାସ ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଶ୍ରୀ ସମାଧିଆ ଏଯାବତ୍‌ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। କିନ୍ତୁ ସେପଟେ ଶ୍ରୀ ସମାଧିଆଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ କାର୍ଯ୍ୟରତ ଥିବା ଦର୍ଶାଇ ତାଙ୍କୁ ପଦୋନ୍ନତି (ନୋସ୍‌ନାଲ ପ୍ରମୋସନ୍‌) ଦେଇ ସାରିଲେଣି ରାଜ୍ୟ ସରକାର। ସରକାରଙ୍କ ଏଭଳି ବିଚିତ୍ର ନୀତିରେ ସମସ୍ତେ ତାଜୁବ ଓ ଆଶ୍ଚର୍ଯ୍ୟାନ୍ବିତ।

ସୂଚନା ଅନୁସାରେ, ୯ ମାସ ହେଲା କାର୍ଯ୍ୟରେ ଯୋଗ ଦେଇନଥିଲେ ମଧ୍ୟ ଉକ୍ତ ପଦରେ ରହିଥିବାରୁ ପଦୋନ୍ନତି ପାଇଛନ୍ତି ଶ୍ରୀ ସମାଧିଆ। ସବୁଠୁ ବଡ଼ କଥା ହେଲା ତାଙ୍କ ସହିତ ବଦଳି ହୋଇଥିବା ଅନ୍ୟ ବିଶ୍ବବିଦ୍ୟାଳୟର କୁଳସଚିବମାନେ କେବେଠୁ କାର୍ଯ୍ୟରେ ଯୋଗ ଦେଇସାରିଲେଣି। ମାତ୍ର କାହା ଆଶୀର୍ବାଦ ବଳରେ ଶ୍ରୀ ସମାଧିଆ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ, ୨୦୧୯ ଫେବ୍ରୁଆରିରୁ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଭାରପ୍ରାପ୍ତ କୁଳସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପାଠପଢ଼ା ସହିତ ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ତାଙ୍କ ଉପରେ ‌ନ୍ୟସ୍ତ ଥିବାରୁ ସେ ଚାପରେ ରହୁଛନ୍ତି। ଏ ନେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ କହିଛନ୍ତି, ଆମେ ମଧ୍ୟ ସ୍ଥାୟୀ କୁଳସଚିବଙ୍କ କାର୍ଯ୍ୟରେ ଯୋଗ‌ ଦେବାକୁ ଅପେକ୍ଷା କରିଛୁ। ତେବେ କ’ଣ ପାଇଁ ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି, ତାହା ସେ ଜାଣିନାହାନ୍ତି। ପିଏଚ୍‌ଡି କରିନଥିବା ବ୍ୟକ୍ତିଙ୍କୁ ପିଏଚ୍‌ଡି ଯୋଗ୍ୟତା ଥିବା ଦର୍ଶାଇ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ମିଳିବା ଘଟଣାରେ ଉଚ୍ଚଶିକ୍ଷା ବିଭାଗ ନିକଟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୈଫିୟତ ତଲବ କରିଥିଲା। ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ କୁଳସଚିବଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ଏବେ ସୁଦ୍ଧା ତାହା ପ୍ରଦାନ କରାଯାଇନାହିଁ। ଆଉ ଏବେ କୁଳସଚିବଙ୍କ ଅନୁପସ୍ଥିତି ଘଟଣା ବିଶ୍ବବିଦ୍ୟାଳୟରେ ସବୁକିଛି ଠିକ୍‌ ନଥିବା ସ୍ପଷ୍ଟ କରୁଛି। ଏଭଳି ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ସ୍ଥାୟୀ କୁଳସଚିବଙ୍କୁ ଏଠାରେ ଅବସ୍ଥାପିତ କରିବା ନିମନ୍ତେ ତତ୍ପରତା ଦେଖାଉ ବୋଲି ବିଶ୍ବବିଦ୍ୟାଳୟ ସଂଘର୍ଷ ବାହିନୀର ପ୍ରତିଷ୍ଠାତା ଆବାହକ ବିଭୁଦତ୍ତ ଦାସ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର