ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ହେବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ

‘ସମ୍ବାଦ’ରେ ଖବର ପ୍ରକାଶ ପରେ ରାଜ୍ୟ ସରକାରଙ୍କ ତତ୍ପରତା

ବାରିପଦା: ଶେଷରେ ତତ୍‌ପରତା ଦେଖାଇଲେ ରାଜ୍ୟ ସରକାର। ନବଓଡ଼ିଶାର ଅନ୍ୟତମ ବିନ୍ଧାଣୀ, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରଜାବତ୍ସଳ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନେଇ ଆରମ୍ଭ ହୋଇଛି ଉଦ୍ୟମ। ଆଜି ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଛି। ଏଥିସହିତ ଶ୍ରୀରାମଚନ୍ଦ୍ର ପାଠାଗାର (ଜୁବୁଲି ଲାଇବ୍ରେରୀ)ର ପୁନରୁଦ୍ଧାର ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ହାତକୁ ନେବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଛି। ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାର ନେତୃବୃନ୍ଦ ଅନୁରୋଧ କରି ଏକ ପତ୍ର‌ ପ୍ରେରଣ କରିଛନ୍ତି।

‘ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ ଶୀର୍ଷକ ଏକ ଖବର ଗତକାଲି ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ମଧ୍ୟ ତ୍ବରିତ୍‌ ପଦକ୍ଷେପ ନେଇଥିଲେ। ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷକୁ ମର୍ଯ୍ୟାଦାର ସହିତ ପାଳନ କରିବାକୁ ଜିଲ୍ଲା ବିଜେଡି ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବାକୁ କୁହାଯାଇଥିଲା। ଫଳସ୍ବରୂପ ଆଜି ସକାଳେ ମାଲ୍ୟାର୍ପଣଠାରୁ ଆରମ୍ଭ କରି ସ୍ମୃତିସଭା ଓ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବା ପରେ ଏ ସଂକ୍ରାନ୍ତରେ ଗଣମାଧ୍ୟମ ସମ୍ମୁଖରେ ତଥ୍ୟ ରଖିଥିଲା ଦଳ। ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା-୨ ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ଦଳୀୟ ମୁଖପାତ୍ର ଡ଼ା.ହରିଶ ଚୌଧୁରୀ, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ, ଯୁବ ସଭାପତି ଅରୁଣ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହାରାଜାଙ୍କୁ ନେଇ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମକରଣ କରାଗଲେ ଦିବଂଗତ ମହାନ୍‌ ବ୍ୟକ୍ତିତ୍ବଙ୍କ ପ୍ରତି ଉଚିତ୍‌ ସମ୍ମାନ ହେବ ବୋଲି ମତପ୍ରକାଶ ପାଇଥିଲା। ମହାରାଜାଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଏପରି ତତ୍ପରତା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି। ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ହରିବଳଦେବ ଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ ନିମନ୍ତେ ୫ କୋଟି ବଦଳରେ ଅଧିକ ଟଙ୍କା ଯୋଗାଇ ଦେବା ସହ ଅବହେଳିତ ଅବସ୍ଥାରେ ଥିବା ଶ୍ରୀରାମଚନ୍ଦ୍ର ପାଠାଗାରର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ହାତକୁ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର