ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଲଟିଛି ଥଇଥାନ ସ୍ଥଳ : ସରକାରୀ ଅର୍ଥରେ ପୋଷୁଛନ୍ତି ଧଳାହାତୀ

ଚୁକ୍ତି ସମୟ ସରିନି ନବୀକରଣ ହୋଇଗଲା, ସରକାରଙ୍କ ନିୟମକୁ ବାଏଁ ବାଏଁ ଉଡ଼େଇଦେଲେ କର୍ତ୍ତୃପକ୍ଷ

ବାରିପଦା : ଗଜେନ୍ଦ୍ର ପ୍ରସାଦ ଦାସ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ)ରେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିବା ଜଣେ ଠିକା ପରାମର୍ଶଦାତା। ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣଙ୍କ ୨୧ ନଭେମ୍ବର ୨୦୧୫ରୁ ଏଠାରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଏଥିପାଇଁ ସେ ବେଶ୍ ମୋଟା ଅଙ୍କର ବେତନ ମଧ୍ୟ ନେଉଛନ୍ତି। ପର୍ଯ୍ୟାୟକ୍ରମେ ତାଙ୍କର ନବୀକରଣ ହୋଇଚାଲିଛି। ଚଳିତ ବର୍ଷ ଅକ୍ଟୋବର ମାସରେ ତାଙ୍କର ଚୁକ୍ତି ସରିବାର ଥିଲା। ମାତ୍ର ଚୁକ୍ତି ନସରୁଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅତ୍ୟନ୍ତ ତରବରିଆ ଭାବେ ଗତକାଲି ତାଙ୍କର କାର୍ଯ୍ୟକାଳକୁ ପୁଣି ୬ମାସ ପାଇଁ ବଢ଼େଇଦେଇଛନ୍ତି। ଯାହାକି ନିକଟରେ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଲଗେଇଥିବା ରୋକ ନିୟମର ଖୋଲା ଉଂଲଘନ।

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ କେବଳ ଶ୍ରୀ ଦାସ ନୁହନ୍ତି, ତାଙ୍କ ଭଳି ଆହୁରି ଏକାଧିକ ଅବସରପ୍ରାପ୍ତ କର୍ମଚାରୀ ମୋଟାଅଙ୍କର ଦରମା ପାଇ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଏକପ୍ରକାର ଅବସର ପରବର୍ତ୍ତୀ ଥଇଥାନ କେନ୍ଦ୍ର ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। କରୋନା କଟକଣା ସତ୍ତ୍ବେ ରାଜ୍ୟର କେତେକ ସରକାରୀ ବିଶ୍ୱବିଦ୍ୟାଳୟ ମନଇଚ୍ଛା ଅବସରପ୍ରାପ୍ତ କର୍ମଚାରୀ ତଥା ନିଜ ଅନୁଗତଙ୍କୁ ଉଚ୍ଚ ପଦବୀରେ ଥଇଥାନ କରିବା ପରିଲକ୍ଷିତ ହୋଇଥିଲା। ସେହିପରି ଅନ୍ୟାନ୍ୟ ବିଭିନ୍ନ ଖର୍ଚ୍ଚ ଉପରେ ଏହି ମହାମାରୀ ସମୟରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ ଲଗାଇଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ଉପସଚିବ ମୀତାରାଣୀ ବିଶ୍ୱାଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ପଦବୀ ସୃଷ୍ଟି କରାନଯିବା ସହିତ ନୂତନ ପରାମର୍ଶଦାତା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

ମାତ୍ର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରିଥିବା ପ୍ରମାଣିତ ହୋଇଛି। ଏପରିକି ଅତ୍ୟନ୍ତ ପ୍ରିୟାପ୍ରୀତି ଦେଖାଇ ଚୁକ୍ତି ଅବଧି ସରିବାର ବେଶ୍ ପୂର୍ବରୁ ପୁଣିଥରେ ନବୀକରଣ କରାଯାଇଛି। ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଦସ୍ତଖତରେ ଏହି ନବୀକରଣ କରାଯାଇଛି। ଏହା ସମ୍ପୂର୍ଣ୍ଣ ବେଆଇନ। କାରଣ ପରାମର୍ଶଦାତା ଭାବେ ୨୦୧୫ରୁ କାର୍ଯ୍ୟକରିଆସୁଥିବା ଏହି ଅବସରପ୍ରାପ୍ତ କର୍ମଚାରୀଜଣଙ୍କର ବୟସ ୬୫ ଅତିକ୍ରମ କରିଥିବା ଜଣାପଡ଼ିଛି। ଯାହାକି ୨୦୧୪ରେ ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ନେଇ କରିଥିବା ନିୟମର ବିରୋଧାଚରଣ କରୁଛି। ଏହି ନିୟମ ଅନୁଯାୟୀ ଜଣେ ଅବସରପ୍ରାପ୍ତ କର୍ମଚାରୀ ସରକାରୀ କାର୍ଯ୍ୟାଳୟରେ ସର୍ବାଧିକ ଚାରି ବର୍ଷ କିମ୍ବା ତାଙ୍କ ବୟସ ୬୫ ହେବା ପର୍ଯ୍ୟନ୍ତ ନିଯୁକ୍ତି ପାଇପାରିବେ। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିୟମକୁ ମଧ୍ୟ ଖାତିର କରିନାହାନ୍ତି। ଠିକା ପରାମର୍ଶଦାତା ନିଯୁକ୍ତିକୁ ନେଇ କର୍ତ୍ତୃପକ୍ଷ ବେଶ୍ ଆଗ୍ରହ ଦେଖାଉଥିବାବେଳେ ବିଶ୍ୱବିଦ୍ୟାଳୟରେ ଖାଲିପଡିଥିବା ନିୟମିତ ପଦବୀ ପୂରଣ ନିମନ୍ତେ କିନ୍ତୁ ଆଗ୍ରହ ଦେଖାଉନଥିବା ଦୃଷ୍ଟିଗୋଚର ହୋଇଛି।

ମିଳିଥିବା ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ଏକାଧିକ ଅବସରପ୍ରାପ୍ତ କର୍ମଚାରୀମାନେ ନିୟମିତ ପଦବୀ ପୂରଣ ନକରିବାକୁ ଅଧିକାରୀମାନଙ୍କୁ ପ୍ରଭାବିତ କରି ନିଜର ଅବଧି ବାରମ୍ବାର ବୃଦ୍ଧି କରିବାରେ ସଫଳ ହେଉଛନ୍ତି। ଏନେଇ ବିଶ୍ଵବିଦ୍ୟାଳୟ କୁଳସଚିବ ପି କେ ଶତପଥୀ କହିଛନ୍ତିଯେ ଏଠାରେ ଅବସ୍ଥାପିତ ଅବସରପ୍ରାପ୍ତ କର୍ମଚାରୀମାନେ ବେଶ ଦକ୍ଷତାର ସହିତ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କଠାରୁ ଏମାନେ ବହୁତ ଭଲ କାର୍ଯ୍ୟ କରୁଛନ୍ତି। ମାତ୍ର ନିୟମକୁ ମୋଡ଼ିମକଚି କରାଯାଇଥିବା ଏହି ବେଆଇନ ନିଯୁକ୍ତି ସମ୍ପର୍କରେ ସେ ଆଉଥରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଠିକା ପରାମର୍ଶଦାତାମାନେ ଯଦି ଅଧିକ ଦକ୍ଷତାର ସହିତ କାର୍ଯ୍ୟକରୁଛନ୍ତି, ତେବେ ସ୍ଥାୟୀ କର୍ମଚାରୀମାନେ କାହିଁକି ଆଶାମୁତାବକ କାର୍ଯ୍ୟ କରୁନାହାନ୍ତି, ସେନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ନିୟମକୁ ଖୋଲା ଉଂଲଘନ କରି ସ୍ୱୟଂ କୁଳସଚିବ କିପରି ଏପରି ବେଆଇନ କାମ କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର