ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମଜୟନ୍ତୀ ବର୍ଷ: ବଦଳିଲା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ନାମ, ରାଜ୍ୟ ସରକାର ହାତକୁ ନେଲେ ଦାୟିତ୍ବ

ବାରିପଦା: ନବଉତ୍କଳର ଅନ୍ୟତମ ବିନ୍ଧାଣୀ ତଥା ଭଞ୍ଜ ମାଟିର ମଉଡ଼ମଣୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଚଳିତ ବର୍ଷ ହେଉଛି ୧୫୦ତମ ଜନ୍ମଜୟନ୍ତୀ ବର୍ଷ। ଏହି ଅବସରରେ ମହାରାଜାଙ୍କ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରି ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି।

ସେହିପରି  ୧୮୯୯ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବୁଲି ଲାଇବ୍ରେରୀ)ର ସମ୍ପୂର୍ଣ୍ଣ ନବୀକରଣ ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ପ୍ରତ ଲେଖି ଜଣାଇଛନ୍ତି। ଏହି ଐତିହାସିକ ପାଠାଗାରର ସାମଗ୍ରୀକ ଉନ୍ନତି ପାଇଁ ବିସ୍ତୃତ ଯୋଜନା ଏବଂ ଅଟକଳ ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି। ସେହିପରି ରାଜ୍ୟ ସରକାର ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯(ଓଡ଼ିଶା ଆକ୍ଟ୍‌ ୫, ୧୯୮୯)ର ଉପଧାରା(୧)ର କ୍ଲଜ୍‌ (ସି) ଅନୁସାରେ ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି । ଏନେଇ ରାଜ୍ୟ ସରକାର ଆଜି ଗେଜେଟ୍‌ ନୋଟିଫିକେସନ୍‌ ମଧ୍ୟ କରିଛନ୍ତି।

ଆଜିଠାରୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।  ଉଲ୍ଲେଖଯୋଗ୍ୟଯେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ ସମ୍ମାନ ଦେବା ନେଇ ରାଜ୍ୟ ସରକାର ବେଶ୍‌ ତତ୍ପରତା ପ୍ରକାଶ କରିଛନ୍ତି।

ଏନେଇ ‘ସମ୍ବାଦ’ରେ ଚଳିତ ମାସ ୧୬ ତାରିଖ ଦିନ ପ୍ରଥମେ ‘ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପରେ ସମଗ୍ର ରାଜ୍ୟରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟର ଜଣେ ଏପରି ମହାନ ବ୍ୟକ୍ତିତ୍ବଙ୍କୁ ଯଥୋଚିତ ସମ୍ମାନ ମିଳିନଥିବା ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ରାଜ୍ୟ ସରକାର ମଧ୍ୟ ତ୍ବରିତ ପଦକ୍ଷେପ ନେଇଥିଲେ। ତୁରନ୍ତ ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷକୁ ମର୍ଯ୍ୟାଦାର ସହିତ ପାଳନ କରିବାକୁ ଜିଲ୍ଲା ବିଜେଡି ଏବଂ ନେତୃବୃନ୍ଦଙ୍କୁ ଉପରୁ ସ୍ପଷ୍ଟ ନିର୍ଦ୍ଦେଶ ଆସିଥିଲା। ଦଶନ୍ଧି ଦଶନ୍ଧି ପୂର୍ବରୁ ବିକାଶର ପରିଭାଷାକୁ ବୁଝିଥିବା ବିଶିଷ୍ଟ ଜନନାୟକ, ପ୍ରଜାବତ୍ସଳ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନେଇ ଆରମ୍ଭ ହୋଇଥିଲା କସରତ୍‌। ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ଗଠନରେ ସେ ସାଜିଥିଲେ ମୁଖ୍ୟ ପୁରୋଧା।

‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନର ପ୍ରଥମ ସଭାପତି ପଦ ମଣ୍ଡନ ଶିକ୍ଷା, ସ୍ବାସ୍ଥ୍ୟ, କଳା ସଂସ୍କୃତିଠୁଁ ଆରମ୍ଭ କରି ୮୦-୯୦ ଦଶକରେ ଶିଳ୍ପର ବିକାଶରେ ସେ ଥିଲେ ଜଣେ ଧୁରୀଣ ସ୍ଥାବକ। ମାତ୍ର ସେପରି ମହାନ ବ୍ୟକ୍ତିତ୍ବଙ୍କୁ ରାଜ୍ୟ ସରକାର ପୂର୍ବରୁ ଯେପରି ମର୍ଯାଦା ଦେବାକଥା ସେପରି ଦେଇନଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ୧୮୭୧ରୁ ୧୯୧୨ ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କର କୃତିତ୍ବକୁ ମନେପକେଇବା କିମ୍ବା ଆଗାମୀ ପିଢ଼ିଙ୍କୁ ଜଣେ ଦୂରଦ୍ରଷ୍ଟା ବିକାଶ ପୁରୁଷଙ୍କ ସମ୍ପର୍କରେ ଜଣେଇବାକୁ ‘ସମ୍ବାଦ’ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା।

ତେବେ ଆଜିର ରାଜ୍ୟ ସରକାରଙ୍କର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଜିଲ୍ଲାରେ ଏକପ୍ରକାର ଖୁସିର ବାତାବରଣ ଖେଳିଯାଇଛି। ସେହିପରି ଜୁବୁଲୀ ଲାଇବ୍ରେରୀ ପାଠାଗାରର ସାମଗ୍ରୀକ ବିକାଶ ନିମନ୍ତେ ରାଜ୍ୟ ସରକାର ନେଇଥିବା ନିଷ୍ପତିକୁ ମଧ୍ୟ ଜିଲ୍ଲାର ସବୁ ମହଲାରେ ସ୍ବାଗତ କରାଯାଇଛି। ତେବେ ଏହି ଯୋଗଜନ୍ମା ପୁରୁଷଙ୍କୁ କେବଳ ମୟୂରଭଞ୍ଜ ମଧ୍ୟରେ ସିମୀତ ନରଖି ରାଜ୍ୟସ୍ତରରେ ମଧ୍ୟ ଆଉ କିଛି ସ୍ମୃତି ବହନ କରୁଥିବା କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେବା ଆବଶ୍ୟକ ବୋଲି ମଧ୍ୟ ଦାବି ହୋଇଛି।

ସମ୍ବନ୍ଧିତ ଖବର