ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ହେବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ

ନାମ ବଦଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଲା ଜିଲ୍ଲା ବିଜେଡି, ସମାନ ଦାବି ରଖିଲା ବିଜେପି

ବାରିପଦା: ଚେତିଲେ ରାଜ୍ୟ ସରକାର। ଦଶନ୍ଧି ଦଶନ୍ଧି ପୂର୍ବରୁ ବିକାଶର ପରିଭାଷାକୁ ବୁଝିଥିବା ବିଶିଷ୍ଟ ଜନନାୟକ, ପ୍ରଜାବତ୍ସଳ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ ନେଇ ଆରମ୍ଭ ହୋଇଛି କସରତ୍‌। ଆଜି ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିବାକୁ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଛି। ଏଥିସହିତ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବୁଲି ଲାଇବ୍ରେରୀ)କୁ ପୁନରୁଦ୍ଧାର ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ହାତକୁ ନେବା ନିମନ୍ତେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଅନୁମୋଦନ କରିବା ସହିତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲାର ନେତୃବୃନ୍ଦ ଅନୁରୋଧ କରି ଏକ ପତ୍ର‌ ପ୍ରେରଣ କରିଛନ୍ତି।

ଗତକାଲି ‘ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଭୁଲିଗଲେ’ ଶୀର୍ଷକ ଏକ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ସମଗ୍ର ରାଜ୍ୟରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ରାଜ୍ୟର ଜଣେ ଏପରି ମହାନ ବ୍ୟକ୍ତିତ୍ବଙ୍କୁ ଯଥୋଚିତ ସମ୍ମାନ ମିଳିନଥିବା ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ରାଜ୍ୟ ସରକାର ମଧ୍ୟ ତ୍ବରିତ ପଦକ୍ଷେପ ନେଇଥିଲେ। ତୁରନ୍ତ ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷକୁ ମର୍ଯ୍ୟାଦାର ସହିତ ପାଳନ କରିବାକୁ ଜିଲ୍ଲା ବିଜେଡି ଏବଂ ନେତୃବୃନ୍ଦଙ୍କୁ ଉପରୁ ସ୍ପଷ୍ଟ ନିର୍ଦ୍ଦେଶ ଆସିଥିଲା। ଏପରିକି ଜିଲ୍ଲାରେ ନିୟୋଜିତ ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଜିଲ୍ଲାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିବାକୁ କୁହାଯାଇଥିଲା। ତେଣୁ ସକାଳୁ ହିଁ ଜିଲ୍ଲା ବ‌ିଜେଡିରେ ତତ୍ପରତା ପ୍ରକାଶ ପାଇଥିଲା।

ମାଲ୍ୟାର୍ପଣଠାରୁ ଆରମ୍ଭ କରି ସ୍ମୃତି ସଭା ଏବଂ ଶେଷରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯିବା ପରେ ଗଣମାଧ୍ୟମ ସମ୍ମୁଖରେ ତଥ୍ୟ ରଖିଥିଲା ଦଳ। ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା-୨ ସଭାପତି କାଶିନାଥ ହେମ୍ବ୍ରମ, ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ଦଳୀୟ ମୁଖପାତ୍ର ଡ଼ା. ହରିଶ ଚୌଧୁରୀ, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ, ଯୁବ ସଭାପତି ଅରୁଣ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏହି ଅବସରରେ ବର୍ଷତମାମ ମହାରାଜାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଜିଲ୍ଲାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମକରଣ କରାଗଲେ ଦିବଂଗତ ମହାନ୍‌ ବ୍ୟକ୍ତିତ୍ବଙ୍କ ପ୍ରତି ଏକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳୀ ଏବଂ ଉଚିତ୍‌ ସମ୍ମାନ ହେବ ବୋଲି ମତପ୍ରକାଶ ପାଇଥିଲା। ମହାରାଜାଙ୍କ ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଏପରି ତତ୍ପରତା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି। ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦରର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କରାଯିବା ନିମନ୍ତେ ୫ କୋଟି ବଦଳରେ ଅଧିକ ଟଙ୍କା ଯୋଗାଇ ଦେବା ସାଙ୍ଗକୁ ଅବହେଳିତ ଅବସ୍ଥାରେ ଥିବା ଶ୍ରୀରାମଚନ୍ଦ୍ର ପାଠାଗାରକୁ ପୁର୍ନଉଦ୍ଧାର ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ହାତକୁ ନେବା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଉ

ବାରିପଦା: ବିଜେଡି ଭଳି ବିଜେପି ମଧ୍ୟ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରାଯିବାକୁ ଦାବି କରିଛି। ଏଥିସହିତ ଉତ୍ତର ଉଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି ପୂର୍ବତନ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର। ଗତକାଲି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଧୂମଧାମରେ ପାଳନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ଏଥସହିତ ବିଜେପି ମହାରାଜାଙ୍କୁ ଉଚିତ୍‌ ସମ୍ମାନ ପ୍ରଦାନ କରିବାକୁ ରାଜ୍ୟ ସରକାର ଯତ୍ନବାନ ହେବାକୁ ଦାବି କରିଛି। ତେବେ ଉଭୟ ବିଜେଡି ଏବଂ ବିଜେପି ମହାରାଜାଙ୍କ ସମ୍ମାନ ପାଇଁ ମିଳିତ ଭାବେ ସମା‌ନ ଦାବି କରିବା ଏକ ଭଲ ପଦକ୍ଷେପ ବୋଲି ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ମାସା ଆର୍ମୀ ସଂଗଠନ ପକ୍ଷରୁ ମଧ୍ୟ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରି ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରିବାକୁ ଦାବି କରିଛି।

 

ସମ୍ବନ୍ଧିତ ଖବର