ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ଅବସ୍ଥା ଏମିତି : ଭିତ୍ତିଭୂମି ନ ଥାଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସ!

କେନ୍ଦୁଝର : ଭିତ୍ତି ଭୂମି ନ ଥାଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। କ୍ୟାମ୍ପସ ଭିତରକୁ ରାସ୍ତା ନାହିଁ କି ଶ୍ରେଣୀ ଗୃହ ପାଇଁ ଘର ନାହିଁ। ବିଦ୍ୟୁତ୍ ସମସ୍ୟା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ବାସସ୍ଥାନ ସମସ୍ୟା ଦେଇ ଗତି କରୁଛି ଏହି କେନ୍ଦୁଝର କ୍ୟାମ୍ପସ। ୨୦୧୭ରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କେନ୍ଦୁଝର କ୍ୟାମ୍ପସ ଆରମ୍ଭ ହୋଇଥିଲା। ଏହି କ୍ୟାମ୍ପସ ଏଠାରେ ୧୩.୫ ଏକର ଜମିରେ ଆରମ୍ଭ ହୋଇଥିଲା। ଏଠାରେ ପିଜି, ଏମ୍‌ଫିଲ୍‌ ଏବଂ ପିଏଚଡି ଡିଗ୍ରିର ଶିକ୍ଷାଦାନ ବ୍ୟବସ୍ଥା ହୋଇଛି। ଏଠାରେ ଓଡିଆ, ସଂସ୍କୃତ, ଇଂରାଜୀ, ବସ୍ତୁ ବିଜ୍ଞାନ, ଭୂତତ୍ବ ବିଜ୍ଞାନରେ ଏହି ସବୁ ଶିକ୍ଷାଦାନ ବ୍ୟବସ୍ଥା ହୋଇଛି।

ପ୍ରଥମେ ରହିଛି ଶିକ୍ଷକ ସମସ୍ୟା। ଏଠାରେ ଓଡ଼ିଆ ବିଭାଗରେ ୩୦ ଜଣ ଛାତ୍ରଛାତ୍ରୀ ପିଜି କରୁଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରୁଛନ୍ତି। ଏହି ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ୍ ପ୍ରଫେସର ଏବଂ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଏଯାଏ ଏଠାରେ ପ୍ରଫେସର ପୋଷ୍ଟ ଫାଙ୍କା ପଡ଼ିଛି। ସେହିପରି ସଂସ୍କୃତରେ ୩୦ ଛାତ୍ରଛାତ୍ରୀ ପିଜି କରୁଥିବା ବେଳେ ୬ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରୁଛନ୍ତି। ସଂସ୍କୃତ ବିଭାଗରେ ବି ଜଣେ ପ୍ରଫେସର , ଜଣେ ଆସୋସିଏଟ୍ ପ୍ରଫେସର ଏବଂ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଏଠାରେ ପ୍ରଫେସର ନାହାନ୍ତି।

ସେହିପରି ଇଂରାଜୀରେ ୩୦ ଛାତ୍ରଛାତ୍ରୀ ପିଜି କରୁଥିବା ବେଳେ ୬ ଜଣ ଏମ୍‌ଫିଲ୍‌ କରୁଛନ୍ତି। ଏମାନଙ୍କ ପାଇଁ ମଧ୍ୟ ସମାଜ ଶିକ୍ଷକ ରହିବା କଥା। କିନ୍ତୁ ଏଠାରେ ଇଂରାଜୀ ପ୍ରଫେସର ନାହାନ୍ତି କି ଆସୋସିଏଟ୍ ପ୍ରଫେସର ନାହାନ୍ତି। ଖାଲି ଜଣେ ଆସିଷ୍ଟାଣ୍ଟ ପ୍ରଫେସରରେ ଚାଲିଛି ବିଭାଗ। ସେହିପରି ବସ୍ତୁ ବିଜ୍ଞାନ ବିଭାଗରେ ୩୦ ଛାତ୍ରଛାତ୍ରୀ ପିଜି କରୁଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ଏମଫିଲ୍ କରୁଛନ୍ତି। ସେ ଦୃଷ୍ଟିରୁ ଏଠାରେ ଜଣେ ପ୍ର‌ଫେସର, ଜଣେ ଆସୋସିଏଟ୍ ପ୍ରଫେସର ଏବଂ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। ମାତ୍ର ଏଠାରେ ପ୍ରଫେସର ନାହାନ୍ତି କି ଆସୋସିଏଟ୍ ପ୍ରଫେସର ନାହାନ୍ତି। ସେହିପରି ଚଳିତ ବର୍ଷ ଭୂତତ୍ବ ବିଜ୍ଞାନ ବିଭାଗ ଆରମ୍ଭ ହୋଇଥିଲେ ବି ଏଯାଏ ପ୍ରଫେସର କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ହୋଇ ନାହାନ୍ତି।

ସେହିପରି ଅଣ ଶିକ୍ଷକ କ୍ଷେତ୍ରରେ ବି ସମାନ ଅବସ୍ଥା। ଏଠାରେ ଜଣେ ମାତ୍ର ସେକ୍ସନ ଅଫିସର ରହିଛନ୍ତି। ଅନ୍ୟ ସମସ୍ତେ ବାହାରୁ ଠିକାରେ ଆସିଛନ୍ତି। ଏଠାରେ ୫ ଜଣ କିରାଣି, ୩ ଜଣ ପିଅନ ଏବଂ ୨ ଜଣ ଜଗୁଆଳି ରହିଛନ୍ତି।

ଭିତ୍ତିଭୂମି ମଧ୍ୟ ସଜଡ଼ା ହୋଇପାରି ନାହିଁ। ଏଠାରେ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ଏବେ ବିଶ୍ବବିଦ୍ୟାଳୟକୁ ଯିବା ପାଇଁ ରାସ୍ତା ନାହିଁ। ଏବେ ଜଣେ ବ୍ୟକ୍ତିଙ୍କ ଘରୋଇ ଜମି ଦେଇ ବିଶ୍ବବିଦ୍ୟାଳୟକୁ ଯିବା ଆସିବା ଚାଲିଛି। ସେହିପରି ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ ନାହିଁ। ଏମିତିକି କି ପାଠପଢ଼ିବା ପାଇଁ ଶ୍ରେଣୀଗୃହ ମଧ୍ୟ ନାହିଁ। ଦୀର୍ଘ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ବି କାର୍ଯ୍ୟର ମନ୍ଥରତା ଯୋଗୁ ଶ୍ରେଣୀ ଗୃହ, ପ୍ରଶାସନିକ ଗୃହ ଏବଂ ହଷ୍ଟେଲ କାର୍ଯ୍ୟ ସରୁ ନାହିଁ। ସେହିପରି କର୍ମଚାରୀଙ୍କ କ୍ବାର୍ଟର ମଧ୍ୟ ନିର୍ମାଣ ସରୁ ନ ଥିବାରୁ ଦୂର ଦୂରାନ୍ତରରେ ସେମାନେ ରହୁଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଲା କ୍ୟାମ୍ପସର ସୁରକ୍ଷା। ଆବଶ୍ୟକ ସୁରକ୍ଷା କର୍ମଚାରୀ ନ ଥିବାରୁ ପ୍ରତିଦିନ ସନ୍ଧ୍ୟାରେ ଏହି କ୍ୟାମ୍ପସ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ଏମିତିକି ଏ ସଂପର୍କରେ ପୁଲିସ ଅବଗତ ଥିଲେ ବି ନିୟମିତ ପାଟ୍ରୋଲିଂ ହେଉ ନାର୍ହି।

ସମ୍ବନ୍ଧିତ ଖବର