ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ଅନଶନ ସ୍ଥଗିତ, କୁଳପତିଙ୍କ ସହିତ ଆଲୋଚନା ପରେ ବାହାରିଲା ସମାଧାନ ରାସ୍ତା

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଅନଶନ ୪ର୍ଥ ଦିନରେ ସ୍ଥଗିତ ରହିଛି। ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ ହସ୍ତକ୍ଷେପ ଏବଂ କୁଳପତିଙ୍କ ସହିତ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଛି। ଛାତ୍ରଛାତ୍ରୀଙ୍କର ମୋଟ ରିଆଡମିସନ୍ ଫି’ର ୭୦ ପ୍ରତିଶତ ଛାଡ଼ ଦାବିରେ ଆରମରଣ ଅନଶନ କରିଥିବା ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ଟିଉସନ୍ ଫି ଛାଡ଼ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ କୁଳାଧିପତି ତଥା ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି।

କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଯେପର୍ଯ୍ୟନ୍ତ ଏନେଇ କୌଣସି ଉତ୍ତର ଆସିନାହିଁ, ସେପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟରେ ରିଆଡମିସନ୍ ପ୍ରକ୍ରିୟା ସ୍ଥଗିତ ରହିବ ବୋଲି କୁଳପତି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ସ୍ଥଗିତ ରହିଥିବା ଛାତ୍ରନେତା ଚିତ୍ତେଶ୍ବର ବେହେରା ପ୍ରକାଶ କରିଛନ୍ତି। ଆଜି କୁଳପତି ପ୍ରଦୀପ କୁମାର ଚାନ୍ଦ ଅନଶନରତ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କର ଅନଶନ ଭଙ୍ଗ କରିଥିଲେ। ଏହି ଅବସରରେ କୁଳସଚିବ ପି କେ ଶତପଥୀ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ, ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ କରୋନା କାରଣରୁ ଛାତ୍ରଛାତ୍ରୀମାନେ ପୁରା ରିଆଡମିସନ୍ ଫି ଦେବାକୁ ଅସମର୍ଥ। ତେଣୁ ୭୦ ପ୍ରତିଶତ ଛାଡ଼ ନେଇ ଚିତ୍ତେଶ୍ବର ବେହେରା, ବିଶ୍ୱରଞ୍ଜନ ରାଉତ, ସମୀର ଦାସ, ଆଶୁତୋଷ ଦେ, ଜୟଦେବ ପଣ୍ଡା, ପ୍ରଦୀପ କୁମାର ମାଝୀ ପ୍ରମୁଖ ଆମରଣ ଅନଶନ କରିଥିଲେ।

ଅନଶନକୁ ନେଇ ଦୁଇ ପକ୍ଷରୁ ମାମଲା ରୁଜୁ, ଛାତ୍ରଛାତ୍ରୀଙ୍କ ବିରୋଧ ଏତଲା ଦେଲେ କୁଳସଚିବ
କୁଳପତି ଏବଂ କୁଳସଚିବଙ୍କ ବିରୋଧରେ ପାଲଟା ଏତଲା ଦେଲେ ଛାତ୍ର

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆମରଣ ଅନଶନ କରିଥିବା ୬ଜଣ ଛାତ୍ରଙ୍କ ସମେତ ଅନ୍ୟାମାନଙ୍କ ବିରୋଧରେ କୁଳସଚିବ ପି କେ ଶତପଥୀ ବାରିପଦା ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ହୋଇଥିବା ଏହି ଆମରଣ ଅନଶନକୁ ନେଇ ଛାତ୍ରଙ୍କ ବିରୋଧରେ କୁଳସଚିବଙ୍କ ଏତଲାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହା ବିରୋଧରେ ଆଜି ଛାତ୍ରନେତା ଚିତ୍ତେଶ୍ବର ବେହେରାଙ୍କ ପକ୍ଷରୁ କୁଳପତି ଏବଂ କୁଳସଚିବଙ୍କ ବିରୋଧରେ ବାରିପଦା ଟାଉନ ଥାନାରେ ପାଲଟା ମାମଲା ରୁଜୁ କରାଯାଇଛି। କୁଳପତି ଏବଂ କୁଳସଚିବ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ସମୟରେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଫଳରେ ଉଭୟ କରୋନା ଆଇନକୁ ଉଂଲଘନ କରିଥିବା ଅଭିଯୋଗ ହୋଇଛି। ଅନଶନକାରୀ ଛାତ୍ରଙ୍କ ବିରୋଧରେ ମାମଲା ଏବଂ ପରେ କୁଳପତି ଏବଂ କୁଳସଚିବଙ୍କ ନାମରେ ପାଲଟା ମାମଲା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର