ଉତ୍ତର ଓଡ଼ିଶା ଓ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ଆରମ୍ଭ

ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚଶିକ୍ଷା ବିଭାଗ

ଭୁବ‌ନେଶ୍ବର : ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେଉଛି। ଏହାପୂର୍ବରୁ ନୂତନ କୁଳପତି ଚୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ସଚିବ ତଥା ଚୟନ କମିଟିର ଆବାହକ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୁଳପତି ପଦବି ଲାଗି ଯେଉଁ ପ୍ରଫେସର ଆବେଦନ କରିବେ ୨୦୨୦ ଅକ୍ଟୋବର ୧ ସୁଦ୍ଧା‌ ତାଙ୍କ ବୟସ ୬୨ ବର୍ଷରୁ କମ୍‌ ହୋଇଥିବ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ର ସେକ୍ସନ ୬ ଅନୁଯାୟୀ ଆବେଦନକାରୀଙ୍କର ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ।

କୁଳପତି ଭାବେ ନିଯୁକ୍ତ ହେବା ପରେ ମାସକୁ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ। ଏଥିସହ ମାସକୁ ୫ ହଜାର ଟଙ୍କାର ସ୍ବତନ୍ତ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବି ମିଳିବ। କାର୍ଯ୍ୟରେ ଯୋଗଦେବାଠାରୁ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷ ହେବ। ନଚେତ୍‌ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ। ଆଗ୍ରହୀ ପ୍ରଫେସରମାନେ ନିର୍ଦ୍ଧାରିତ ଆବେଦନପତ୍ର ପୂରଣ କରି ‘[email protected]’ ମାଧ୍ୟମରେ ଆବେଦନ କରିପାରିବେ। ଏହାବ୍ୟତୀତ ଗୋଟିଏ ସେଟ୍‌ ଆବେଦନପତ୍ର(ହାର୍ଡକପି) ସହ ସମସ୍ତ ଡକ୍ୟୁମେଣ୍ଟ ସଂଯୋଗ କରି ସ୍ପିଡ୍‌ପୋଷ୍ଟରେ ପଠାଇପାରିବେ। ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା କୌଣସି ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଆବେଦନକାରୀମାନେ ‘www.dheodisha.gov.in’ ରୁ ଆବେଦନ ଫର୍ମ ଡାଉନ୍‌ଲୋଡ କରିପାରିବେ। ଏଥିସହ ଉକ୍ତ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଲାଗି ଆବେଦନର ଶେଷ ତାରିଖ ଜୁଲାଇ ୧୭ ଥିବା ବେଳେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପାଇଁ ଜୁଲାଇ ୧୩ ରଖାଯାଇଛି।

ସୂଚନାଯୋଗ୍ୟ ଯେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମଧୁସ୍ମିତା ଦାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧ରେ ଶେଷ ହେଉଥିବା ବେଳେ ଅଗଷ୍ଟ ମାସ ଶେଷ ଆଡ଼କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ।

ସମ୍ବନ୍ଧିତ ଖବର