ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି: ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନରେ ମୋବାଇଲ୍ ଖୋଜୁଛି ପୁଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିବା ସ୍ଥାନରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସ୍ପି ପହଞ୍ଚି ସେଠାରେ ଛାନଭିନ୍ କରୁଛନ୍ତି। ଫରେନସିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାତରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଉଛି। ଏପରିକି ଏଠାରେ ଆଉ କିଛି ଲୁଚାଯାଇଥିବା ସନ୍ଦେହ କରୁଛି ପୁଲିସ, ଯେଉଁଥିପାଇଁ କିଛି ଲୋକଙ୍କୁ ଆହୁରି ଗାତ ଖୋଳିବାକୁ ଡକାଯାଇଛି। ତେଣୁ ଗାତ ଖୋଳିବା ପରେ ଆଉ କଣ ଏଥିରେ ଲୁଚାଯାଇଛି ତାହା ସ୍ପଷ୍ଟ ହେବ।

ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗୀର ପୁଲିସ। ତେଣୁ ଏହି ସମୟ ମଧ୍ୟରେ ଗୋବିନ୍ଦଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୁଲିସ। ଖାସକରି ମମିତାଙ୍କର ଯେଉଁ ମୋବାଇଲ ଗାଏବ ଅଛି, ତାହାକୁ ପୋଲିସ ଖୋଜୁଥିବା କୁହାଯାଉଛି। କାରଣ ଏହି ଗାତ ଭିତରୁ ମମିତାଙ୍କର ପାଉଁଜି ଓ ସୁନା ଚେନ ମିଳିଥିବା ବେଳେ ମୋବାଇଲ ଏଯାଏଁ ମିଳିପାରିନାହିଁ। ଆଉ ଏହି ମୋବାଇଲରେ ପ୍ରମାଣ ରହିଥିବା କୁହାଯାଉଛି। ଏଥିପାଇଁ ପୁଲିସ ଫୋକସରେ ଏବେ ମୋବାଇଲ ରହିଛି। ଅନ୍ୟପଟେ ମୃତଦେହକୁ କିଭଳି ଗାତ ଖୋଳି ପୋତାଗଲା, ତାହାର ପୂରା ସିନ୍ ରିକ୍ରିଏସନ କରିବାକୁ ଗୋବିନ୍ଦ ସାହୁଙ୍କ ପୁଲିସ ଷ୍ଟାଡିୟମକୁ ଆଣିପାରେ ବୋଲି କୁହାଯାଉଛି। କିନ୍ତୁ ଆଜି ବଲାଙ୍ଗୀର ବନ୍ଦ ପାଳନ ହେଉଥିବା ହେତୁ ଆଜି ଗୋବିନ୍ଦଙ୍କୁ ଘଟଣାସ୍ଥଳତୁ ଅଣାଯିବ କି ନା, ସେଥଇନେଇ କିଛି ସୂଚନା ମିଳିନାହିଁ। ଏଣେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା ସ୍ଥାନୀୟ ଲୋକଙ୍କୁ ଷ୍ଟାଡିୟମ ଭିତରକୁ ଛଡ଼ାଯାଉନାହିଁ।

 

ସମ୍ବନ୍ଧିତ ଖବର