ପ୍ରଫେସନାଲ ଟ୍ୟାକ୍ସ ବୋଝ ନୁହେଁ: ସୁଶୀଲ ଲୋହାନି

ଦେଶର ପ୍ରାୟ ୧୭ଟି ରାଜ୍ୟ ପ୍ରଫେସନାଲ ଟ୍ୟାକ୍ସ ଲାଗୁ କରିଥିବା ବେଳେ ଓଡ଼ିଶା ଏଥିରେ ସାମିଲ୍‌ ଅଛି। ହେଲେ ଜିଏସ୍‌ଟି ଆଦାୟରେ ଓଡ଼ିଶା ଯେପରି ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ପ୍ରଫେସନାଲ୍ ଟ୍ୟାକ୍ସ କ୍ଷେତ୍ରରେ ସେହି ସଫଳତା ହାସଲ କରିପାରିନି। ତେଣୁ ରାଜ୍ୟ ସରକାର ଏବେ ପ୍ରଫେସନାଲ ଟ୍ୟାକ୍ସ ଆଦାୟକୁ ଗୁରୁତ୍ବ ଦେଉଛନ୍ତି। ଏସଂପର୍କରେ କମର୍ସିଆଲ ଟ୍ୟାକ୍ସ ଓ ଜିଏସ୍‌ଟି କମିସନର ସୁଶୀଲ ଲୋହାନିଙ୍କ ସହ ‘ସମ୍ବାଦ’ ପକ୍ଷରୁ ବିଶ୍ବଜିତ ଦାଶଙ୍କ ସାକ୍ଷାତକାର।

ପ୍ରଶ୍ନ: ଇନକମ୍‌ ଟ୍ୟାକ୍ସ, ଜିଏସ୍‌ଟି, ତେଲ ଉପରେ ଭାଟ୍‌ ଲୋକ ଦେଉଛନ୍ତି। ପ୍ରଫେସନାଲ ଟ୍ୟାକ୍ସ ପୁଣି କାହିଁକି ଦେବେ?
ଉତ୍ତର: ରାଜ୍ୟରେ ଯେତେ ସବୁ ଟିକସ ଆଦାୟ ହେଉଛି ସେଥିରେ କେନ୍ଦ୍ର ସରକାରଙ୍କ ଭାଗ ରହୁଛି। ତେଣୁ ବିଭିନ୍ନ ରାଜ୍ୟ ସରକାର ପ୍ରଫେସନାଲ ଟ୍ୟାକ୍ସ ଆଦାୟ କରୁଛନ୍ତି। ଏଥିରେ ଯିଏ ରୋଜଗାର କରୁଛି ସେ ଟିକସ ଦେବ। ହେଲେ ନିମ୍ନ ଆୟ ବର୍ଗଙ୍କୁ ଏଥିରେ ଛାଡ଼ କରାଯାଇଛି। ଯାହାଠୁ ବି ଟିକସ ଆଦାୟ ହେଉଛି ତାହା ତାଙ୍କୁ ବାଧିଲା ଭଳିଆ ଅର୍ଥ ନୁହେଁ। ଯିଏ ବର୍ଷକୁ ୧ଲକ୍ଷ ୬୦ହଜାର ଟଙ୍କାରୁ କମ୍‌ ଆୟ କରୁଛନ୍ତି ସେ ଏହି ଟିକସ ଦେବେନି। କିନ୍ତୁ ଯିଏ ୧.୬ଲକ୍ଷରୁ ୩ଲକ୍ଷ ମଧ୍ୟରେ ଆୟ କରୁଛନ୍ତି ସେମାନେ ବର୍ଷକୁ ୧୫୦୦ଟଙ୍କା, ୩ରୁ ୬ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକ ବର୍ଷକୁ ୨୫୦୦ଟଙ୍କା ଦେବେ। ଜିଏସ୍‌ଟି ଡିଲର, ବିଭିନ୍ନ କମ୍ପାନି ବର୍ଷକୁ ୨୫୦୦ଟଙ୍କା ଲେଖାଏଁ ପ୍ରଫେସନାଲ୍ ଟ୍ୟାକ୍ସ ଦେବେ।

ପ୍ରଶ୍ନ: ଆୟ କରୁଥିବା ଲୋକ ପ୍ରଫେସନାଲ୍ ଟ୍ୟାକ୍ସ ଦେବେ ବୋଲି କେମିତି ନିଶ୍ଚିତ କରିବେ?
ଉତ୍ତର: ଲୋକଙ୍କ ଠାରୁ ବୁଲି ବୁଲି ଟିକସ ଆଦାୟ କରିବା ସମ୍ଭବ ନୁହେଁ। ତେଣୁ ସରକାରୀ ବିଭାଗ ଠାରୁ ଆରମ୍ଭ କରି ଘରୋଇ କମ୍ପାନି ପର୍ଯ୍ୟନ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ସମସ୍ତେ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଫେସନାଲ ଟ୍ୟାକ୍ସ ଦେବେ। କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ବେତନରୁ କାଟିକି ଦେବେ। ସରକାରୀ ଚାକିରିଆଙ୍କର ବି ସମାନ ଢଙ୍ଗରେ କଟାଯାଉଛି। ଏହା ବାଦ୍ ସମସ୍ତ ବଡ଼ବଡ଼ ଦୋକାନୀ, ବ୍ୟବସାୟୀ ଆଦିଙ୍କୁ ଜିଏସ୍‌ଟି ରିଟର୍ଣ୍ଣ କରିବାବେଳେ ପ୍ରଫେସନାଲ୍‌ ଟ୍ୟାକ୍ସ ଦେବାକୁ କୁହାଯାଇଛି। ଯେ କେହିବି odishatax.gov.in କୁ ଯାଇ ସହଜ ଉପାୟରେ ଟିକସ ଦେଇପାରିବେ।

ପ୍ରଶ୍ନ: ଜିଏସ୍‌ଟି ଆଦାୟରେ ଓଡ଼ିଶା ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି। ଏହାର ରହସ୍ୟ କ’ଣ?
ଉତ୍ତର: ଆମର ଜିଏସ୍‌ଟି ଆଦାୟ ୪୫ହଜାର କୋଟି ଟପିଛି। ଯାହା ୪୪ରୁ ୪୫% ଅଭିବୃଦ୍ଧି। ଆମର ଜିଏସ୍‌ଟି ଆଦାୟ ବଢ଼ିବାର ପ୍ରମୁଖ କାରଣ ହେଲା ଖଣି ଲିଜ୍‌ ଅଧିକ ପ୍ରିମିୟମ୍‌ରେ ଶିଳ୍ପପତିମାନେ ନେଇଛନ୍ତି, ତେଣୁ ଏବାବଦ ଜିଏସ୍‌ଟି ଅଧିକ ମିଳୁଛି। ମେଟାଲ୍‌ ଇଣ୍ଡଷ୍ଟ୍ରି ଏବେ ଭଲ ବ୍ୟବସାୟ କରୁଛି, ଆମର ଜରିମାନା ଆଦାୟ, ଜିଏସ୍‌ଟି ଠକଙ୍କୁ ଧରିବା ପାଇଁ ଗଠନ ହୋଇଥିବା ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ଉ ଯୋଗୁଁ ଏହା ସଫଳ ହୋଇଛି।

ପ୍ରଶ୍ନ: କୋଭିଡ ଯୋଗୁଁ ଟିକସ ଆଦାୟ କିଛି ପ୍ରଭାବିତ ହୋଇଛି କି?
ଉତ୍ତର: କୋଭିଡର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଟିକସ ଆଦାୟ କିଛି ପ୍ରଭାବିତ ହୋଇଥିଲା। ତୃତୀୟ ଲହରର ପ୍ରଭାବ କିନ୍ତୁ ପଡ଼ିନି। ଆମେ ଯେତିକି ରେକର୍ଡ ପରିମାଣର ଜିଏସ୍‌ଟି ପାଇଛୁ ତା’ଠାରୁ ଅଧିକ ପାଇପାରିଥାନ୍ତୁ।

ପ୍ରଶ୍ନ: ହଠାତ୍ ଭାଟ୍‌ ବନ୍ଦ ହୋଇ ଜିଏସ୍‌ଟି ପ୍ରଚଳନ ହେବାରୁ ୨୦୧୭-୧୮ ଆର୍ଥିକ ବର୍ଷରେ ବହୁ ବଡ଼ ଓ କ୍ଷୁଦ୍ର ବ୍ୟବସାୟୀ, ଠିକାଦାର ସଚେତନତା ଅଭାବରୁ ଜିଏସ୍‌ଟି ଦେଇପାରିନାହାନ୍ତି। କିନ୍ତୁ ଏବେ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏହାଦ୍ବାରା ଲୋକଙ୍କୁ ଶୋ‌ଷଣ କରାଯାଉନି କି?
ଉତ୍ତର: ଯେଉଁମାନେ ସରକାରଙ୍କ ଠାରୁ ଜିଏସ୍‌ଟି ବାବଦକୁ ଅର୍ଥ ନେଇଛନ୍ତି ସେମାନଙ୍କୁ ଦେବାକୁ ପଡ଼ିବ। ପ୍ରଥମେ ପ୍ରଥମେ ବହୁତ ଅସୁବିଧା ହୋଇଥିବା ନଜରକୁ ଆସିଛି। ଲୋକ ସଚେତନତା ଅଭାବରୁ ଟିକସ ଦେଇପାରିନାହାନ୍ତି। ହେଲେ ସରକାରଙ୍କ ନିୟମ ଅନୁଯାୟୀ ଆମେ ବକେୟା ଜିଏସ୍‌ଟି ଆଦାୟ କରୁଛୁ। ଛାଡ଼୍‌ ହେବ କି ନାହିଁ ସେ‌ ନିଷ୍ପତ୍ତି ସରକାରଙ୍କର।

ସମ୍ବନ୍ଧିତ ଖବର