ସୋର/ରେମୁଣା: ରାସ୍ତା, ପାଣି ସମସ୍ୟାରେ ଘାଣ୍ଟିଚକଟି ହେଉଥିବା ବାଲେଶ୍ବର ଜିଲ୍ଲା ସୋର ଓ ରେମୁଣା ବ୍ଲକ୍‌ର ୫ ଖଣ୍ଡ ଗାଁ’ ଭୋଟ୍‌ ବର୍ଜନ କରିଛନ୍ତି। ଦୀର୍ଘବର୍ଷ ହେଲା ଏହି ସବୁ ଗାଁଗୁଡ଼ିକରେ ରାସ୍ତାଘାଟ, ପାନୀୟଜଳ ଓ ବିଦ୍ୟୁତ ସମସ୍ୟାର ପ୍ରତିକାର ନ ହେବାରୁ ଗ୍ରାମବାସୀ ମତଦାନରୁ ବିରତ ରହିଥିବା କହିଛନ୍ତି। ସୋର ପୌରପାଳିକା ଅଧୀନ ସାଦମାପୁରର ଦାସସାହି, ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ୩ ନମ୍ବର ୱାର୍ଡ ବନମାଳିଆ ସାହି ଓ ୪ ନମ୍ବର ୱାର୍ଡ ପଞ୍ଚୁନାଥ ସାହିରେ ୧୫୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ୪୬୦ରୁ ଅଧିକ ଭୋଟର ଅଛନ୍ତି। ଏହି ଗାଁ’ଗୁଡ଼ିକରେ ରାସ୍ତା ଓ ପାନୀୟଜଳ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ଗତ ଏପ୍ରିଲ ୨୬ ତାରିଖରେ ପୁରୁଷୋତ୍ତମପୁର ଗାଁ’ର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଯାଇଥିଲା।

Advertisment

ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଲାଗି ୨ କିଲୋମିଟର ଦୂର ଯାଏ ଗର୍ଭବତୀଙ୍କୁ ଖଟିଆରେ ବୋହିଥିଲେ ପରିବାର ଲୋକ। ପ୍ରତିବାଦରେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ‌ଦେବା ସହ ଗାଁକୁ ତୁରନ୍ତ ରାସ୍ତା ‌ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଇଥିଲେ। ସେହିପରି ରେମୁଣା ନିର୍ବାଚନମଣ୍ଡଳୀ ରଣସାହି ପଞ୍ଚାୟତର ଅଠଳାମାଳ ଓ ତେରୁ ଗ୍ରାମବାସୀ ଦୀର୍ଘ ଦଶନ୍ଧି ଧରି ରାସ୍ତା ଓ ପାନୀୟଜଳ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ୨ ଗାଁରେ ୪୮ ପରିବାର ରହୁଥିବା ବେଳେ ୩୨୦ ଜଣ ଭୋଟର ଅଛନ୍ତି। ପ୍ରତିବର୍ଷ ନିର୍ବାଚନ ଆସିଲେ ଗାଁକୁ ନେତା ଓ ଦଳୀୟ କର୍ମୀଙ୍କ ସୁଅ ଛୁଟେ। ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳେ। ହେଲେ ନିର୍ବାଚନ ସରିଗଲେ କେହି ସେମାନଙ୍କୁ ଆଡ ଆଖିରେ ଚାହାନ୍ତିନି। ଫଳରେ ଗାଁଠାରୁ ୨.୫ କିମି ଦୂର ୟୁନିୟନ୍‌ ହାଇସ୍କୁଲରେ ମତଦାନ କେନ୍ଦ୍ର ହୋଇଥିଲେ ସୁଦ୍ଧା ଆଜି ସେଠାକୁ ଦୁଇ ଗାଁର କେହି ଭୋଟ୍‌ ଦେବାକୁ ଯାଇନଥିଲେ।