ଗଞ୍ଜାମ/ବ୍ରହ୍ମପୁର : ଗଞ୍ଜାମ ଥାନା ପୁଇଁତୋଳା ଛକରେ ଦୋକାନ କରିଥିବା ଦୁଇଭାଇଙ୍କୁ ଗତରାତିରେ ଅପହରଣ ଅଭିଯୋଗକୁ ନେଇ ବଡ଼ଧରଣର ଆଇନଶୃଂଖଳା ପରିସ୍ଥିତି ଉପୁଜିଥିଲା। ରାତିସାରା ସ୍ଥାନୀୟ ବ୍ୟବସାୟୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଗଞ୍ଜାମ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଶେଷରେ ଉଭୟ ବ୍ୟବସାୟୀଙ୍କୁ ବିଶାଖାପାଟଣାରେ ଠାବ କରିବାରେ ସଫଳ ହୋଇଥିଲା। ଉଭୟଙ୍କୁ ଅପହରଣ କରାଯାଇ ନଥିଲା, ବରଂ ଏକ ଗଞ୍ଜେଇ ମାମଲାରେ ସେମାନଙ୍କୁ କର୍ଣ୍ଣାଟକ ପୁଲିସ ଟିମ୍‌ ଉଠାଇ ନେଇଥିବା ଜଣାପଡ଼ିଥିଲା। ଫଳରେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି।

Advertisment

ଗଞ୍ଜାମ ପୁଲିସ ଟିମ୍‌ ଦୁଇଭାଇ କୃଷ୍ଣଚନ୍ଦ୍ର ସାହୁ ଓ ପଞ୍ଚାନନ ସାହୁଙ୍କୁ ବିଶାଖାପାଟଣାରୁ ଠାବ କରିଛି। ଏହା ପରେ କର୍ଣ୍ଣାଟକ ପୁଲିସ ଉଭୟ ଭାଇଙ୍କୁ ବିଶାଖାପାଟଣାର ଏମ୍‌ପିଭି ଥାନାରେ ହାଜର କରିଥିଲା। ଉଭୟଙ୍କୁ ଏକ ମାମଲାର ତଦନ୍ତ ପାଇଁ ନିଜ ହେପାଜତକୁ ନେଇଥିବା କର୍ଣ୍ଣାଟକ ପୁଲିସ ଟିମ୍‌ ଗଞ୍ଜାମ ଥାନା ଅଧିକାରୀଙ୍କୁ ଲିଖିତ ଆକାରରେ ଦେଇଥିଲା। ସେମାନଙ୍କୁ ବିଶାଖାପାଟଣା କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟ ଭାଇଙ୍କୁ କର୍ଣ୍ଣାଟକ ପୁଲିସ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ବେଙ୍ଗାଲୁରୁ ନେଇଥିଲା। ବେଙ୍ଗାଲୁରୁର ହ୍ବାଇଟ୍‌ଫିଲ୍ଡ ଥାନାରେ ଗତ ୯ତାରିଖରେ ଏକ ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଥିଲା। ଏହି ମାମଲା (କେସ୍ ନମ୍ବର-୨୧୧)ରେ ଉଭୟ ଭାଇଙ୍କ ସମ୍ପୃକ୍ତି ଥିବା ନେଇ କର୍ଣ୍ଣାଟକ ପୁଲିସ ପ୍ରମାଣ ପାଇଥିଲା। ଏଣୁ କର୍ଣ୍ଣାଟକ ପୁଲିସ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବେଙ୍ଗାଲୁରୁ ନେଇଥିବା ଗଞ୍ଜାମ ଏଏସ୍‌ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି।