ଠିକଣା ନଥିବା ୮୧ ଚିଟ୍‌ଫଣ୍ଡ ସଂସ୍ଥାକୁ ସାନି ନୋଟିସ୍‌

କଟକ: ରାଜ୍ୟରେ ଚିଟଫଣ୍ଡ କାରବାର କରୁଥିବା ସଂସ୍ଥା ଗୁଡିକ ମଧ୍ୟରୁ ୮୧ଟିର ପତ୍ତା ମିଳୁ ନାହିଁ। ଏପରି ଘଟଣା ସ୍ପଷ୍ଟ ହୋଇଛି ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ। କମିସନଙ୍କ ପକ୍ଷରୁ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା ଠାରୁ କମ୍‌)ଙ୍କ ପ୍ରସଂଗରେ ତଦନ୍ତ ସମୟରେ ଦାଖଲ ସତ୍ୟପାଠ ଗୁଡିକ ଯାଞ୍ଚ କରାଯାଉଛି। ସତ୍ୟପାଠରେ ଦିଆଯାଇଥିବା ତଥ୍ୟ ଆଧାରରେ କମିସନ ବିଭିନ୍ନ ସଂସ୍ଥାର ପଦାଧିକାରୀଙ୍କୁ କ୍ଷୁଦ୍ର ଜମାକାରୀଙ୍କ ଦାବି ସଂପର୍କରେ ନୋଟିସ୍‌ ଜାରି କରୁଥିବା ବେଳେ କେତେକ ସଂସ୍ଥାର ସଠିକ୍‌ ଠିକଣା ମିଳି ପାରି ନଥିଲା। ଏପରି ସଂସ୍ଥା ଗୁଡିକର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ, ଅଧ୍ୟକ୍ଷ ଓ ପଦାଧିକାରୀଙ୍କ ସଠିକ ଠିକଣା ଦେବାକୁ କମିସନ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପରି ୮୧ଟି ସଂସ୍ଥାର ପଦାଧିକାରୀଙ୍କ ଠିକଣା ଦେବାରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଥିଲା। କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା ଏସପିଙ୍କ ନିକଟରେ ଏ ସଂପର୍କିତ ତଥ୍ୟ ନଥିବା ପରିସ୍ଥିତିରେ ଖବର କାଗଜରେ ବିଜ୍ଞାପନ ପ୍ରକାଶ ମାଧ୍ୟମରେ ଏହି ୮୧ଟି ଚିଟଫଣ୍ଡ ସଂସ୍ଥାର ପଦାଧିକାରୀଙ୍କୁ କମିସନ୍‌ ସାନି ନୋଟିସ୍‌ ଜାରି କରିଛନ୍ତି। ରାଜ୍ୟରେ ଚିଟଫଣ୍ଡ କାରବାରର ଚେର ବହୁ ଦୂର ଲମ୍ବିଥିବା ବେଳେ ରାଜ୍ୟ ପୁଲିସ ନିକଟରେ ଏ ସଂପର୍କରେ ଠୋସ୍‌ ତଥ୍ୟ ନଥିବା ଏଥିରୁ ସ୍ପଷ୍ଟ ହୋଇଛି। ୨୦୧୩ରେ କମିସନଙ୍କ ନିକଟରେ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ଏହା ଭିତରେ ପ୍ରାୟ ଚାରି ବର୍ଷ ବିତି ଯାଇଥିବା ବେଳେ ବହୁ ସଂସ୍ଥା ନିଜ କାର୍ଯ୍ୟାଳୟ ବନ୍ଦ୍‌ କରି ପଳାୟନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିସୋର, ଅର୍ଥତତ୍ତ୍ୱ ସମେତ ୪୪ଟି ଚିଟଫଣ୍ଡ ସଂସ୍ଥାର ତଦନ୍ତ ସିବିଆଇ ଚଳାଇଥିବା ବେଳେ ଛୋଟବଡ ଆଉ ଶତାଧିକ ଠକ ସଂସ୍ଥା ବିରୋଧରେ ରହିଥିବା ଅଭିଯୋଗର ତଦନ୍ତ ରାଜ୍ୟ ପୁଲିସ କରୁଛି। କିନ୍ତୁ ପୁଲିସ ନିକଟରେ ବହୁ ସଂସ୍ଥାର ଠିକଣା ନଥିବା କଥା ଜମାକାରୀଙ୍କ ଆଶଙ୍କା ବଢାଇ ଦେଇଛି। ଖବର କାଗଜ ପ୍ରକାଶସନ ମାଧ୍ୟମରେ ନୋଟିସ୍‌ ଜାରି କରାଯାଇଥିବା ୮୧ଟି ସଂସ୍ଥା ମଧ୍ୟରେ ରାଜ୍ୟ ବାହାରର କେତେକ ଚିଟଫଣ୍ଡ୍‌ ସଂସ୍ଥା ରହିଛି। ଏହି ସଂସ୍ଥା ଗୁଡିକ ସଂପର୍କିତ ତଦନ୍ତ ମାମଲା ଗୁଡିକର ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର