ବିଳମ୍ବିତ ରାତ୍ରୀ ଯାଏ ଖୋଲିବନି ଠିପି ଖୋଲା ମଦଦୋକାନ

ଚାପରେ ବଦଳାଇଲେ ନିଷ୍ପତ୍ତି, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମନ୍ତ୍ରୀଙ୍କ ଘର ଘେରାଉ

ଭୁବନେଶ୍ୱର : ହକି ବିଶ୍ବକପ୍‌ ପାଇଁ ରାତି ୧ଟା ୩୦ ପର୍ଯ୍ୟନ୍ତ ରାଜଧାନୀରେ ମଦଦୋକାନ ଓ ବାର୍‌ ଖୋଲା ରହିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ବିଭିନ୍ନ ମହଲରୁ ଏହା ବିରୋଧରେ ପ୍ରତିବାଦର ସ୍ବର ଉଠିଥିଲା। ଏପରିକି ଆଜି ମିଳିତ ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା। ଶେଷରେ ଚାପରେ ପଡ଼ି ସରକାର ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ହକି ବିଶ୍ବକପ୍ ପାଇଁ କେବଳ ହୋଟେଲ୍ ଓ ବାର୍ ବିଳମ୍ବିତ ରାତି ଅର୍ଥାତ ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଠିପିଖୋଲା ଓ ଠିପି ବନ୍ଦ ମଦ ଦୋକାନ ପୂର୍ବ ପରି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହା ସ୍ପଷ୍ଟ କରିଛନ୍ତି। କେବଳ ହକି ଖେଳ ଚାଲିଥିବା ଯାଏ ଏହି ନିୟମ ଲାଗୁ ହେବ।

ଠିପି ବନ୍ଦ ଓ ଠିପି ଖୋଲା ଦୋକାନଗୁଡ଼ିକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଖୋଲିଲେ ଅପରାଧ ବଢ଼ିବ। ଆଇନ ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେବ। ଏମିତି ଅଭିଯୋଗ ଆଣି ଆଜି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା। ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ‌ ଚେତାବନୀ ଦେଇଥିଲେ। ଅଭିଯାନର ଉପସଭାପତି ବିଜୟ ସ୍ବାଇଁଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ଅଦ୍ବୈତ ପ୍ରସାଦ ପାତ୍ର, ଅପର୍ଣ୍ଣା ନାୟକ, ମଳୟ ତ୍ରିପାଠୀ, କାହ୍ନୁଚରଣ ବେହୁରା, ରମାକାନ୍ତ ମଣ୍ଡଳ, ପ୍ରିୟନାଥ ଆଚାର୍ଯ୍ୟ, ରବିନ୍ଦ୍ରନାଥ ସାହୁ, ଖଗେଶ୍ବର ବଳ, ପ୍ରିତି ନାୟକ, ମଧୁମିତା ସାମଲ, ସତ୍ୟବ୍ରତ ପୃଷ୍ଟି, କବିତା‌ ପରିଡ଼ା, ସୁରେଶ ସଂଗ୍ରାମ, ଇନ୍ଦୁମତୀ ସାହୁ, ବାସନ୍ତୀ ଆଚାର୍ଯ୍ୟ, ଅର୍ଜ୍ଜୁନ ସାମନ୍ତରାୟ, ପ୍ରମିଳା ପଣ୍ଡା, ସୁଷମା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର