କଟକ: ପୁଣି ନିଲାମ ହୋଇପାରିଲାନି ବଡ଼ମ୍ବା ଚିନିକଳ। ଅକ୍ଟୋବର ୧୩ରେ ବଡ଼ମ୍ବା ଚିନିକଳ ନିଲାମ କରିବା ପାଇଁ ଋଣ ଅସୁଲ ପ୍ରାଧିକରଣ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। କିନ୍ତୁ କୌଣସି ବିଡର ନ ଆସିବା ଫଳରେ ନିଲାମ ହୋଇପାରି ନଥିବା ଜଣାପଡିଛି। ବଡମ୍ବା ଚିନିକଳ ନିଲାମ ନେଇ ତାରିଖ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଓ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ତେବେ କେହି ଜଣେ ହେଲେ ବି ବିଡର ନିଲାମ ନେବାକୁ ଆସି ନଥିବାରୁ ଏହାର ନିଲାମ ପ୍ରକ୍ରିୟା ହୋଇପାରି ନଥିବା ଆଠଗଡ଼ ଏଆରସିଏସ୍ ବିଜେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତେବେ ପ୍ରଥମ ନିଲାମ ବିଫଳ ହେବା ପରେ ପୁଣି କେବେ ୨ୟ ନିଲାମ ପାଇଁ ତାରିଖ ପଡ଼ିବ ସେସଂପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ବଡମ୍ବାର ସୁନାପାଳଠାରେ ସମବାୟ ଚିନିକଳକୁ ଉଦଘାଟନ କରିଥିଲେ। ବଡମ୍ବା, ନରସିଂହପୁର, ଆଠଗଡ଼, ତିଗିରିଆ ସମେତ ନିଆଳି, ଅଡଶପୁର, ଜଗତ୍ସିଂହପୁର, ନୟାଗଡ଼ ଅଞ୍ଚଳର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରୁଥିଲେ। ୧୯୯୧ରେ ବିଜୁ ପଟ୍ଟନାୟକଙ୍କ ସରକାର ଏହାର ପରିଚାଳନା ଦାୟିତ୍ବ ୧୦ବର୍ଷିଆ ଲିଜ୍ ସୂତ୍ରରେ ଶକ୍ତି ସୁଗାରକୁ ଦେଇଥିଲେ। ଶକ୍ତି ସୁଗାର ମଧ୍ୟ ଏହାକୁ ଭାରତର ଉତ୍କୃଷ୍ଟ ଚିନିକଳର ପରିଚୟ ଦେଇଥିଲା। ଅନ୍ୟପଟେ ଆଖୁଚାଷକୁ ପ୍ରୋତ୍ସାହିତ କରିବାକୁ ଉକ୍ତ ଅଞ୍ଚଳରେ ମେଗା ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ବ୍ୟାପକ ଭାବେ ଆଖୁଚାଷ କରାଇଥିଲେ। ତେବେ ୨୦୦୪ ବେଳକୁ ଶକ୍ତି ସୁଗାର ରୁଗ୍ଣ ହେବା ପରେ ଏହାକୁ ସମବାୟ ବିଭାଗ ବର୍ଷକ ପାଇଁ ନିଜ ଅଧୀନରେ ରଖିଥିଲା। ପରେ ଏହାକୁ ଲକ୍ଷ୍ମୀପତି ବାଲାଜି ସୁଗାର ଆଣ୍ଡ୍ ଡିଷ୍ଟିଲେରସ୍ ପ୍ରାଇଭେଟ୍ ଲିମିଟେଡକୁ ଦେଇଥିଲେ। ୨୦୦୫ରୁ ଚିନିକଳ ତାଲା ବନ୍ଦ ହୋଇ ପଡିଥିବାବେଳେ ଏହାକୁ ନେଇ ଆଇନଗତ ଲଢେଇ ଜାରି ରହିଛି। ଚିନିକଳକୁ ନେଇ ତଳକୋର୍ଟଠାରୁ ଆରମ୍ଭ କରି ଉପର କୋର୍ଟ ପର୍ଯ୍ୟନ୍ତ ମାମଲା ଛନ୍ଦି ହୋଇ ରହିଛି। କିନ୍ତୁ ବାଲାଜୀ ସୁଗାର ଏହି ଚିନିକଳକୁ ଦର୍ଶାଇ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେବାରେ ସକ୍ଷମ ହୋଇଛି। ଏବେ ଏମିତି ସ୍ଥିତି ଯେ ଏହାର ସବୁ ମୂଲ୍ୟବାନ ଯନ୍ତ୍ରାଂଶ ଏବେ ଚୋରି ହୋଇସାରିଛି। କେବଳ ଖୋଳପା ପଡିଛି। ପୂର୍ବରୁ ବ୍ୟାଙ୍କ ତିନିଥର ନିଲାମ ପାଇଁ ଯୋଜନା କରି ବିଫଳ ହୋଇଥିଲା।