ଅଫେରା ଅଠର: କଳାରେ କଳଙ୍କି, କାଢ଼ିଦେଲେ କାରୁକାର୍ଯ୍ୟ

ଉତୁରିଗଲା ଉତ୍କଳୀୟ କଳା ଗାରିମାର ଐଶ୍ବର୍ଯ୍ୟ। ଉଜୁଡ଼ିଲା କାରୁକାର୍ଯ୍ୟ। ଓଡ଼ିଆ ଘରର ମୁରବି ବି ବାଦ୍ ପଡ଼ିଲେନି। ଉପାସ ରହିଲେ, ଅନିଦ୍ରା ହେଲେ। ଏତେ ଅଡ଼ୁଆ ଭିତରେ ବି ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଗଠନ ହେଲା ଐତିହ୍ୟ କ୍ୟାବିନେଟ୍। ଖୋଲିଲା ଭାରତର ସର୍ବବୃହତ୍ତ କଳାଭୂମି। ମୁଖ୍ୟମନ୍ତ୍ରୀ ସହାୟତା ଭତ୍ତା ପାଇଲେ କଳାକାର। ମନ ଜିଣିଲା ଡଟ୍ ଫେଷ୍ଟ୍। ଅଫେରା ଅଠରର ସେଇଭଳି କିଛି ଚର୍ଚିତ କଳା, ସଂସ୍କୃତି, ଐତିହ୍ୟ ଖବରକୁ ନେଇ ସ୍ବତନ୍ତ୍ର ପୃଷ୍ଠା। ରିପୋର୍ଟ: ସତ୍ୟ, ସସ୍ମିତା, ମଧୁ, ଫଟୋ: ବିଭୂତି, ଅଳଙ୍କରଣ: ରବି

କାଢ଼ିଦେଲେ କାରୁକାର୍ଯ୍ୟ
ବିଶ୍ବ ଐତିହ୍ୟର ଅନ୍ୟତମ ଆଶ୍ଚର୍ଯ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ କାରୁକାର୍ଯ୍ୟ ଖଚିତ ପଥର ସ୍ଥାନରେ ସାଧା ପଥର ଲଗାଇ ମନ୍ଦିରର କାରୁକାର୍ଯ୍ୟକୁ ବିକୃତ କରିଚାଲିଛି ଏଏସ୍ଆଇ। ଏହାକୁ କାରିଗରଙ୍କ ଜରିଆରେ ନସଜାଡ଼ି ଆଇନର ଆଳ ଦେଖାଇ କାରିଗରୀ ଗାରିମାକୁ ଏଏସ୍ଆଇ କୁଠାରାଘାତ କରିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଥିଲା। ଏନେଇ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ତୀବ୍ର ହୋଇଥିଲା। ଏନେଇ ପ୍ରତ୍ନତତ୍ତ୍ବବିତ୍, କାରିଗର, ଐତିହାସିକ, ଐତିହ୍ୟପ୍ରେମୀ ଏଏସ୍ଆଇର ଏଭଳି ଅଦୂରଦର୍ଶୀ କାମ ପାଇଁ ନିନ୍ଦା କରିଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏନେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ତୁରନ୍ତ ଡକାଯାଇଥିଲା। ନୂଆଦିଲ୍ଲୀ ଏବଂ ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ବୈଠକ କରି ଏ ବାବଦରେ ମାନସମନ୍ଥନ କରିଥିଲେ। ସେହିପରି କୋଣାର୍କ ସମ୍ପର୍କରେ ଅପମାନସୂଚକ ମନ୍ତବ୍ୟ ସୋସିଆଲ୍ ମିଡିଆରେ ଟ୍ବିଟ୍ କରି ବିବାଦ ଘେରକୁ ଟାଣି ହୋଇଥିଲେ ସାମ୍ବାଦିକ ଅଭିଜିତ ଆୟାର ମିତ୍ର। ଏହାକୁ ନେଇ ବିଧାନସଭା ଏବଂ ବିଭିନ୍ନ ମହଲରେ ଘୋର ବିରୋଧର ଶିକାର ହୋଇଥିଲେ ଅଭିଜିତ। ତେଣୁ କୋଣାର୍କ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ପରେ ସେ ବେଲ୍‌ରେ ଛାଡ଼ ପାଇଥିଲେ।

ରାଜନୀତିରେ ପାଇକ ବିଦ୍ରୋହ ସ୍ମାରକୀ
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବରୁଣେଇ ଠାରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର। ଏଥି ପାଇଁ ଇଣ୍ଡିଆନ୍ ଅଏଲ୍‌ ୮୦ ଲକ୍ଷ ଟଙ୍କା ମଞ୍ଜୁର ବି କରିଛି। କିନ୍ତୁ ରାଜ୍ୟ ସରକାର ୫୦ ଏକର ଜାଗା ଦେଉ ନ ଥିବାରୁ ସ୍ମାରକୀ ନିର୍ମାଣ ହୋଇପାରୁ ନାହିଁ ବୋଲି କେନ୍ଦ୍ରର ଅଭିଯୋଗ। ବିଜେଡି ଓ ବିଜେପି ମଧ୍ୟରେ ପାଇକ ବିଦ୍ରୋହକୁ ନେଇ ଚାଲିଥିବା ପତିଆରା ଲଢ଼େଇରେ ଏହି ପ୍ରସ୍ତାବଟି ଅଟକିଯାଇଛି। ‘ପାଇକ ବିଦ୍ରୋହ’ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ନୂତନ ଶିକ୍ଷାବର୍ଷରେ ସିବିଏସ୍ଇ ପାଠ୍ୟକ୍ରମରେ ଲେଖାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଥିଲେ। ମାତ୍ର ପାଇକ ବିଦ୍ରୋହ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ବହିରେ କେଉଁଠି ବି ଉଲ୍ଲେଖ ରହିଲା ନାହିଁ।

ରତ୍ନ ଭଣ୍ଡାର ଚାବି ହଜିଲା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ସମେତ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା। ରତ୍ନ ଭଣ୍ଡାର ଖୋଲି ଯାଞ୍ଚ କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦେଶ ଚାବି ହଜିବା ଘଟଣାକୁ ପଦାକୁ ଆଣିଥିଲା। ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ଏହି ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଥିଲା। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରଶାସନ ଓ ସେବାୟତଙ୍କ ଅଡ଼ୁଆ ଭିତରେ ଫସି ଯାଇଥିଲେ ମହାପ୍ରଭୁ। ଫଳରେ ମହାପ୍ରଭୁଙ୍କୁ ଉପାସ ରହିବା ସହ ଅନିଦ୍ରା ରହିବାକୁ ପଡ଼ିଥିଲା। ଏଥିସହ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପୁରୀରେ ଘୋର୍ ଅସନ୍ତୋଷ ଦେଖାଯାଇଥିଲା। ଏହାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ଶ୍ରୀମନ୍ଦିର ଭିତରକୁ ଅନ୍ୟ ଦ୍ବାର ଦେଇ ଭକ୍ତମାନେ ଧସେଇ ପଶିଥିଲେ। ଏହାକୁ ନେଇ ଜଳାପୋଡ଼ାଠୁ ନେଇ ଭଙ୍ଗାରୁଜା ପରିସ୍ଥିତି ସୃଷ୍ଟି ହୋଇଥିଲା।

ରସଗୋଲା ଲଢ଼େଇ

ବର୍ଷ ଆରମ୍ଭରେ ରସଗୋଲା ବିବାଦରେ ପଶ୍ଚିମବଙ୍ଗର ବିଜୟ ହେଲା ବୋଲି ଖବର ପ୍ରକାଶ ପାଇଲା। ଏହାକୁ ନେଇ ବଙ୍ଗଳାବାସୀ ବାଃବାଃ ନେବାକୁ ବସିଥିଲେ। ‘ବାଂଲାର ରସଗୋଲା’ ନାଁରେ ଚଞ୍ଚକତା କରି ଭୁଲ ତଥ୍ୟ ଦେଇ ପଶ୍ଚିମବଙ୍ଗ ଜିଆଇ ମାନ୍ୟତା ହାସଲ କରିଥିବା ଅଭିଯୋଗ ହେଲା। ଏହା ଦର୍ଶାଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଉଚ୍ଚନ୍ୟାୟାଳୟ ନୋଟିସ୍ ଜାରି କରିଥିଲା। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦେଶ ମଧ୍ୟ ଦେଇଥିଲେ। ଅଗଷ୍ଟ ୧୭ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପକ୍ଷରୁ ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ‘ଓଡ଼ିଶା ରସଗୋଲା’ ନେଇ ସମସ୍ତ ନଥିପତ୍ର ଦାଖଲ ହୋଇଥିଲା।

 

ଘୋଷଣାରେ ରହିଗଲା ସିନେମାର ବିକାଶ
ବହୁ ବିଳମ୍ବରେ ହେଲେ ବି ଓଡ଼ିଆ ସିନେମାର ବିକାଶ ପାଇଁ ଏ ବର୍ଷ ଅଣ୍ଟା ଭିଡ଼ିଥିଲେ ସରକାର। ଜୁଲାଇ ମାସରେ ତିନି ଜଣ ମନ୍ତ୍ରୀଙ୍କୁ ନେଇ କମିଟି ଗଠନ ହୋଇଥିଲା। କୁହାଯାଇଥିଲା ମାସକ ଭିତରେ ଓଡ଼ିଆ ଚଳଚ୍ଚିତ୍ର ନୀତି ପ୍ରସ୍ତୁତି ପାଇଁ କମିଟି ରିପୋର୍ଟ ଦେବ। ବର୍ଷ ସରିଗଲା, କିନ୍ତୁ କମିଟି ବୈଠକ ବସିପାରିଲା ନାହିଁ। ସେହିପରି ଏ ବର୍ଷ ସଂସ୍କୃତି ବିଭାଗ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଛକାପଞ୍ଝା ଭିତରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇପାରିଲା ନାହିଁ। ୨୦୧୭ ଠାରୁ ୨୦୧୮ରେ ଓଡ଼ିଆ ଚଳଚ୍ଚିତ୍ର ସଂଖ୍ୟା ବି କମିଯାଇଛି। ବର୍ଷ ଶେଷ ବେଳକୁ ସେମିତି କିଛି ସମ୍ଭାବନା ଦେଖୁନି ଓଡ଼ିଆ ଚଳଚ୍ଚିତ୍ର। ତେବେ ବର୍ଷ ଶେଷ ଆଡ଼କୁ ପ୍ରଥମଥର ପାଇଁ ରାଜ୍ୟରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ୭ ପରଦା ବିଶିଷ୍ଟ ମଲ୍‌ଟିପ୍ଲେକ୍ସ ଲୋକାର୍ପିତ ହୋଇଥିଲା।

ସିନେମା ଶାଳରେ କ୍ରୀଡ଼ା କମ୍ପ୍ଲେକ୍ସ ବିବାଦ
ସିନେମାର ଏନ୍ତୁଡ଼ିଶାଳ ଭାବେ ପରିଚିତ କଳିଙ୍ଗ ଷ୍ଟୁଡିଓର ଅବ୍ୟବହୃତ ଜମିରେ କ୍ରୀଡ଼ା କମ୍ପ୍ଲେକ୍ସ ସ୍ଥାପନ କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖା ଯିବା ପରେ ଝଡ଼ ସୃଷ୍ଟି ହୋଇଥିଲା। ଏହା ବିରୋଧରେ ସିନେ ଅଭିନେତା ଅଭିନେତ୍ରୀ ସ୍ବର ଉଠାଇବା ପରେ କ୍ରୀଡ଼ା ବିଭାଗ ନିଜ ନିଷ୍ପତ୍ତିରୁ ହଟିଥିଲା। ଏବଂ ପରବର୍ତୀ ସମୟରେ ଅଭିନେତା କୁନା ତ୍ରିପାଠୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ହେବା ପରେ ତୁରନ୍ତ କଳିଙ୍ଗ ଷ୍ଟୁଡିଓ କାମ ଆରମ୍ଭ କରିଥିଲେ।

ସି-ପ୍ଲେନ୍ବିବାଦ 

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକାରେ ସି-ପ୍ଲେନ୍ ଉଡ଼ାଇବା ପାଇଁ ଏନ୍‌ଡିଏ ସରକାର ନିଷ୍ପତ୍ତି ନେଇଥିଲେ। ଏୟାରପୋଟ୍‌ସ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଁ ଏକ ୱାଟର ଏରୋଡ୍ରମ ବାବଦରେ ବିଚାର କରିବା ସହ ଏ ସଂକ୍ରାନ୍ତରେ ୨ ଦିନିଆ ସର୍ବେକ୍ଷଣ କରିଥିଲା। ମାତ୍ର ସ୍ଥାନୀୟ ଲୋକ ପ୍ରତିନିଧି, ମତ୍ସ୍ୟଜୀବୀ ଓ ପରିବେଶବିତ୍ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଚିଲିକାର ଜୈବ ବିବିଧତାକୁ ଏହା ପ୍ରଭାବିତ କରିବ ବୋଲି ଯୁକ୍ତି ବାଢ଼ିବା ପରେ ସି-ପ୍ଲେନ୍ ପ୍ରସଙ୍ଗ ଆଗେଇ ପାରିନଥିଲା।

ସମ୍ବନ୍ଧିତ ଖବର