ବାଲିପାଟଣା: ଧନୁଆ ନଈରୁ ବନ୍ୟା ଜଳ କମିଛି। ଭାର୍ଗବୀ ନଦୀ ଅଚ୍ୟୁତପୁର କାଜରୁ ପାଣି ଗଡ଼ିବା ବନ୍ଦ ହୋଇଛି। ଗାଁଗଣ୍ଡା, ରାସ୍ତାଘାଟରୁ ବି ବନ୍ୟା ପାଣି କମିଛି। ଗହୀରର ଢ଼ିପ ଅଞ୍ଚଳରୁ ବି ପାଣି କମିଛି। କିନ୍ତୁ ସରିନି ବନ୍ୟା ଯାତନା। ଏବେ ବି ଶହ ଶହ ପରିବାର ଘରକୁ ଫେରିପାରିନାହାନ୍ତି। ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ପକ୍ଷରୁ ମିଳୁଥିବା ଖାଦ୍ୟକୁ ଭରସା କରି ପଡ଼ିରହିଛନ୍ତି। ଗରିବ ଲୋକଙ୍କ କଚା ଘରଦ୍ବାର ଶୁଖିନଥିବା ବେଳେ ଭିଜି ଯାଇଥିବା ମାଟି କାନ୍ଥ ଭୁଶୁଡ଼ିପଡ଼ିବା ଭୟ ବି ରହିଛି। ତେବେ ଏସବୁ ଭିତରେ ଚାଷୀ ପୁଣି ଗହୀରମୁହାଁ ହେବାକୁ ବସିଛି। ବହୁ ଜମି ବାଲିଚର ପାଲଟିଛି। ସେଥିରେ ଏବର୍ଷ କିଛି କରିବା ସମ୍ଭବ ନୁହେଁ। କିନ୍ତୁ ଯେଉଁ ଜମିରେ ପୁଣି ଚାଷ ହୋଇପାରିବ, ସେଥିପାଇଁ ହାତରେ ସମ୍ବଳ ନଥିବାରୁ ଚିନ୍ତାରେ ପଡ଼ିଛି। ଏହି ସମୟରେ ସରକାରୀ ସହାୟତା ମିଳିଲେ ଚାଷୀ ଅଣ୍ଟା ସଳଖି ପାରନ୍ତା ବୋଲି କୁହାଯାଉଛି।

Advertisment

ଧନୁଆ ନଈ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୬ ପଞ୍ଚାୟତର ଲୋକଙ୍କ ମଧ୍ୟରୁ ୯୦ ଶତକଡ଼ା ହେଉଛନ୍ତି କୃଷକ ଓ କୃଷି ଶ୍ରମିକ। ଧାନ ଓ ପରିବା ଚାଷରୁ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟେ। ତେଣୁ ଏବେ ଗହୀରରୁ ବନ୍ୟା ଜଳ କମିବା ପରେ ଚାଷୀମାନେ ପୁଣି ଧାନ ତଳି ରୋଇବାକୁ ବାହାରିଛନ୍ତି। ମାତ୍ର ବାହାରୁ ଚଢ଼ା ଦାମ୍‌ରେ ତଳି କିଣିବା, ପରିବହନ ଖର୍ଚ୍ଚ କରି ବୋହିବା ଓ ବିଲରେ ରୋଇବାକୁ ଦରକାର ପ୍ରଚୁର ଅର୍ଥ। ଯେଉଁ କିଛି ଚାଷୀଙ୍କ ସମ୍ବଳ ଅଛି, ସେମାନେ ଲାଗିପଡ଼ିଲେଣି। ଫଳରେ କିଛି କିଛି କୃଷି ଶ୍ରମିକ ପୁଣି କାମ ପାଇଲେଣି। ମାତ୍ର ଅଧିକାଂଶ ଚାଷୀ ସମ୍ବଳ ଯୋଗାଡ଼ କରିବାରେ ଲାଗିଛନ୍ତି। ଏହି ସମୟରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବା ଦରକାର।

ତାହା ମିଳିନାହିଁ। ବିଭାଗୀୟ ଅଧିକାରୀମାନେ ଆକଳନ କରୁଛନ୍ତି। ଏସବୁ ସାଙ୍ଗକୁ ବି କୃଷି ଋଣ ମିଳୁନି। ତେଣୁ ପୁଣି ମହାଜନର ଦୁଆର ଖୋଜୁଛି ଚାଷୀ। ଏବେ ପରିସ୍ଥିତି ଯାହା ସମ୍ବଳ ଅଭାବରୁ ବହୁ ଚାଷୀ ଜମି ପଡ଼ିଆ ପକାଇବାକୁ ବାଧ୍ୟ ହେବେ। କିଛି ଚାଷୀଙ୍କ କହିବା କଥା, ସରକାରୀ ସହାୟତା ମିଳିବା ଯାହା ଠେଙ୍ଗା ସଜାଡ଼ୁ ସଜାଡ଼ୁ ଘୁଷୁରି ମଙ୍ଗଳପୁରରେ ପାଇବା ସେୟା। ସମବାୟ ସମିତିରୁ ସହଜରେ କୃଷି ଋଣ ମିଳୁଥିଲେ, କଥା ଭିନ୍ନ ହୋଇଥାନ୍ତା। ପୁଣି ମହାଜନଠାରୁ ଧାରକରଜ କରି କ’ଣ ପାଇଁ ଧାନ ତଳି ରୁଆଇବୁ। ବରଂ ଆଉ ଦୁଇଟା ମାସ ପରେ ବର୍ଷା ଛାଡ଼ିଗଲେ ରବି ଋତୁରେ ଡାଲି ଜାତୀୟ ଶସ୍ୟ ଓ ପରିବା ଚାଷ କରିବୁ। ଆକଳନ କରାଯାଉଛି, ଯଦି ବହୁ ଚାଷୀ ଏମିତି କରନ୍ତି, ତେବେ ଶହ ଶହ ଏକର ଜମି ପଡ଼ିଆ ପଡ଼ିବା ସହ କୃଷି ଶ୍ରମିକମାନେ ବେରୋଜଗାର ହୋଇରହିବେ। ତେଣୁ ବନ୍ୟା କ୍ଷତିପୂରଣ ଓ ସମବାୟ ସମିତି ପକ୍ଷରୁ ତୁରନ୍ତ ଚାଷୀମାନଙ୍କୁ କୃଷି ଋଣ ଯୋଗାଇ ଦେବାକୁ ଦାବି ହେଉଛି।

ପ୍ରକାଶ ଥାଉ କି ଏବେ ବି ପମ୍ପାଲୋ, କୁରୁଞ୍ଜିପୁର, ରାଜସ, ଆଳିସି ଶାସନ, ସୋମଣା ଓ ତୁରିନ୍ତିରା ପଞ୍ଚାୟତରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସବୁ ଲୋକ ଘରକୁ ନଫେରିବା ପର୍ଯ୍ୟନ୍ତ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏବେ ପାନୀୟ ଜଳ ସମସ୍ୟାରେ ସୁଧାର ଆଣିବା ପାଇଁ ଉକ୍ତ ୬ ପଞ୍ଚାୟତରେ ଥିବା ପ୍ରାୟ ୪୦ ରୁ ୫୦ ନଳକୂପକୁ ବିଶୋଧନ କରାଯାଉଛି।

ରନ୍ଧା ଖାଦ୍ୟ ବଣ୍ଟନରେ କେଳେଙ୍କାରୀ: ପୀଡ଼ିତଙ୍କ ସର୍ବନାଶ, ଜନପ୍ରତିନିଧିଙ୍କ ପୁଷ ମାସ

ବାଲିଅନ୍ତା: ବନ୍ୟା ପୀଡ଼ିତଙ୍କ ଦୁର୍ଦ୍ଦଶାର ଅନ୍ତ ହୋଇନାହିଁ। ଏବେ ବି ଲୋକେ ଘରକୁ ଫେରିନପାରି ବିଭିନ୍ନ ଆଶ୍ରୟସ୍ଥଳରେ ପଡ଼ି ରହିଛନ୍ତି। କିନ୍ତୁ ଲୋକଙ୍କ ଦୟନୀୟସ୍ଥିତିରୁ ଫାଇଦା ଉଠାଉଛନ୍ତି ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ। ବନ୍ୟା ପୀଡ଼ିତମାନଙ୍କର ସିନା ସର୍ବନାଶ ହୋଇଛି, ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କ ପାଇଁ ପୁଷ ମାସ ଆସିଛି। ରନ୍ଧା ଖାଦ୍ୟ ବଣ୍ଟନରେ କେଳେଙ୍କାରୀ କରି ହାତ ଚିକ୍କଣ କରୁଥିବା ଅଭିଯୋଗ ହେଉଛି। ମିଛ ନାଁ ପକାଇ ବିଲ୍‌ କରି ମାଲେମାଲ୍‌ ହେଉଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ରାଜସ ପଞ୍ଚାୟତ ଅଧୀନ କୃଷ୍ଣପୁର ଗ୍ରାମ ନିକଟରେ ଧନୁଆ ବ୍ରିଜର ଗୋଟିଏ ପାର୍ଶ୍ବ ଆପ୍ରୋଚ୍‌ ରାସ୍ତାରେ ୧୦୦ ଫୁଟ୍‌ ଲମ୍ବର ଘାଇ ସୃଷ୍ଟି ହୋଇଥିଲା। ଫଳରେ ଏବେ ବି ଏହି ରାସ୍ତା ଉପରେ ନିର୍ଭର କରୁଥିବା ରାଜସ, ଆଳିସି ଶାସନ ଓ ପମ୍ପାଲୋ ପଞ୍ଚାୟତର ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ କଥା ହେଉଛି ବନ୍ୟା ସମୟରେ ଏହି ଅଞ୍ଚଳର ଅଧିକାଂଶ ବିପନ୍ନଙ୍କ ପାଖରେ ରନ୍ଧା ଓ ଶୁଖିଲା ଖାଦ୍ୟ ପହଞ୍ଚିପାରିନଥିଲା। ଅବଶ୍ୟ ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହାୟତାରେ ପଞ୍ଚାୟତ ଓ ବ୍ଲକ ଅଧିକାରୀମାନେ ରନ୍ଧା ଖାଦ୍ୟ ବାଣ୍ଟିଥିଲେ। ଏବେ ବି କିଛି କିଛି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ଚାଲିଛି। କିନ୍ତୁ ମିଛ ତାଲିକା ପ୍ରସ୍ତୁତ କରି ହେରଫେର କରାଯାଉଥିବା ଅଭିଯୋଗ ହେଉଛି। ଏବେ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ଓ ଧୀରେଧୀରେ ଏହି ଜନଅସନ୍ତୋଷ ଉଗ୍ର ରୂପ ନେବା ଜଳଜଳ ହୋଇ ଦେଖାଗଲାଣି ବୋଲି ଆଲୋଚନା ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ବିହିତ ତଦନ୍ତ କରି ଏହି କେଳଙ୍କୋରୀର ପର୍ଦ୍ଦାଫାସ୍‌ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଭାସିଆସିଛି ବିରଳ ମାଛ

ଆଜି କୁରୁଞ୍ଜିପୁର ପଡ଼ାବିଲସାହି ଗାଁରେ ଏକ ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି। ଫକୀର ମଲ୍ଲିକ ଓ ବାବାଜୀ ମଲ୍ଲିକଙ୍କ ଜାଲରେ ଏହି ମାଛ ପଡ଼ିଛି। ମାଛଟିର ଦେହ ସାରା କଣ୍ଟା ମୟ। ତା’ର ଡେଣା ଓ ପାଟି ଅନ୍ୟ ମାଛଙ୍କ ଠାରୁ ଅଲଗା। ଲୁଣି ଓ ମଧୁର ଜଳରେ ବଞ୍ଚି ପାରୁଥିବା ମାଛଟି ସୁକର୍‌ ଫିସ୍‌ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଏହି ମାଛ ଖିଆଯାଏ ନାହିଁ।