ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ମାସକରେ ଜିଲ୍ଲାରେ ଗଡ଼ିଲାଣି ୪ ମୁଣ୍ଡ

ଦିଗପହଣ୍ଡି/ବ୍ରହ୍ମପୁର: ପୌର ଓ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିଲେ ହେଁ, ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ଥମିବା ନାଁ ନେଉନି। ଏଭଳି ପରିସ୍ଥିତିରେ ଗତକାଲି ରାତି ୧୧ଟା ୪୫ରେ ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଦୁଇଜଣ ଯୁବ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକମାନେ ‌ହେ‌ଲେ, ଚଷାନିମଖଣ୍ଡି ପଞ୍ଚାୟତ ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆର। ଚଷାନିମଖଣ୍ଡି ପଞ୍ଚାୟତରେ ନିର୍ବାଚନ ଫଳାଫଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସୁଧୀର ଓ ସୁଦର୍ଶନ ବିଜୟୀ ଗୋଷ୍ଠୀକୁ ସଂପୂର୍ଣ୍ଣ ଭାବେ ସହଯୋଗ କରୁଥିଲେ। ବିପକ୍ଷ ଗୋଷ୍ଠୀ ପରାଜୟକୁ ଭୁଲି ନପାରି ଉଭୟଙ୍କୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ।

ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ ଜାରି ରହିଛି। ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର, ଏଏସ୍‌ପି ଅସିମ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରାଯାଉଛି। ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଏଏସ୍‌ପି କହିଛନ୍ତି। ଅନ୍ୟପଟେ ଘଟଣା ସମୟରେ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ହତ୍ୟାକାରୀମାନେ ବିଦ୍ୟୁତ ବିଚ୍ଛିନ୍ନ କରିଥିବା ନେଇ ବଡ଼ ମେଡିକାଲରେ ଉପସ୍ଥିତ ଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏହା ସହିତ ଘଟଣାକୁ ଲୁଟ୍‌ର ରୂପ ଦେବା ପାଇଁ ସୁଦର୍ଶନଙ୍କ ସୁନା ଚେନ୍‌ ଓ ମୁଦି ଲୁଟି ନେଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ଦିଗପହଣ୍ଡି ବ୍ଲକ୍‌ର ୨ ଯୁବ ବିଜେଡି ନେତାଙ୍କୁ ପଥର ଛେଚି ହତ୍ୟା
ପଞ୍ଚାୟତ ନିର୍ବାଚନ ପରଠୁ ଲାଗିଥିଲା ଛକାପଞ୍ଝା
ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍, ରକ୍ତଭିଜା ପଥର, ଚପଲ ଜବତ

ଅନ୍ୟପକ୍ଷରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ଉଭୟ ମୃତକଙ୍କ ପରିବାରବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି। ସୂଚନା ଥାଉକି ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରଠୁ ଗଞ୍ଜାମ ଜିଲ୍ଲାରେ ଛୋଟବଡ଼ ହିଂସା ସାମ୍ନାକୁ ଆସିଛି। ଗତ ମାର୍ଚ୍ଚ ୧୨ ତାରିଖରେ ଆସିକା ଥାନା କେନ୍ଦୁପଦର ଗ୍ରାମରେ ଜଣେ ଯୁବକ ଓ ୧୮ ତାରିଖରେ ପୋଲସରା ଥାନା ଇଲାକାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଫଳରେ ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମାସକରେ ୪ ମୁଣ୍ଡ ଗଡ଼ିସାରିଲାଣି।

ସମ୍ବନ୍ଧିତ ଖବର